ଆବାସ ଡକାୟତି : କୋର୍ଟରେ ହାଜର ହେବେ ବିଜଦ ନେତା ରବୀନ୍ଦ୍ର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଧର୍ମଶାଳା

ସ୍ୱଚ୍ଛତାର କଥା କହୁଥିବା ନବୀନ ସରକାର କେତେ ସ୍ୱଚ୍ଛ ତାହାର ପ୍ରମାଣ ଦୁଇଦିନ ତଳେ ନଗଡ଼ା ବିକାଶ ପାଇଁ ଅର୍ଥ ଲୁଟ୍‌ ଘଟଣାରୁ ଜଣାପଡ଼ିଥିଲା । ଏଥିପାଇଁ ଲୋକାୟୁକ୍ତ ୬ ବରିଷ୍ଠ ଅଧିକାରୀଙ୍କୁ ନୋଟିସ୍‌ କରିଥିଲେ । ଏବେ ଆବାସ ଦୁର୍ନୀତି ଘଟଣା ଆସିଛି ପଦାକୁ । ଏହି ଦୁର୍ନୀତି ପାଇଁ ଲୋକାୟୁକ୍ତ ଜଣେ ବିଜଦ ନେତା ଓ ବିଡିଓଙ୍କୁ କୋର୍ଟରେ ହାଜର ହେବାର ନିଦେ୍ର୍ଦଶ ଦେଇଛନ୍ତି । ଘଟଣାଟି ଧର୍ମଶାଳା ବ୍ଲକ୍‌ ତରଞ୍ଜିଆ ଗ୍ରାମପଞ୍ଚାୟତରେ ହୋଇଥିବା ଦୁର୍ନୀତିର । ପୂର୍ବରୁ ରାଜ୍ୟ ସରକାର ଆବାସ ଯୋଜନାରେ ନିଜ ଦଳର ଲୋକଙ୍କୁ ସାମିଲ କରି ପ୍ରକୃତ ହିତାଧିକାରୀଙ୍କୁ ଅଣଦେଖା କରୁଥିବାର ଅଭିଯୋଗ ହେଉଥିଲା । ଏପରିକି ଜଣେ ଜଣେ ବିଜୁ ଜନତା ଦଳର ନେତା ଓ କର୍ମୀ ୨ରୁ ଅଧିକ ଘର ହାତଉଥିବାର ଜଣାପଡ଼ିଥିଲା । ବିଜଦ ନେତାମାନେ ଏହି ଘଟଣାକୁ ମିଛ ବୋଲି କହିଆସୁଥିଲେ । ନିକଟରେ ଭାଜପା ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବଣ୍ଟନରେ ବ୍ୟାପକ ଅନିୟମିତତାର କଥା ଉଠାଯାଇଥିଲା ।
ଏହି ପଞ୍ଚାୟତରେ ଗୋଟିଏ ପରିବାରକୁ ଏକାଧିକ ପକ୍କାଘର ଯୋଗାଇ ଦିଆଯାଇଥିବା ବେଳେ ଅଧିକାଂଶ ଯୋଗ୍ୟ ହିତାଧିକାରୀଙ୍କୁ ବାଦ୍‌ ପକାଯାଇଥିବାର ଅଭିଯୋଗ ଆଣିଥିଲେ ପଞ୍ଚାୟତର ଲୋକମାନେ । ଜିଲାପାଳଙ୍କ ନିକଟରେ ମଧ୍ୟ ଫେରାଦ ହୋଇଥିଲେ । ଏକାଧିକ ପକ୍କାଘର ହାତେଇଥିବା ବ୍ୟକ୍ତିଜଣକ ହେଉଛନ୍ତି ରବୀନ୍ଦ୍ର ପରିଡ଼ା । ସେ ତରଞ୍ଜିଆ ପଞ୍ଚାୟତର ବିଜଦ ସଭାପତି ହୋଇଥିବାରୁ ଶାସକ ଦଳ ଚାପରେ ଏସବୁକୁ ଅଣଦେଖା କରାଯାଉଥିଲା । ତରଞ୍ଜିଆ ଗ୍ରାମବାସୀମାନେ ନ୍ୟାୟ ପାଇବାରୁ ବଞ୍ଚିତ ହେଉଥିବା ଦେଖି ସାମାଜିକ କର୍ମୀ ସର୍ବେଶ୍ୱର ବେହୁରା ପ୍ରଥମେ ଜିଲାପାଳ ଓ ପରେ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ କରିଥିଲେ । ବିଜଦ ନେତା ରବୀନ୍ଦ୍ର ହୁଡ୍‌କୋରୁ ଏକ ଘର ପାଇଥିଲା ବେଳେ ପରେ ଇନ୍ଦିରା ଆବାସ ଘର ପାଇଥିଲେ । ପରେ ତାଙ୍କର ଦୁଇ ଅବିବାହିତ ପୁଅ ମଧ୍ୟ ବିଜୁ ପକ୍କାଘର ହାତେଇଛନ୍ତି ।
