ଆଦର୍ଶ ବିଦ୍ୟାଳୟ ବନାମ ମୋ ସ୍କୁଲ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ରାଜ୍ୟର ସ୍ୱାସ୍ଥ୍ୟ ସେକ୍ଟରର ଅବସ୍ଥା କ’ଣ, ସେକଥା ଗଞ୍ଜାମରୁ ଜଣାପଡ଼ିଗଲାଣି । ଖୋଦ୍‌ ଅତିରିକ୍ତ ମୁଖ୍ୟ ସଚିବ ମହାପାତ୍ର ମହୋଦୟ ମାନି ବି ଯାଇସାରିଲେଣି । ତା’ଠୁ କଦର୍ଯ୍ୟ ରାଜ୍ୟର ଶିକ୍ଷା ବ୍ୟବସ୍ଥା । କହି ହଉନି କି ସହି ହଉନି ।
କଅଣ ମନକୁ ଆଇଲା କେଜାଣି ମୁଖିଆଙ୍କର ଶିକ୍ଷା କ୍ଷେତ୍ରକୁ ଦି’ ଭାଗ କରିଦେଲେ । ସିବିଏସ୍‌ଇ ଢାଞ୍ଚାରେ ଆଦର୍ଶ ବିଦ୍ୟାଳୟ ଓ ଓବିଏସ୍‌ଇ ଅନୁବନ୍ଧିତ ସ୍କୁଲଗୁଡ଼ିକ ପାଇଁ ମୋ ସ୍କୁଲ । ଆଦର୍ଶ ବିଦ୍ୟାଳୟ ବୁଝାସୁଝା କରୁଚନ୍ତି ଶିକ୍ଷାବିତ୍‌ କହନ୍ତୁ କି ଶିକ୍ଷା ବେପାରୀ ବିଜୟ ସାହୁ । ୟେ ଭଦ୍ର ବ୍ୟକ୍ତିଙ୍କର ସାଇ ସ୍କୁଲ ଅଛି । ତାଙ୍କୁ ଦେଇଚନ୍ତି ଆଦର୍ଶ ବିଦ୍ୟାଳୟ ଦାୟିତ୍ୱ । ପୁଣି ଖୁସି କରିବାକୁ ଯାଇ ରାଜ୍ୟ ମନ୍ତ୍ରୀ ପାହ୍ୟା । କାରଣ କ’ଣ? ବାବୁଙ୍କ ସ୍କୁଲରେ ବଡ଼ ବାବୁମାନଙ୍କ ପୁଅ, ଝିଅ ପଢନ୍ତି । ଏଇ ବାବୁଙ୍କ ସ୍କୁଲର ପିଲାମାନେ କଳିଙ୍ଗ ଷ୍ଟାଡିୟମ୍‌ରେ ଖେଳ ଆୟୋଜନ କରି ଷ୍ଟାଡିୟମ୍‌ ନଷ୍ଟ କରିପାରନ୍ତି । ଆହୁରି ବି ମେହେର୍‌ବାନ୍‌ ସରକାର । ବିଜୟ ବାବୁଙ୍କୁ ଶ୍ରୀମନ୍ଦିର ପରିଚାଳନା ସମିତିରେ ଆୟ ବ୍ୟୟ ହିସାବ ରଖିବାକୁ ଦାୟିତ୍ୱ ଦେଇଥିଲେ ଯେ ଘରୋଇ ବ୍ୟାଙ୍କରେ ଟଙ୍କା ରଖି ବୁଡ଼ଉ ବୁଡ଼ଉ ନିର୍ମଳାଙ୍କ ଯୋଗୁଁ ଠାକୁର ଟଙ୍କା ରହିଗଲା ।
