ଆତଙ୍କବାଦକୁ ନିପାତ କରିବାକୁ ସେନା ସଂକଳ୍ପବଦ୍ଧ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ

ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ରେଡ଼ିଓ କାର୍ଯ୍ୟକ୍ରମ ‘ମନ୍ କୀ ବାତ୍’ର ୫୩ତମ ସଂସ୍କରଣ ତଥା ଚଳିତ ବର୍ଷର ଦ୍ୱିତୀୟ କାର୍ଯ୍ୟକ୍ରମ ପ୍ରସାରିତ ହୋଇଛି । “ଆଜିର କାର୍ଯ୍ୟକ୍ରମ ହେଉଛି ଭାରି ନିଆରା, ୧୧ଟା ବେଳେ ନିଶ୍ଚୟ ଶୁଣିବେ” । “ପରେ କହିବେନି ଯେ, ଆଗରୁ କହିନି ବୋଲି” ପ୍ରଧାନମନ୍ତ୍ରୀ ରବିବାର ସକାଳ ୯.୧୫ରେ ଟ୍ୱିଟ୍ କରି ଏହି ସୂଚନା ଦେଇଥିଲେ । ପ୍ରସାରଣ ଆରମ୍ଭରୁ ପ୍ରଧାନମନ୍ତ୍ରୀ ପୁଲୱାମା ସହିଦ୍ ଯବାନଙ୍କ ପ୍ରତି ଶୋକବ୍ୟକ୍ତ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତମାତାର ବୀରପୂତ୍ରଙ୍କୁ ହରେଇବାର ଆବେଗ କେବଳ ମୁଁ କିମ୍ବା ଆପଣଙ୍କ ମନରେ ନାହିଁ ଏହା ପୁରା ବିଶ୍ୱର ମାନବତାବାଦ ସମର୍ଥନରେ ଥିବା ସଭିଙ୍କ ମନରେ ରହିଛି । ଆକ୍ରମଣର ଶହେ ଘଣ୍ଟା ଭିତରେ ଆକ୍ରମଣକାରୀଙ୍କୁ ତାଙ୍କରି ଭାଷାରେ କଡ଼ା ଜବାବ୍ ଦିଆଯାଇଛି । ଆତଙ୍କବାଦକୁ ସମୂଳେ ଧ୍ୱଂସ କରିବା ପାଇଁ ଆମର ସେନା ସଂକଳ୍ପ ନେଇସାରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ବୀର ଯବାନମାନଙ୍କ ବଳିଦାନ ବିଷୟରେ ପ୍ରଶଂସା କରି ପ୍ରଣାମ ଜଣାଇଥିଲେ । କାର୍ଯ୍ୟକ୍ରମ ଭିତରେ ପ୍ରଧାନମନ୍ତ୍ରୀ ଓଡ଼ିଆ ଯବାନ ପ୍ରସନ୍ନ ସାହୁଙ୍କ ଅଦମ୍ୟ ସାହସକୁ ଭୂରି ଭୂରି ପ୍ରଶଂସା କରିବା ସହ ତାଙ୍କ ପୁଅ ସେନାରେ ଯୋଗଦେବାର ଆଶା ଦେଖି ସେ ଅତ୍ୟନ୍ତ ଗର୍ବିତ ବୋଲି କହିଥିଲେ ।
ଆଜିର କାର୍ଯ୍ୟକ୍ରମ ପରେ ଦୁଇମାସ ଯାଏଁ ମୁଁ ଆଉ ‘ମନ୍ କୀ ବାତ୍’ କାର୍ଯ୍ୟକ୍ରମ କରିବିନି । ଲୋକସଭା ନିର୍ବାଚନ ପାଇଁ ମାର୍ଚ୍ଚ ଓ ଏପ୍ରିଲରେ ରେଡ଼ିଓରେ ଆସିବିନି । ଆସନ୍ତା ନିର୍ବାଚନରେ ଆମେ ସମସ୍ତେ ବ୍ୟସ୍ତ ରହିବୁ, ଆଉ ମୁଁ ବି ନିର୍ବାଚନରେ ଛିଡ଼ା ହେଉଛି । ଗଣତନ୍ତ୍ରକୁ ସମ୍ମାନ ଦେଇ ଆଗାମୀ କାର୍ଯ୍ୟକ୍ରମ ମେ’ ମାସର ଶେଷ ରବିବାରରେ ଆସିବ । ମାର୍ଚ୍ଚ ଓ ଏପ୍ରିଲ ଦୁଇମାସର ଅଭିଜ୍ଞତା ଓ ମନର କଥା ସବୁ ମେ ମାସରେ କହିବି । ସୋମବାର ଜାତୀୟ ଯୁଦ୍ଧ ସ୍ମୃତିଗାର ଉଦ୍ଘାଟନ କରିବାର ସୂଚନା ଦେଇଥିଲେ ପ୍ରଧାନମନ୍ତ୍ରୀ । ସେ କହିଥିଲେ, ମୁଁ ଆଶ୍ଚର୍ଯ୍ୟ ଥିଲି ଯେ ଆମ ଦେଶରେ ଯୁଦ୍ଧ ସ୍ମୃତିଗାର ଆଦୌ ନଥିଲା । ବୀରପୂତ୍ରମାନଙ୍କ ବଳିଦାନର ଗାଥାକୁ ସାଇତି ରଖିବା ଲାଗି ଦେଶରେ ଗୋଟିଏ ସ୍ମୃତିଗାର ରହିବା ଆବଶ୍ୟକ । ଯାହା ସୋମବାର ଉଦ୍ଘାଟନ ହେବାକୁ ଯାଉଛି । ବୀରପୂତ୍ରମାନଙ୍କ ବଳିଦାନରେ ଋଣୀ ହୋଇଥିବା ଦେଶ ଏ ମାଧ୍ୟମରେ କିଛିଟା ଶୁଝିବାକୁ ପ୍ରୟାସ କରିବ । କାର୍ଯ୍ୟକ୍ରମ ବିଷୟରେ ସାଧାରଣ ଜନତାଙ୍କଠାରୁ ମିଳିଥିବା ମତାମତ ପଢ଼ି ବିର୍ସା ମୁନ୍ଦାଙ୍କର ବୀରତ୍ୱ ଏବଂ ତାଙ୍କ ସଂଗ୍ରାମ ବିଷୟ ଯୁବବର୍ଗଙ୍କ ଲାଗି ପ୍ରେରଣାଦାୟୀ ବୋଲି କହିଥିଲେ । ଟାଟା ପ୍ରତିଷ୍ଠାତା ଜାମ୍ଶେଦ୍ଜୀଙ୍କ ଶିକ୍ଷା ଦିଗରେ ଅବଦାନକୁ ଭୂୟସୀ ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ ।
ରବିବାରର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଓଡ଼ିଶାର ‘କେନାଲ ମ୍ୟାନ୍’ଦୈତାରୀ ନାୟକଙ୍କ ଉଦ୍ୟମକୁ ବି ଖୁବ୍ ପ୍ରଶଂସା କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଦୈତାରୀ ପାହାଡ଼ କାଟି ୩ କିଲୋମିଟର କେନାଲ ଖୋଳିପାରିଛନ୍ତି । ଚାକଚକ୍ୟଠାରୁ ଦୂରରେ ରହି ସମାଜ ପାଇଁ କାମ କରୁଥିବା ବ୍ୟକ୍ତିଙ୍କ ବିଶେଷଙ୍କ ବିଷୟରେ କହିବାକୁ ଯାଇ ମୋଦି ଦୈତାରୀଙ୍କ ନାମ ନେଇଥିଲେ । ଯେଉଁଥିରେ ଗୁଜୁରାଟର ‘ରୋଗନ ଚିତ୍ରକଳା’କୁ ପୁନର୍ଜୀବିତ କରିଥିବା ଅବଦୁଲ ଗଫୁର ଖତ୍ରୀଙ୍କର ନାମ ବି ନେଇଥିଲେ । ଚଳିତ ବର୍ଷ ପଦ୍ମ ପୁରସ୍କାର ପାଇଥିବା ବ୍ୟକ୍ତିଙ୍କ ଭିତରେ ୧୨ ଜଣ କୃଷକ ଅଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । କୃଷିକ୍ଷେତ୍ରର ଲୋକ ପଦ୍ମ ତାଲିକାକୁ ଆସିବା ପରିବର୍ତ୍ତିତ ଭାରତର ଜୀବନ୍ତ ଚିତ୍ର ବୋଲି ସେ ପ୍ରକାଶ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*