ଆଜି ସ୍ପଷ୍ଟ ହେବ ୟେଦୁରପ୍ପା ସରକାରଙ୍କ ଭବିଷ୍ୟ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ବେଙ୍ଗାଲୁରୁ

କର୍ଣ୍ଣାଟକରେ ସୋମବାର ୧୫ ବିଧାନସଭା ଆସନରେ ହୋଇଥିବା ଉପ-ନିର୍ବାଚନର ଫଳାଫଳ ବାହାରିବାକୁ ଅଛି । ଏହି ଫଳାଫଳ ହିଁ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପାଙ୍କ ନେତୃତ୍ୱାଧୀନ ୪ ମାସ ପୁରୁଣା ସରକାରର ଭବିଷ୍ୟ ନିର୍ଣ୍ଣୟ କରିବ । ଗତ ଡିସେମ୍ବର ୫ରେ ଉପ-ନିର୍ବାଚନ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ୬୭.୯୧ ପ୍ରତିଶତ ଭୋଟର ନିଜର ମତସାବ୍ୟସ୍ତ କରିଥିଲେ । ସୋମବାର ସକାଳ ୮ଟାରୁ ଅନୂ୍ୟନ ୧୧ଟି କେନ୍ଦ୍ରରେ ଭୋଟଗଣତି ଆରମ୍ଭ ହେବାକୁ ଥିବାବେଳେ ଫଳାଫଳ ଅପରାହ୍ନ ସୁଦ୍ଧା ଜଣାପଡିଯିବ । କଂଗ୍ରେସ ଏବଂ ଜଦଧର ୧୭ ବିଦ୍ରୋହୀ ବିଧାୟକ ଅଯୋଗ୍ୟ ଘୋଷଣା କରାଯିବା ପରେ ଖାଲି ହୋଇଥିବା ଆସନ ପାଇଁ ଏହି ଉପ-ନିର୍ବାଚନ ଅନୁଷ୍ଠିତ ହୋଇଛି । ୪ ମାସ ତଳେ ଏହି ୧୭ ବିଧାୟକଙ୍କ ବିଦ୍ରୋହ ଯୋଗୁ କର୍ଣ୍ଣାଟକର କୁମାରସ୍ୱାମୀ ସରକାର ଭାଙ୍ଗିଯାଇଥିଲା । ଏହାପରେ ଭାଜପା କ୍ଷମତାକୁ ଆସିଥିଲା । ଉପ-ନିର୍ବାଚନ ଅନୁଷ୍ଠିତ ହୋଇଥିବା ୧୫ଟି ଆସନରୁ ୧୨ଟି ଆସନ କଂଗ୍ରେସ ଏବଂ ୩ଟି ଜଦଧ ପାଖରେ ରହିଛି ।
୬ଟି ଆସନ ଆବଶ୍ୟକ କରୁଛି ଭାଜପା
ଉପ-ନିର୍ବାଚନର ପରିଣାମ ଭାଜପା ପାଇଁ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ ଅଟେ । ବହୁମତ ବଜାୟ ରଖିବା ସକାଶେ ଭାଜପା ଅତି କମ୍‌ରେ ୬ଟି ଆସନ ଆବଶ୍ୟକ କରୁଛି । ଗତ ଜୁଲାଇ ମାସରେ ୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭାର ୧୭ ବିଦ୍ରୋହୀ ବିଧାୟକ ଅଯୋଗ୍ୟ ଘୋଷିତ ହେବା ପରେ ଏହି ସଂଖ୍ୟା ୨୦୮କୁ ଖସିଆସିଥିଲା । ଏହାପରେ ବିଏସ ୟେଦୁରପ୍ପା ନେତୃତ୍ୱାଧୀନ ଭାଜପା ବହୁମତ ପାଇଁ ଆବଶ୍ୟକ ଥିବା ୧୦୫ ବିଧାୟକଙ୍କ ସମର୍ଥନ ଜୁଟାଇ ସରକାର ଗଢିଥିଲା । କର୍ଣ୍ଣାଟକ ବିଧାନସଭାରେ ଏବେବି ୨ଟି ଖାଲି ଆସନ ରହିଛି, ଯେଉଁଠାରେ ହାଇକୋର୍ଟରେ ମାମଲା ଚାଲିଥିବା କାରଣରୁ ଉପ-ନିର୍ବାଚନ ହୋଇନାହିଁ । ବତ୍ତର୍ମାନ ଭାଜପା ନିକଟରେ ୧୦୫ ବିଧାୟକ(ଜଣେ ନିର୍ଦ୍ଦଳୀୟଙ୍କ ସମେତ), କଂଗ୍ରେସ ନିକଟରେ ୬୬ ଏବଂ ଜଦଧ ପାଖରେ ୩୪ ବିଧାୟକ ଅଛନ୍ତି । ଏହାଛଡା ସଦନରେ ଜଣେ ବସପା ବିଧାୟକଳ ନାମାଙ୍କିତ ବିଧାୟକ ଏବଂ ବାଚସ୍ପତି ମଧ୍ୟ ରହିଛନ୍ତି ।
ସୋମବାର ଭୋଟଗଣତି ପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଯାଇଛି । ପୁଲିସ୍‌ ପକ୍ଷରୁ ଭୋଟଗଣତି କେନ୍ଦ୍ର ନିକଟରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏକଜିଟ୍‌ ପୋଲରେ ସ୍ଥାନୀୟ ଗଣମାଧ୍ୟମ ଭାଜପାକୁ ୯-୧୨ ଆସନ ମିଳିବ ବୋଲି ଦାବି କରୁଛନ୍ତି । ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା ମଧ୍ୟ ନିଜର ୫ ବର୍ଷ କାର୍ଯ୍ୟକାଳ ପୁରା କରିବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି । ଅପରପକ୍ଷରେ କଂଗ୍ରେସ ଏବଂ ଜଦଧ ମଧ୍ୟ ଏହା ଆଶା କରୁଛନ୍ତି ଯେ, ଅଯୋଗ୍ୟ ଘୋଷଣା ପରେ ଏବେ ଭାଜପାରୁ ନିର୍ବାଚନ ଲଢୁଥିବା ପ୍ରାର୍ଥୀଙ୍କୁ ଜନତା ଗ୍ରହଣ କରିବେ ନାହିଁ । ସେହିପରି ଫଳାଫଳକୁ ଦେଖି କଂଗ୍ରେସ ଏବଂ ଜଦଧ ଏକାଠି ହେବେ ବୋଲି ଅନୁମାନ କରାଯାଉଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*