ଆମିକସ୍‌ କ୍ୟୁରିଙ୍କ ରିପୋର୍ଟ ପାଇଁ ଅଟକିଛି ଉଚ୍ଛେଦ ଅଭିଯାନ? ସମ୍ମତିପତ୍ର ପାଇଁ ବଢୁଛି ପ୍ରଶାସନର ଚାପ!

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ପୁରୀ

ଶ୍ରୀମନ୍ଦିର ଚାରିପଟେ ଘରଭଙ୍ଗା ଅଭିଯାନ ହଠାତ୍‌ ବନ୍ଦ ହୋଇଗଲା କାହିଁକି? କେଉଁ କାରଣ ପାଇଁ ବ୍ଲାକ୍‌ କମାନେ୍ଦାଙ୍କୁ ଏତେ ସଂଖ୍ୟାରେ ମୁତୟନ କରିବା ସତ୍ତ୍ୱେ ଜିଲା ପ୍ରଶାସନ ବୁଲ୍‌ଡୋଜର୍‌ ଚଳାଇବାକୁ ନିଦେ୍ର୍ଦଶ କାହିଁକି ଦେଉ ନାହାନ୍ତି? ଅସୁବିଧା କେଉଁଠି? ହଠାତ୍‌ ବେଳାଭୂମି ମହାସଫେଇ ଅଭିଯାନ ଲାଗି ଜିଲା ପ୍ରଶାସନ ଏଭଳି ତତ୍ପର ହୋଇଉଠିବା ସହ ଏହାର କିଛି ସମ୍ପର୍କ ଅଛି କି? ସରକାରଙ୍କର ଏଭଳି ମତିଗତି ଅନେକ ସନେ୍ଦହ ସୃଷ୍ଟି କରିଛି ।
ସରକାର ଶ୍ରୀମନ୍ଦିର ଚାରିପଟେ ୭୫ ମିଟର ପରିଧିରେ ସବୁ ନିର୍ମାଣ ଉଚ୍ଛେଦ ପାଇଁ ଅଚାନକ ଅଭିଯାନ ଆରମ୍ଭ କରିଦେଇଥିଲେ । ପ୍ରଥମେ ତିନିଟି ବହୁ ପ୍ରାଚୀନ ମଠ ଭାଙ୍ଗି ଦିଆଯାଇଥିଲା । ଜଗନ୍ନାଥ ମନ୍ଦିର ସମୟରୁ ଗଢ଼ି ଉଠିଥିବା ଏମାର ମଠ ବି ଧୂଳିରେ ମିଶିଲା । ନଙ୍ଗୁଳୀ ଓ ବଡ଼ ଆଖଡ଼ା ମଠ ଭାଙ୍ଗି ଦିଆଗଲା । ଏହାକୁ ନେଇ ତକ୍ରାଳ ପ୍ରତିକି୍ରୟା ଦେଖା ଦେଇ ନଥିଲେ ହେଁ ପରବର୍ତ୍ତୀ କାଳରେ ଶଙ୍କରାଚାର୍ଯ୍ୟ ସ୍ୱର ଉତ୍ତୋଳନ କଲେ । କ୍ରମଶଃ ସ୍ଥାନୀୟ ବିଧାୟକ ଏବଂ ଅନ୍ୟମାନେ ପ୍ରଶାସନର ଏଭଳି ଉଦ୍ୟମକୁ ବିରୋଧ କଲେ । ରାତିରେ ନୋଟିସ୍‌ ଏବଂ ସକାଳେ ଭଙ୍ଗା ଅଭିଯାନକୁ ଲୋକେ ବିରୋଧ କରିବା ଆରମ୍ଭ କରିଦେଇଥିଲେ । ଏହି ସମୟରେ ପଞ୍ଜାବୀ ଓ ମଙ୍ଗୁ ମଠ ଦୁଇଟିକୁ ଉଚ୍ଛେଦ କରିବାକୁ ପ୍ରଶାସନ ଉଦ୍ୟମ କଲା ବେଳେ ଶିଖ୍‌ ସମୁଦାୟ ଏଥିରେ ପ୍ରବଳ ଆପତ୍ତି ଉଠାଇ ଥିଲେ । ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ୍‌ ଅମରିନ୍ଦର୍‌ ସିଂହ ଟୁଇଟ୍‌ କରି ଗୁରୁ ନାନକ ଦେବଙ୍କ ସ୍ମୃତି ସହ ଜଡ଼ିତ ଏହି ମଠ ନଭାଙ୍ଗିବା ପାଇଁ ଓଡ଼ିଶା ସରକାରଙ୍କୁ ନିବେଦନ କରିଥିଲେ ।
ତେବେ କ’ଣ ଶିଖ୍‌ ସମ୍ପ୍ରଦାୟର ପ୍ରତିକି୍ରୟା ଯୋଗୁଁ ଏବେ ଉଚ୍ଛେଦ କାର୍ଯ୍ୟ ବନ୍ଦ ରଖିଛନ୍ତି ସରକାର? କିନ୍ତୁ ନିର୍ଭୟକୁ ଯେଉଁ ଅସମର୍ଥିତ ସୂତ୍ରରୁ ଖବର ମିଳିଛି, ପ୍ରଶାସନର ଏଭଳି ଆଚରଣ ପଛରେ ଅନ୍ୟ ଏକ ବଡ଼ କାରଣ ରହିଛି । କାରଣର ବିନ୍ଦୁ ହେଉଛନ୍ତି ଆମିକସ୍‌ କୁ୍ୟରୀ ରଞ୍ଜିତ୍‌ କୁମାର ।

ସଲିସିଟର୍‌ ଜେନେରାଲ୍‌ ତୁଷାର ମେହେଟ୍ଟାଙ୍କ ସହ ସେପ୍ଟେମ୍ବର ୭ ତାରିଖରେ ପୁରୀ ଆସିଥିଲେ ଆମିକସ୍‌ କୁ୍ୟରୀ ରଞ୍ଜିତ୍‌ କୁମାର । କ୍ଷେତ୍ର ଅନୁଧ୍ୟାନ କରି ସୁପି୍ରମକୋର୍ଟଙ୍କୁ ରିପୋର୍ଟ ଦେବା ଲାଗି ତାଙ୍କୁ ଆଦେଶ ମିଳିଥିଲା । ରଞ୍ଜିତ୍‌ କୁମାର ସରକାରୀ ଅତିଥି ହୋଇଯାଇଥିଲେ । ପ୍ରଶାସନ ସହ ଆଲୋଚନା କଲେ । ଗଜପତି ଓ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ । କିନ୍ତୁ କୌଣସି ମଠ ମହନ୍ତ କିମ୍ବା କ୍ଷତିଗ୍ରସ୍ତ ଲୋକଙ୍କୁ ସାକ୍ଷାତ କରି ସେମାନଙ୍କ ମତାମତ ଲୋଡ଼ିଲେ ନାହିଁ । କେବଳ ଏକପାଖିଆ ସାକ୍ଷାତ କାର୍ଯ୍ୟକ୍ରମ ଥିଲା ଏହି ଆମିକସ୍‌ କୁ୍ୟରୀଙ୍କର । ଶଙ୍କରାଚାର୍ଯ୍ୟଙ୍କୁ ଭେଟିବା ପରେପରେ ନିଶ୍ଚଳାନନ୍ଦ ସରସ୍ୱତୀ ମଧ୍ୟ ତୁରନ୍ତ ବୟାନ ଜାରି କରି ମଠ ମନ୍ଦିର ଭାଙ୍ଗିବା ନିଷ୍ପତ୍ତିକୁ ବିରୋଧ କରିଥିଲେ ।
ପୁରୀ ଛାଡ଼ିବା ପୂର୍ବରୁ ଆମିକସ୍‌ କୁ୍ୟରୀ ସାମ୍ବାଦିକମାନଙ୍କୁ ସରକାରଙ୍କ ସପକ୍ଷରେ କ୍ଲିନ୍‌ଚିଟ୍‌ ଦେଇଥିଲେ । ସାମ୍ବାଦିକମାନଙ୍କର କୌଣସି ପ୍ରଶ୍ନର ଉତ୍ତର ନଦେଇ ସରକାରଙ୍କୁ ସେ ଯେଉଁ ସାର୍ଟିଫିକେଟ୍‌ ଦେଇଥିଲେ, ତାହା ସମସ୍ତଙ୍କୁ ଅଜବ ଲାଗିଥିଲା । ପ୍ରଶାସନ ଠିକ୍‌ ନିଷ୍ପତ୍ତି ନେଇଛନ୍ତି । ସମସ୍ତଙ୍କ ସହ ପରାମର୍ଶ କରି ଉଚ୍ଛେଦ କରୁଛନ୍ତି । ଏଭଳି ଉଚ୍ଛେଦ ପ୍ରକି୍ରୟା ଶେଷ ହେଲେ ନାଗାର୍ଜ୍ଜୁନ ବେଶ ବେଳେ ୧୫ ଲକ୍ଷ ଭକ୍ତ ସହଜରେ ଠାକୁରଙ୍କୁ ଦର୍ଶନ କରିପାରିବେ । ସବୁ ବ୍ୟବସ୍ଥିତ ଢଙ୍ଗରେ ଚାଲିଛି । ଏଭଳି ସାର୍ଟିିଫିକେଟ୍‌ ଦେଇ ଫେରିଯାଇଥିଲେ ରଞ୍ଜିତ୍‌ କୁମାର ।
ସର୍‌ଜମିନ୍‌ ଅନୁଧ୍ୟାନ ପରେ ସୁପ୍ରିମ୍‌କୋର୍ଟଙ୍କୁ ରିପୋର୍ଟ ଦେବା ଲାଗି ଆମିକସ୍‌ କୁ୍ୟରୀଙ୍କୁ କୁହାଯାଇଥିଲା । କିନ୍ତୁ ସେ ପୁରୀରେ ସରକାରଙ୍କ ସପକ୍ଷରେ ସାମ୍ବାଦିକମାନଙ୍କ ଆଗରେ ରିପୋର୍ଟ ଦେଇଗଲେ । କୌଣସି କ୍ଷତିଗ୍ରସ୍ତ ପକ୍ଷଙ୍କୁ ସାକ୍ଷାତ ନକରି ଉଚ୍ଛେଦ ଅଭିଯାନରେ ସମସ୍ତେ ଖୁସ୍‌ ବୋଲି କହିଥିବା ଆମିକସ୍‌ କୁ୍ୟରୀ ସେପ୍ଟେମ୍ବର ୧୭ ତାରିଖରେ କିନ୍ତୁ ସୁପ୍ରିମ୍‌କୋର୍ଟଙ୍କୁ ରିପୋର୍ଟ ଦେଇପାରିଲେ ନାହିଁ । ଦୁଇ ସପ୍ତାହ ସମୟ ମାଗିଥିଲେ । ଏବେ ଏହି ରିପୋର୍ଟ ଦେବାକୁ ନେଇ ସେ ଅଡ଼ୁଆରେ ପଡ଼ିଥିବା କୁହାଯାଉଛି ।
ସେପ୍ଟେମ୍ବର ୧୭ ତାରିଖରେ ସୁପ୍ରିମକୋର୍ଟରେ ଆମିକସ୍‌ କୁ୍ୟରୀଙ୍କ ଦୋମୁହାଁ ଚରିତ୍ର ପଦାରେ ପଡ଼ିଯାଇଥିଲା । ଅନ୍ୟ ପକ୍ଷ ସରକାରଙ୍କ ଉଚ୍ଛେଦ ଅଭିଯାନକୁ ବିରୋଧ କରିଥିଲେ । ପ୍ରଚଳିତ ଆଇନ ବ୍ୟବସ୍ଥାକୁ ଉଲ୍ଲଂଘନ କରି ମନମୁଖି ଭାବେ ପ୍ରଶାସନ ନିଷ୍ପତ୍ତି ନେଉଛି ବୋଲି ଅଭିଯୋଗ ଉଠିଥିଲା ଅଦାଲତରେ । ଏହା ଶୁଣିବା ପରେ କେବଳ ଆଇନ ଅନୁସାରେ ଉଚ୍ଛେଦ ହୋଇପାରିବ ବୋଲି କହିଥିଲେ ସୁପ୍ରିମକୋର୍ଟ । ଏହା ଉଭୟ ପ୍ରଶାସନ ଏବଂ ଆମିକସ୍‌ କୁ୍ୟରୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି ।
