ଆର୍ସିବି ବନାମ କିଙ୍ଗ୍ସ ଏକାଦଶ ଜମାଣିଆ ମ୍ୟାଚ ଅପେକ୍ଷାରେ ସମସ୍ତେ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ଦୁବାଇ

ବିବାଦୀୟ ‘ସର୍ଟ-ରନ୍’ ନିଷ୍ପତ୍ତିର ଘୋ-ଘାକୁ ପଛରେ କରି ଏକ ନୂଆ ଆରମ୍ଭ କରିବାକୁ ଚାହୁଁଛି କିଙ୍ଗ୍ସ ଏକାଦଶ ପଞ୍ଜାବ । ଗୁରୁବାର ଦଳର ସାମ୍ନା ହେବାକୁ ଯାଉଛି ପ୍ରଥମ ମ୍ୟାଚରେ ୧୦ ରନ୍ର ବିଜୟ ସନରାଇଜର୍ସ ବିପକ୍ଷରେ ହାସଲ କରି ୨ ପଏଣ୍ଟ ପାଇସାରିଥିବା ଆର୍ସିବି ସହ । ନିଜ ପ୍ରଥମ ମ୍ୟାଚରେ ବିଜୟ ପଥରେ ପଞ୍ଜାବ ଦିଲ୍ଲୀ କ୍ୟାପିଟାଲ ବିପକ୍ଷରେ ଥିଲା ବେଳେ ୧୯ତମ ଓଭରରେ କ୍ରିସ୍ ଜୋର୍ଡ଼ାନଙ୍କ ଏକ ସଠିକ୍ ୨ ରନ୍କୁ ସ୍କୋୟାର ଲେଗ ଅମ୍ପାୟର ତ୍ରୁଟି କରି ୧ରନ୍ ସର୍ଟ ବୋଲି ସଙ୍କେତ ଦେଇଥିଲେ । ଶେଷରେ ୧ ରନ୍ ଅଭାବରେ ମୂଳ ମ୍ୟାଚରେ ବିଜୟ ନ ପାଇ ମ୍ୟାଚ୍ ‘ଟାଇ’ ହୋଇଯାଇଥିଲା । ଆଉ ସୁପର ଓଭରରେ ପଞ୍ଜାବ ହାରିଯାଇଥିଲା ମ୍ୟାଚ । ଏବାବଦରେ ଅପିଲ ଦଳ କରିଥିଲେ ବି ଅଧିନାୟକ ରାହୁଳ ଓ ସାଥୀମାନେ ଚାହିଁବେ ସେ ଘଟଣାକୁ ଭୁଲି ବାକି ମ୍ୟାଚ ଉପରେ ଧ୍ୟାନ ଦେବାକୁ ।
ଅପର ପକ୍ଷରେ ଚହରଙ୍କ ଚମକ୍ରାର କାରଣରୁ ଟାଣୁଆ ସନ୍ରାଇଜର୍ସ ବିପକ୍ଷରେ ୧୦ରନ୍ର ବିଜୟ ପ୍ରଥମ ମ୍ୟାଚ୍ରେ ପାଇବା ପରେ ବିରାଟଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ମନୋବଳ ଆକାଶଛୁଆଁ ଅଛି । ଏଥର ଟାଇଟେଲର ଆଶା ଏକ ଦଳ ଭିତରେ । ଦେବଦତ୍ତ ପାଡ଼ିକଲଙ୍କ ଜୋରଦାର ପଦାର୍ପଣ ସହ ଏବି ଡ଼ିଭିଲିୟର୍ସଙ୍କ ଦୃଢ଼ତା ଦଳକୁ ଶକ୍ତିଶାଳୀ କରିଛି । ତା’ ସହ ଆରନ୍ ଫିଞ୍ଚ ଏବଂ ବିରାଟ କୋହଲୀ ବି ଠିକଣା ଫର୍ମରେ ମନେ ହୋଇଛନ୍ତି । ତେବେ ଦଳ ନିଜ ୧୦ କୋଟି ଦାମ୍ର ଖେଳାଳି କ୍ରିସ୍ ମୋରିସ୍ଙ୍କ ସେବା ଦ୍ୱିତୀୟ ମ୍ୟାଚରେ ବି ପାଇବାକୁ ଯାଉନାହିଁ ଯାହା ଦଳ ପାଇଁ ଧକ୍କା । ଉମେଶ ଯାଦବ ପ୍ରଥମ ମ୍ୟାଚରେ ବାଜେ ବୋଲିଂ କରିଥିଲେ । ତାଙ୍କ ସ୍ଥାନରେ ମହମ୍ମଦ ସିରାଜ ଗୁରୁବାର ଖେଳିପାରନ୍ତି । ତେବେ ଦଳକୁ ବୋଲିଂ ପାୱାରରେ ଜିତାଇବାର ଶକ୍ତି ରଖନ୍ତି ୟାଜୁବେନ୍ଦ୍ର ଚହଲ । ସୋମବାର ଭଳି କରିଶ୍ମା ଗୁରୁବାର ସେ କରିବେ ବୋଲି ଦୃଢ଼ ଆଶାରେ ରହିଛି ଦଳ ।
କିଙ୍ଗ୍ସ ଏକାଦଶ ପଞ୍ଜାବର ବ୍ୟାଟିଂ ନିର୍ଭର କରିବ ମୟଙ୍କ ଅଗ୍ରୱାଲଙ୍କ ଉପରେ । ଯିଏ ପ୍ରଥମ ମ୍ୟାଚରେ ଟପ ଫର୍ମରେ ଥିଲେ । ବିସ୍ଫୋରକ ଗେଲଙ୍କୁ ଏ ମ୍ୟାଚରେ ସୁଯୋଗ ମିଳିବ ବୋଲି ଚର୍ଚ୍ଚା ହେଉଛି । ସେପରି ଚର୍ଚ୍ଚା ବି ଜିମି ନେସମ୍ଙ୍କୁ ନେଇ କରାଯାଉଛି । ତେବେ ଅଧିନାୟକ କେଏଲ ରାହୁଳ ଏବଂ ମାକ୍ସୱେଲ ପ୍ରଭାବୀ ବ୍ୟାଟିଂ କରିବା ଦଳ ପାଇଁ ଖୁବ୍ ଲୋଡ଼ା । ଦଳର ବୋଲିଂ ବାହିନୀର ନେତୃତ୍ୱ ପୁଣି ଥରେ କରିବେ ମହମ୍ମଦ ସାମି । ଯିଏ ହାଇଦ୍ରାବାଦ ବିପକ୍ଷରେ ବଢ଼ିଆ ବୋଲିଂ କରିଥିଲେ । ଯୁବା ଲେଗ ସ୍ପିନର ରବି ବିଶ୍ନୋଇ ବି ଆଉ ଏକ ଚମକ୍ଦାର ସ୍ପେଲ ପାଇଁ ରେଡ୍ଡି ଥିବେ ନିଶ୍ଚିତ ।
ଆଇପିଏଲରୁ ଆଉଟ୍ ହେଲେ ମାର୍ଶ
ଯାହା ଆଶଙ୍କା କରାଯାଉଥିଲା ତାହା ଘଟିଲା । ସନ୍ରାଇଜର୍ସ ହାଇଦ୍ରାବାଦର ଅଷ୍ଟ୍ରେଲୀୟ ଅଲରାଉନ୍ଦର ମିଚେଲ ମାର୍ଶ ଆଇପିଏଲର ବାକି ମ୍ୟାଚରୁ ଆଉଟ୍ ହୋଇଯାଇଛନ୍ତି । ଆର୍ସିବି ବିପକ୍ଷ ମ୍ୟାଚରେ ବୋଲିଂ କରିବା