ଆଦିତ୍ୟ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଅଡି ବସିଛି ଶିବସେନା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ନୂଆଦିଲ୍ଲୀ

ମହାରାଷ୍ଟ୍ରରେ ଭାଜପା-ଶିବସେନା ଗଠବନ୍ଧନକୁ ସ୍ପଷ୍ଟ ବହୁମତ(୧୬୧ ଆସନ) ମିଳିଛି । ହେଲେ ୫୦-୫୦ ଫର୍ମୁଲାକୁ ନେଇ ଦୁଇ ସହଯୋଗୀ ଦଳଙ୍କ ମଧ୍ୟରେ ଅଛିନ୍ଦା ରାଜନୀତି କାରଣରୁ ସତ୍ତା ସମୀକରଣ ନେଇ ବୟାନ ଆସିବାରେ ଲାଗିଛି । ମହାରାଷ୍ଟ୍ର କଂଗ୍ରେସ ଅଧ୍ୟକ୍ଷ ବାଲା ସାହାବ ଥୋରାଟ ଗଠବନ୍ଧନ ସରକାର ସଂପର୍କିତ ପ୍ରଶ୍ନର ଉତ୍ତରରେ ଶିବସେନା ପକ୍ଷରୁ ମେଣ୍ଟ ନେଇ କୌଣସି ପ୍ରସ୍ତାବ ଆସିନାହିଁ । ଯଦି ଶିବସେନା ପକ୍ଷରୁ ସେପରି କୌଣସି ପ୍ରସ୍ତାବ ଆସେ, ତେବେ ଆମେ ଦଳୀୟ ହାଇକମାନ୍ଦଙ୍କ ସହ ଆଲୋଚନା କରିବୁ । ଅନ୍ୟପଟେ ରାକପା ଅଧ୍ୟକ୍ଷ ଶରଦ ପାୱାର ଏପରି ଗଠବନ୍ଧନର ସମ୍ଭାବନାକୁ ଖାରଜ୍‌ କରିଦେଇଛନ୍ତି । ସେ ଆମେ ଦୃଢ ବିରୋଧୀ ଦଳର ଭୂମିକା ନିର୍ବାହ କରିବୁ ବୋଲି କହିଛନ୍ତି । ପ୍ରକାଶ ଥାଉ କି, ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ଭାଜପା ପାଖରେ ୧୦୫, ଶିବସେନା ପାଖରେ ୬୪, ରାକପା ପାଖରେ ୫୪ ଏବଂ କଂଗ୍ରେସ ନିକଟରେ ୪୪ ଆସନ ରହିଛି ।
ଉପ-ମୁଖ୍ୟମନ୍ତ୍ରୀ ନୁହେଁ, ଆଦିତ୍ୟଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁଛି ଶିବସେନା
ଶିବସେନା-ଭାଜପା ମେଣ୍ଟ ମହାରାଷ୍ଟ୍ରରେ ସରକାର ଗଢିବା ନେଇ ସ୍ପଷ୍ଟ ହୋଇଯାଇଥିବାବେଳେ ଶିବସେନା ଯୁବ ନେତା ଆଦିତ୍ୟ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ କରାଯିବା ଜିଦ୍‌ରେ ଅଡି ବସିଥିବା ଜଣାପଡିଛି । ଏପରିକି ଦଳ ଆଦିତ୍ୟଙ୍କ ପାଇଁ ଉପ-ମୁଖ୍ୟମନ୍ତ୍ରୀ ପଦ ମଧ୍ୟ ଚାହୁଁନାହିଁ । ରିପୋର୍ଟ ଅନୁଯାୟୀ, ନବ-ନିର୍ବାଚିତ ଅଧିକାଂଶ ଶିବସେନା ନେତା ଆଦିତ୍ୟଙ୍କୁ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କରାଯିବା ପାଇଁ ଦାବି କରୁଛନ୍ତି । ଏପରିକି ଓର୍ଲିରେ ଆଦିତ୍ୟଙ୍କ ଏକ ପୋଷ୍ଟର ମଧ୍ୟ ଲଗାଯାଇଛି, ଯେଉଁଥିରେ ତାଙ୍କୁ ମୁଖ୍ୟମନ୍ତ୍ରୀଭାବେ ଦର୍ଶାଯାଇଛି । ଯଦିଓ ଏପର୍ଯ୍ୟନ୍ତ ଏନେଇ କିଛି ଘୋଷଣା କରାଯାଇନାହିଁ, ତଥାପି ଯଦି ଶିବସେନାର ଦାବି ପୂରଣ ହୁଏ, ତେବେ ଆଦିତ୍ୟ ଠାକରେ ମହାରାଷ୍ଟ୍ରର ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ହେବେ । ପ୍ରକାଶ ଥାଉ କି, ମହାରାଷ୍ଟ୍ର ନିର୍ବାଚନ ପୂର୍ବରୁ ଉଭୟ ଭାଜପା ଏବଂ ଶିବସେନା ୫୦-୫୦ ଫର୍ମୁଲାରେ ସୟମତ ହୋଇଥିଲେ । ଏବେ ଏହି ଫର୍ମୁଲାକୁ ଲାଗୁ କରିବାକୁ ଶିବସେନା ଅଡି ବସିଛି ।
ଜନମତ ଭାଜପା ବିରୋଧରେ: ଥୋରାଟ
ବିଧାନସଭା ନିର୍ବାଚନର ଜନମତ ଭାଜପା ବିରୋଧରେ ବୋଲି କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ ବାଲା ସାହେବ ଥୋରାଟ । ଆମେ ଜନତାଙ୍କ ନିଷ୍ପତ୍ତିକୁ ସ୍ୱୀକାର କରିଛୁ ଏବଂ ଏକ ଦୃଢ ବିରୋଧୀ ଦଳର ଭୂମିକା ନିର୍ବାହ ପାଇଁ ପ୍ରସ୍ତୁତ ଅଛୁ । ଆମକୁ କମ୍‌ ଆସନ ମିଳିଛି । ଜନତା ଆମକୁ ୫ ବର୍ଷ ପାଇଁ ପୁଣିଥରେ ବିପକ୍ଷର ଭୂମିକା ନିର୍ବାହ ପାଇଁ ମନୋନୀତ କରିଛନ୍ତି ବୋଲି ସେ କହିଛନ୍ତି ।
ଆମ କାମ ଭଲରେ ନିର୍ବାହ କରିବୁ: ପାୱାର
ନିଜ ଦମ୍‌ରେ ନିର୍ବାଚନ ଲଢି ୫୪ଟି ଆସନରେ ବିଜୟୀ ହୋଇଥିବା ରାକପାର ଅଧ୍ୟକ୍ଷ ଶରଦ ପାୱାର ମଧ୍ୟ ଶକ୍ତିଶାଳୀ ବିରୋଧୀ ଦଳର ଭୂମିକା ନିର୍ବାହ କରିବୁ ବୋଲି କହିଛନ୍ତି । ଲୋକେ ଆମକୁ ବିରୋଧୀ ଦଳ ହେବାର ସୁଯୋଗ ଦେଇଛନ୍ତି । ଆମେ ଆମ କାମ ଖୁବ୍‌ ଭଲରେ କରିବୁ ବୋଲି ପାୱାର କହିଛନ୍ତି । ଏହାପୂର୍ବରୁ ଗୁରୁବାର ନିର୍ବାଚନ ଫଳାଫଳ ବାହାରିବା ପରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ପୃଥ୍ୱୀରାଜ ଚୌହାନ ସମସ୍ତଙ୍କୁ ଚକିତ କରିବା ଭଳି ବୟାନ ଦେଇଥିଲେ । ସେ କହିଥିଲେ ଯେ, ଭାଜପାକୁ କ୍ଷମତାରୁ ଦୂରରେ ରଖିବା ପାଇଁ ଶିବସେନା ଏବଂ ରାକପା ସାଥୀ ହୋଇପାରନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*