ଇତିମଧ୍ୟରେ ସପ୍ତାହେ ପାର୍‌ ହୋଇଛି । ରଞ୍ଜିତ୍‌ କୁମାରଙ୍କ ହାତରେ ଆଉ ୭ଦିନ ସମୟ ଅଛି । କିନ୍ତୁ ପୁରୀରେ ସେ ଯାହା କହିଥିଲେ, ଯଦି ସେହି ମର୍ମରେ ରିପୋର୍ଟ ଦିଅନ୍ତି, ତେବେ ମଠ ମହନ୍ତ ଓ ଅନ୍ୟ କ୍ଷତିଗ୍ରସ୍ତ ପକ୍ଷ ଏହାକୁ ସୁପି୍ରମକୋର୍ଟରେ ଚ୍ୟାଲେଞ୍ଜ କରିବା ସୁନିଶ୍ଚିତ । ପ୍ରଶାସନ ସମସ୍ତଙ୍କ ସହ ଆଲୋଚନା କରି ଉଚ୍ଛେଦ କରୁଛନ୍ତି ବୋଲି ପୁରୀରେ ସାର୍ଟିଫିକେଟ୍‌ ଦେଇଥିଲେ ଆମିକସ୍‌ କୁ୍ୟରୀ । ଏହାକୁ ରିପୋର୍ଟ ଆକାରରେ କୋର୍ଟଙ୍କୁ ଦେଲାବେଳେ ପ୍ରବଳ ବିରୋଧ ସୃଷ୍ଟି ହେବ, ଏହା ସେ ଜାଣିସାରିଛନ୍ତି ।
ସେଥିପାଇଁ ମହନ୍ତ ଏବଂ ଲୋକଙ୍କ ଠାରୁ ସମ୍ମତିପତ୍ର ଆଣିବା ପାଇଁ ଜିଲା ପ୍ରଶାସନ ଲାଗି ପଡ଼ିଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି । କିନ୍ତୁ ପ୍ରଶାସନର ଚାପ ଓ ଧମକ ଆଗରେ ଏପର୍ଯ୍ୟନ୍ତ ମହନ୍ତମାନେ ଆତ୍ମସମର୍ପଣ କରି ନାହାନ୍ତି । ଏଣେ ଲୋକମାନେ ଉଚ୍ଛେଦକୁ ଦୃଢ଼ ବିରୋଧ କରିବା ଆରମ୍ଭ କରିଦେଇଛନ୍ତି । ବିଶେଷତଃ ମହିଳାମାନେ ଭିଟାମାଟି ନଛାଡ଼ିବାକୁ ଜିଦ୍‌ ଧରି ବସିଛନ୍ତି । ଏପରିସ୍ଥଳେ ହାତକାଟି ସମ୍ମତିପତ୍ର ଲେଖିଦେଲେ ଭବିଷ୍ୟତରେ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା କରି କେହି ପ୍ରଶାସନ ଫାନ୍ଦରେ ପଡ଼ୁ ନାହାନ୍ତି । ଦ୍ୱିତୀୟରେ ଯେଉଁମାନଙ୍କୁ ସେ ଆଦୌ ସାକ୍ଷାତ କରିନାହାନ୍ତି, ସେହିମାନେ ଏବେ କିଭଳି ଆମିକସ୍‌ କୁ୍ୟରୀଙ୍କୁ ଭେଟିଥିଲେ ଓ ଉଚ୍ଛେଦ ପାଇଁ ସମ୍ମତି