ବେଳେ ଗୋଇଠି ତାଙ୍କର ମୋଡ଼ି ହୋଇଯାଇଥିଲା । ତାଙ୍କ ଦଳ ସନ୍ରାଇଜର୍ସ ହାଇଦ୍ରାବାଦ ବୁଧବାର ଦିନ ଆହତ ମାର୍ଶ ବାକି ଆଇପିଏଲ କେଳିପାରିବେ ନାହିଁ ବୋଲି ଆନୁଷ୍ଠାନିକ ଭାବରେ ଜଣାଇଛି । ତାଙ୍କ ସ୍ଥାନରେ ଜାସନ୍ ହୋଲ୍ଡରଙ୍କୁ ଦଳରେ ଗ୍ରହଣ କରାଯାଇଛି । ଶନିବାର ଦିନ ହାଇଦ୍ରାବାଦ ନିଜ ପରବର୍ତ୍ତୀ ମ୍ୟାଚ୍ କେକେଆର ବିପକ୍ଷରେ ଖେଳିବ । ହୋଲ୍ଡର ସେତେବେଳେ ଦଳକୁ ଆସିପାରିନଥିବେ । ତେଣୁ ସେ ମ୍ୟାଚରେ ମହମ୍ମଦ ନବି ମାର୍ଶଙ୍କ ସ୍ଥାନ ନେଇପାରନ୍ତି ।

ବଲ୍ ନେଇଗଲେ ଫ୍ୟାନ୍
କୋଭିଡ଼ କଟକଣା ପାଇଁ ଏଥର ଆଇପିଏଲରେ ଫ୍ୟାନମାନଙ୍କୁ ଷ୍ଟାଡ଼ିୟମ ପ୍ରବେଶର ଅନୁମତି ନାହିଁ । ତେଣୁ ଷ୍ଟାଡ଼ିୟମ୍ରେ ଫ୍ୟାନ ମୁହର୍ତ୍ତ ଏଥର ସମ୍ଭବ ହେଉନାହିଁ । ହେଲେ ଭାଗ୍ୟରେ ଥିଲେ ଷ୍ଟାଡ଼ିୟମ ବାହାର ରାସ୍ତାରେ ତାହା ବି ହୋଇଯାଇପାରେ । ଠିକ୍ ଏପରି ଘଟିଛି ଚେନ୍ନାଇ ଓ ରାଜସ୍ଥାନ ମ୍ୟାଚରେ । ଶେଷ ଓଭରରେ ୩୮ ରନ୍ ଦରକାର ଦଳ କରୁଥିଲା ବେଳେ ବଡ଼ ୩ଟି ଛ’କା ମାରି ରନ୍ରେଟ୍ ଭଲ ରଖିବା ଚେଷ୍ଟା କରିଥିଲେ ଧୋନୀ । ତାଙ୍କ ଏକ ଛ’କା ବେଳେ ବଲ ଷ୍ଟାଡ଼ିୟମ୍ ପାର୍ କରି ପାଖ ରାସ୍ତାରେ ପଡ଼ିଥିଲା । ରାସ୍ତାରେ ଯାଉଥିବା ଜଣଙ୍କ ନଜରରେ ପଡ଼ିଥିଲା ବଲ୍ । ସେ ଚଟାପଟ ତାକୁ ଗୋଟାଇ ନେଇ ଚାଲିଯାଇଥିଲେ ନିଜ ବାଟରେ । କ୍ୟାମେରା ଏହାକୁ ଦେଖାଉଥିଲା ବେଳେ ଭାଷ୍ୟକାର ହସି ହସି କହୁଥିଲେ ଜୀବନ ସାରା ସେ ଏହାକୁ ଦୁର୍ମୁଲ୍ୟ ବସ୍ତୁ ଭାବରେ ସାଇତି ରଖିବେ ବୋଲି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*