ବିଜୟ ବାବୁଙ୍କୁ ଆଦର୍ଶ ବିଦ୍ୟାଳୟ, ରାଜ୍ୟ ମନ୍ତ୍ରୀ ପାହ୍ୟା ଦିଅନ୍ତୁ କିଛି କ୍ଷତି ନାହିଁ । ବାବୁମାନଙ୍କ ପିଲା ଯେତେବେଳେ ପଢୁଚନ୍ତି, ଦୟା ତ ଦେଖେଇବେ! ହେଲେ ନିଜ ସ୍କୁଲର ଅଭିଭାବକ ସଂଘକୁ ଭେଟିବା ପାଇଁ ବାବୁ ଆଗ୍ରହୀ ନୁହଁନ୍ତି । ଓଲଟି କିଛି ମାମଲା ବି ଗଲାଣି ଥାନାକୁ । କୋଭିଡ୍‌ ପାଇଁ ସ୍କୁଲ ବନ୍ଦ । କିନ୍ତୁ ଡେ ବୋର୍ଡିଂ ଚାର୍ଜେସ୍‌ ଛାଡ଼ୁନାହାଁନ୍ତି ପିଲାଙ୍କୁ । ପିଲା ଦେବେ ଫୁଲ୍‌ ଦରମା । ଯଉଁ ମୁଖିଆ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ଦେଇଚନ୍ତି ତାଙ୍କ ଅନୁରୋଧକୁ ବି ଆଦର୍ଶ ଶିକ୍ଷାବିତ୍‌ ନିଜ ସ୍କୁଲରେ ଲାଗୁ କରୁନାହାଁନ୍ତି । ଏଣେ ସରକାରଙ୍କ ମଡେଲ୍‌ ସ୍କୁଲ ଅବସ୍ଥା ନକହିଲେ ଭଲ । ବହୁ ସ୍କୁଲରେ ଶିକ୍ଷକ ନିଯୁକ୍ତି ହଉନାହାଁନ୍ତି ।
ଗରିବଙ୍କ ପରି ଅବସ୍ଥା ମୋ ସ୍କୁଲର । ସରକାରୀ ଓ ଅନୁଦାନପ୍ରାପ୍ତ ଓଡ଼ିଆ ସ୍କୁଲରେ ନ’ଅଙ୍କ ଦୁର୍ଭିକ୍ଷ ଅବସ୍ଥା । ଖାଲି ନାଇଁ ନାଇଁ । ମୋ ସ୍କୁଲ ଦାୟିତ୍ୱ ମିଳିଚି ସୁସ୍ମିତା ବାଗ୍‌ଚୀଙ୍କୁ । ତାଙ୍କୁ ବି ରାଷ୍ଟ୍ରମନ୍ତ୍ରୀ ପାହ୍ୟା । ସ୍ୱାମୀ ତାଙ୍କର କ୍ୟାବିନେଟ୍‌ ପାହ୍ୟାରେ ଅଛନ୍ତି । ତାଙ୍କର କୋଭିଡ୍‌ ଜ୍ଞାନ ବି କାହିଁରେ କେତେ । ଏଣେ ସୁସ୍ମିତା ସମ୍ଭାଳୁଚନ୍ତି ମୋ ସ୍କୁଲ । ମୋ ସ୍କୁଲ ଅବସ୍ଥା କହିଲେ ପୁରାଣ ହେଇଯିବ । ଇଂରାଜୀ ସ୍କୁଲକୁ ଦେଖି ଅନ୍‌ଲାଇନ୍‌ରେ ପାଠ ପଢାଇବାକୁ ବାହାରିଚନ୍ତି ସରକାର । ହେଲେ ପିଲାଙ୍କ ହାତରେ ମୋବାଇଲ ଥିଲେ ସିନା? ମୋବାଇଲ ଥିଲା ବେଳକୁ ଇଣ୍ଟରନେଟ୍‌ ନାହିଁ । ଏମିତି ଖବର ବି ଆସିଲାଣି ଯେ ଗଛ ଉପରେ, ପାହାଡ଼ ଉପରେ ବସି ମୋବାଇଲରେ ପାଠ ପଢୁଚନ୍ତି ପିଲା । ଏହାକୁ କହନ୍ତି ନବୀନ ମଡେଲ୍‌ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*