ଜଣାଇଥିଲେ ବୋଲି ଲେଖିବେ? ଶଙ୍କରାଚାର୍ଯ୍ୟ ମଧ୍ୟ ତାଙ୍କ ସହିତ କେହି ଆଲୋଚନା କରି ନଥିବା କହିସାରିଛନ୍ତି । ମହନ୍ତମାନେ ମଧ୍ୟ ସେହି ଏକାକଥା ଦୋହରାଇଛନ୍ତି । ଏପର୍ଯ୍ୟନ୍ତ ଏମାର ମଠ ମହନ୍ତ ଜାଗା ଛାଡ଼ି ନାହାନ୍ତି ।
ଆମିକସ୍‌ କୁ୍ୟରୀ ଅପେକ୍ଷା କରିଛନ୍ତି ସମ୍ମତିପତ୍ରକୁ । ପୁରୀ ଜିଲା ପ୍ରଶାସନ ଲାଗିପଡ଼ିଛନ୍ତି ଯେନତେନ ପ୍ରକାରେଣ କ୍ଷତିଗ୍ରସ୍ତଙ୍କ ଠାରୁ ପ୍ରମାଣପତ୍ର ଆଣିବାକୁ । ସେମାନେ ସ୍ୱଇଛାରେ ଶ୍ରୀମନ୍ଦିର ଚାରିପଟକୁ ସରସ ସୁନ୍ଦର କରିବା ପାଇଁ ସରକାରୀ ଯୋଜନାକୁ ସ୍ୱାଗତ କରୁଛନ୍ତି ବୋଲି କେହି ଲେଖୁ ନାହାନ୍ତି । ଚାପ ବଢ଼ିବଢ଼ି ଯାଉଛି । ପଞ୍ଜାବୀ ମଠକୁ ଭାଙ୍ଗିବେ କି ନାହିଁ, ଚିନ୍ତାରେ ପଡ଼ିଛନ୍ତି ପ୍ରଶାସନ । ଯେତେହେଲେ ଶିଖ୍‌ ସମୁଦାୟର ପ୍ରତିକି୍ରୟା ଭୟ ଅଛି ।
ଯେପର୍ଯ୍ୟନ୍ତ ପୁରୀ କ୍ଷତିଗ୍ରସ୍ତଙ୍କ ଠାରୁ ସମ୍ମତିପତ୍ର ନପାଇଛନ୍ତି, ସେପର୍ଯ୍ୟନ୍ତ ପୁରୀ ରିପୋର୍ଟ ପ୍ରସ୍ତୁତ କରିପାରୁ ନାହାନ୍ତି ଆମିକସ୍‌ କୁ୍ୟରୀ । ଏଭଳି ଦ୍ୱନ୍ଦ୍ୱାତ୍ମକ ପରିସ୍ଥିତି ପାଇଁ ଅଟକି ଯାଇଛି ଉଚ୍ଛେଦ ଅଭିଯାନ । ଆସନ୍ତା ଅକ୍ଟୋବର ପ୍ରଥମ ସପ୍ତାହରେ ପୁଣି ମାମଲା ଉଠିବ ସୁପି୍ରମକୋର୍ଟରେ । କୌଣସି ଅଡ଼ୁଆ ପରିସ୍ଥିତି ଏଡ଼ାଇବା ପାଇଁ ଏବେ ଜିଲା ପ୍ରଶାସନ କ୍ଷତିଗ୍ରସ୍ତଙ୍କ ଠାରୁ ସମ୍ମତିପତ୍ର ଆଣିବା ପାଇଁ ଯେଭଳି ଅଣ୍ଟା ଭିଡ଼ିଛନ୍ତି, ତାହା ସାରା ପୁରୀରେ ଚର୍ଚ୍ଚାର ବିଷୟବସ୍ତୁ ହୋଇଛି । ତେଣେ ମୁଖ୍ୟମନ୍ତ୍ରୀଙ୍କ ଥୋପ କେହି ଗିଳୁ ନଥିବାରୁ, ତାହା ମଧ୍ୟ ପ୍ରଶାସନର ମୁନ୍ଦବ୍ୟଥାକୁ ବଢ଼ାଇ ଦେଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*