ଏବେ ଏହି ପରିବାରକୁ ପୁନର୍ବାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାଯାଇଥିବା ତାଲିକାରୁ ଜଣାପଡ଼ିଛି । ଯୋଗ୍ୟ ହିତାଧିକାରୀ ଗ୍ରାମରେ ଥିଲେ ମଧ୍ୟ ସେମାନେ ଲାଞ୍ଚ ଦେଇପାରୁନଥିବାରୁ ତାଙ୍କୁ ଅଯୋଗ୍ୟ ଘୋଷିତ କରାଯାଉଥିବା ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ ଆଣିଥିଲେ ସର୍ବେଶ୍ୱର ।
ସର୍ବେଶ୍ୱରଙ୍କ ଅଭିଯୋଗର ଗୁରୁତ୍ୱକୁ ଉପଲବ୍ଧ କରି ଲୋକାୟୁକ୍ତ ଅକ୍ଟୋବର ୩୧ ତାରିଖରେ ଧର୍ମଶାଳା ବିଡିଓ, ରବୀନ୍ଦ୍ର ପରିଡ଼ା ଏବଂ ତରଞ୍ଜିଆ ଗ୍ରାମପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ନୋଟିସ୍‌ ଜାରି କରିଥିଲେ । ତେବେ ୩୧ ତାରିଖରେ ବିଡିଓ ନିଜେ ହାଜର ନହୋଇ ତାଙ୍କ ପ୍ରତିନିଧିଙ୍କୁ ପଠାଇଥିଲେ । ଦୁର୍ନୀତି କରି ଘର ହାତେଇଥିବା ରବୀନ୍ଦ୍ର ମଧ୍ୟ ହାଜର ହୋଇନଥିଲେ । ଘଟଣାରେ ସାଂଘାତିକ ଦୁର୍ନୀତିର ଗନ୍ଧ ବାରି ଲୋକାୟୁକ୍ତ, ଧର୍ମଶାଳା ବିଡିଓ ଏବଂ ବିଜଦ ନେତା ରବୀନ୍ଦ୍ର ପରିଡ଼ାଙ୍କୁ ପୁଣି ନୋଟିସ୍‌ ଜାରି କରିଛନ୍ତି । କୁହାଯାଇଛି ଯେ, ବିଡିଓ ଯେଉଁ ଉତ୍ତର ରଖିଛନ୍ତି ସେଥିରୁ ଘଟଣା ବୁଝାପଡୁନାହିଁ । କେଉଁ ଆଧାରରେ ରବୀନ୍ଦ୍ରଙ୍କୁ ଏବଂ ତାଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ବିଭିନ୍ନ କଲ୍ୟାଣମୂଳକ ଯୋଜନାରେ ଅଧିକ ଆବାସ ମିଳିଛି ତା’ର ଉତ୍ତର ବିଡିଓ ମଧ୍ୟ ଦେଇପାରିନାହାନ୍ତି । ତେଣୁ ବିଡିଓଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ କଡ଼ା ନିଦେ୍ର୍ଦଶ ଦେଇଛନ୍ତି ଲୋକାୟୁକ୍ତ । ଏହି ଦିନ ହିତାଧିକାରୀ ବିଜଦ ନେତା ରବୀନ୍ଦ୍ର ପରିଡ଼ା ଓ ତାଙ୍କ ଦୁଇପୁଅ ମଧ୍ୟ ହାଜର ହେବେ କୋର୍ଟଙ୍କ ଆଗରେ । ହାଜିର ଦିନ ରବୀନ୍ଦ୍ର ପରିଡ଼ା ଏବଂ ତାଙ୍କ ପରିବାରକୁ କେଉଁ ଆଧାରରେ ୪ଟି ଘର ମିଳିଛି ତା’ର ତଥ୍ୟ ଉପସ୍ଥାପିତ କରିବାକୁ ନିଦେ୍ର୍ଦଶ ଦିଆଯାଇଛି । ଏହି ମାମଲାର ଶୁଣାଣି ଡିସେମ୍ବର ୨ ତାରିଖରେ ହେବ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*