ଆମ ଲଢେଇ ଆତଙ୍କବାଦ ବିରୋଧରେ, ଧର୍ମ ବିରୋଧରେ ନୁହେଁ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ଆବୁ ଧାବି
ଆବୁ ଧାବିଠାରେ ଶୁକ୍ରବାର ଇସଲାମିକ୍‌ ସହଯୋଗ ସଂଗଠନ (ଓଆଇସି)ର ବୈଠକ ଅନୁଷ୍ଠିତ ହୋଇଯାଇଛି । ଭାରତକୁ ଏଠାକୁ ପ୍ରଥମ ଥର ପାଇଁ ସମ୍ମାନିତ ଅତିଥି ରାଷ୍ଟ୍ରଭାବେ ଆମନ୍ତ୍ରିତ କରାଯାଇଥିଲା । ଏହି ବୈଠକରେ କେନ୍ଦ୍ର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଯୋଗ ଦେଇ ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନକୁ ଟାର୍ଗେଟ କରିଥିଲେ । ସେ ପାକିସ୍ତାନର ନାମ ନନେଇ “ଆମର ଲଢେଇ ଆତଙ୍କବାଦ ବିରୋଧରେ, କୌଣସି ଧର୍ମ ବିରୋଧରେ ନୁହେଁ । ଆତଙ୍କବାଦ ଯୋଗୁ ପୁରା ବିଶ୍ୱ ସଙ୍କଟରେ ଅଛି” ବୋଲି କହିଥିଲେ । ଇସଲାମର ଅର୍ଥ ‘ଶାନ୍ତି’ ହୋଇଥିବାବେଳେ ଆହ୍ଲାଙ୍କ ୯୯ଟି ନାମ ମଧ୍ୟ କୌଣସି ପ୍ରକାର ହିଂସାକୁ ସୂଚାଉନାହିଁ । ପୁର ପୃଥିବୀରେ ଥିବା ପ୍ରତ୍ୟେକ ଧର୍ମ ଶାନ୍ତି, ସଦଭାବନା ଏବଂ ଭାଇଚାରାକୁ ସୂଚାଉଛି । ଆଉ ଆଜି ମୁଁ ଏଠାରେ ସେହିପରି ଏକ ରାଷ୍ଟ୍ରର ପ୍ରତିନିଧିଭାବେ ଛିଡା ହୋଇଛି, ଯାହା ଯୁଗ ଯୁଗରୁ ଜ୍ଞାନର ଗନ୍ତାଘର, ଶାନ୍ତିର ପ୍ରତୀକ, ବିଶ୍ୱାସ ଏବଂ ପରମ୍ପରାର ସୂତ୍ରଧାର, ବିଭିନ୍ନ ଧର୍ମର ପେଣ୍ଠସ୍ଥଳୀ ଏବଂ ବର୍ତ୍ତମାନ ବିଶ୍ୱର ଅନ୍ୟତମ ଅର୍ଥନୀତିଭାବେ ପରିଗଣିତ ହେଉଛି । ଭାରତର ବିବଧତା ମଧ୍ୟରେ ମୁସଲିମମାନେ ଏହାର ମାଇକ୍ରୋଜମ୍‌ ସଦୃଶ । ମୋ ପାଖରେ ୧୩୦ କୋଟି ଭାରତୀୟଙ୍କ ଅଭିନନ୍ଦନ ବାର୍ତ୍ତା ରହିଛି । ତନ୍ମଧ୍ୟରେ ୧୮.୫ କୋଟି କେବଳ ମୁସଲିମ୍‌ ଭାଇ ଓ ଭଉଣୀଙ୍କର ଅଛି ବୋଲି ସୁଷମା ଏହି ଅବସରରେ କହିଥିଲେ । ଗତ ୪ ବର୍ଷ ମଧ୍ୟରେ ଭାରତର ୟୁଏଇ ସମେତ ପୁରା ଗଲ୍ଫ ଏବଂ ପଶ୍ଚିମ ଏସିଆ ସହ ସଂପର୍କ ବୃଦ୍ଧି ଘଟିଛି । ଏହାକୁ ଇତିହାସର ପୁନରାବୃତ୍ତି କୁହାଯାଇପାରିବ ବୋଲି ସେ କହିଥିଲେ । ଇସଲାମିକ୍‌ ସହଯୋଗ ସଂଗଠନ (ଓଆଇସି)ରେ ୫୬ ଟି ସଦସ୍ୟ ରାଷ୍ଟ୍ର ଅଛନ୍ତି ।
୨୦୧୯ ଅତ୍ୟନ୍ତ ଖାସ୍‌ ବର୍ଷ ଅଟେ । ଏହି ବର୍ଷରେ ଓଆଇସି ନିଜର ସ୍ୱର୍ଣ୍ଣ ଜୟନ୍ତୀ ବର୍ଷ ଏବଂ ଭାରତ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମଜୟନ୍ତୀ ପାଳନ କରୁଛି । ମାହାତ୍ମା ଗାନ୍ଧୀ ବିଶ୍ୱକୁ ଶାନ୍ତି ଏବଂ ସଦଭାବନାର ବାର୍ତ୍ତା ଦେଇଥିଲେ ବୋଲି ଏହି ଅବସରରେ ସୁଷମା କହିଥିଲେ । ଆତଙ୍କବାଦ ପୁରା ବିଶ୍ୱ ପାଇଁ ବିପଦ ବନିସାରିଛି । ଆମ ସମସ୍ତଙ୍କୁ ଏହି ପ୍ରଦସଙ୍ଗକୁ ଗମ୍ଭୀରତାର ସହ ନେବାକୁ ପଡିବ । ଆତଙ୍କବାଦୀ ଜୀବନ ଶେଷ କରିବାରେ ଲାଗିଛି । ଏହା ଯୋଗୁ ବିଭିନ୍ନ ରାଷ୍ଟ୍ରରେ ଅସ୍ଥିରତା ସୃଷ୍ଟି ହେବା ସହ ଆତଙ୍କୀଜନିତ ଜୀବନହାନୀ ବୃଦ୍ଧି ପାଇବାରେ ଲାଗିଛି । ଆତଙ୍କବାଦ ବିରୋଧରେ ଲଢେଇ କୌଣସି ଗୋଟିଏ ଦେଶର ନୁହେଁ, ଅଧିକନ୍ତୁ ସମସ୍ତଙ୍କର । ଏହା ବିରୋଧରେ ଆମେ ସମସ୍ତେ ଏକାଠି ହେବା ଆବଶ୍ୟକ । ଆମେ ଆତଙ୍କବାଦ ବିରୋଧରେ ଲଢେଇ କରୁଛୁ, କୌଣସି ଧର୍ମ ବିରୋଧରେ ନୁହେଁ । ଇସଲାମ ଧର୍ମ ଶାନ୍ତିର ବାର୍ତ୍ତା ଦେଇଥାଏ ବୋଲି ବୈଦେଶିକ ମନ୍ତ୍ରୀ ନିଜ ଅଭିଭାଷଣରେ କହିଥିଲେ ।
ପାକ୍‌ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କୁ୍ୟରେଶୀ ଏହି ବୈଠକରେ ଯୋଗ ଦେଇନଥିବା ଜଣାପଡିଛି । ବୈଠକକୁ ଭାରତକୁ ସମ୍ମାନିତ ଅତିଥି ରାଷ୍ଟ୍ରଭାବେ ଆମନ୍ତ୍ରଣ କରାଯିବା ପରେ ସେ ବୈଠକକୁ ଯିବାକୁ ମନା କରିଥିଲେ । ପରେ ଅବଶ୍ୟ ନିଜ ବୟାନକୁ ବଦଳାଇ ସେ ବୈଠକରେ ଯୋଗ ଦେବେ ବୋଲି କହିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*