ଆଜି ସାଢ଼େ୧୦ଟାରେ ଆସିବ ସୁପ୍ରିମ୍‌କୋର୍ଟଙ୍କ ନିଦେ୍ର୍ଦଶ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ନୂଆଦିଲ୍ଲୀ

ମଙ୍ଗଳବାର ମହାରାଷ୍ଟ୍ର ରାଜନୀତି ଏକ ବଡ ମୋଡ ନେବ ବୋଲି ଆଶା କରାଯାଉଛି । ସକାଳ ୧୦.୩୦ ସମୟରେ ସୁପ୍ରିମକୋର୍ଟ କଂଗ୍ରେସ-ଶିବସେନା-ରାକପା ଆବେଦନ ଉପରେ ରାୟ ଶୁଣାଇବେ । ଏହି ଗଠବନ୍ଧନ ଦେବେନ୍ଦ୍ର ଫଡନାଭିସ୍‌ଙ୍କୁ ମୁଖ୍ୟମନ୍ତ୍ରୀ ଏବଂ ଅଜିତ୍‌ ପାୱାରଙ୍କୁ ଉପ-ମୁଖ୍ୟମନ୍ତ୍ରୀଭାବେ ଶପଥ ଗ୍ରହଣ କରାଇଥିବା ରାଜ୍ୟପାଳ ଭଗତ ସିଂହ କୋଶିୟାରୀଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବା ସହ ତୁରନ୍ତ ଫ୍ଲୋର ଟେଷ୍ଟ ପାଇଁ ଦାବି କରିଥିଲେ । ପୂର୍ବରୁ ରବିବାର ସୁପ୍ରିମକୋର୍ଟ ସଲିସିଟର ଜେନେରାଲଙ୍କୁ ରାଜ୍ୟପାଳଙ୍କ ୨ଟି ଚିଠି ଉପସ୍ଥାପନ କରିବା ପାଇଁ ନିଦେ୍ର୍ଦଶ ଦେଇଥିଲେ । ସୋମବାର ସକାଳ ୧୦.୩୦ରେ ସଲିସିଟର ଜେନେରାଲଙ୍କ ଉକ୍ତ ଚିଠି ଉପସ୍ଥାପନ କ୍ରମେ ସୁପ୍ରିମକୋର୍ଟ ମାମଲାରେ ରାୟ ପ୍ରକାଶ କରିବେ ବୋଲି ଆଶା କରାଯାଉଥିଲା । ହେଲେ ତାହା ହୋଇନଥିଲା । ସୁପ୍ରିମକୋର୍ଟ ଉଭୟ ପକ୍ଷର ଯୁକ୍ତିତର୍କ ଶୁଣିବା ପରେ ରାୟ ସଂରକ୍ଷିତ ରଖିଥିଲେ । ମଙ୍ଗଳବାର ରାୟ ପ୍ରକାଶ ପାଇବ ବୋଲି ଜଷ୍ଟିସ୍‌ ଏନଭି ରମଣ, ଜଷ୍ଟିସ୍‌ ଅଶୋକ ଭୂଷଣ ଏବଂ ଜଷ୍ଟିସ୍‌ ସଞ୍ଜୀବ ଖାନ୍ନାଙ୍କୁ ନେଇ ଗଠିତ ଖନ୍ଦପୀଠ କହିଥିଲେ ।
ସୋମବାର ମଧ୍ୟ କେନ୍ଦ୍ର ସରକାର ପକ୍ଷରୁ ସୁପ୍ରମକୋର୍ଟରେ ମହାରାଷ୍ଟ୍ରରେ ଭାଜପା ପାଖରେ ୫୯ଜଣ ରାକପା ବିଧାୟକଙ୍କ ସମର୍ଥନ ଥିବା କଥା ଦୋହରା ଯିବା ସହ ଏହା ରାଜ୍ୟପାଳଙ୍କୁ ଅଜିତ୍‌ ପାୱାର ଦେଇଥିବା ଚିଠିରୁ ସ୍ପଷ୍ଟ ହୋଇଛି ବୋଲି କହିଥିଲେ । ଏହାସହ ସଲିସିଟର ଜେନେରାଲ ତୁଷାର ମେହେଟା ରାଜ୍ୟପାଳଙ୍କ ନିଷ୍ପତ୍ତି ବାବଦ ଆଗତ ମାମଲା ନେଇ ଜବାବ ରଖିବା ସକାଶେ ୨-୩ ଦିନ ସମୟ ଦେବାକୁ ନିବେଦନ କରିଥିଲେ । ଅନ୍ୟପଟେ ଶିବସେନାର ପକ୍ଷରୁ ଲଢୁଥିବା ବରିଷ୍ଠ ଓକିଲ କପିଲ ଶିବଲ ଯୁକ୍ତି ବାଢିଥିଲେ ଯେ, ରାକପା-ଶିବସେନା-କଂଗ୍ରେସ ଗଠବନ୍ଧନ ନିକଟରେ ୧୫୪ ବିଧାୟକଙ୍କ ସମର୍ଥନ ଥିବା ସଂକ୍ରାନ୍ତ ଦସ୍ତାବିଜ୍‌ ରହିଛି । ତେଣୁ ଭାଜପା ଯଦି ଏହା ନିକଟରେ ସରକାର ଗଢିବା ପାଇଁ ଆବଶ୍ୟକୀୟ ସଂଖ୍ୟା ଥିବା ଦାବି କରୁଛି, ତେବେ ଏହାକୁ ୨୪ ଘଣ୍ଟା ମଧ୍ୟରେ ବହୁମତ ସାବ୍ୟସ୍ତ କରୁ ।
ଏହି ଅବସରରେ ସଲିସିଟର ଜେନେରାଲ, ରାଜ୍ୟପାଳ ଭଗତ ସିଂହ କୋଶିୟାରୀ ନେଇଥିବା ନିଷ୍ପତ୍ତିକୁ ଯଥାର୍ଥ ସାବ୍ୟସ୍ତ କରିବାକୁ ଚେଷ୍ଟା କରିଥିଲେ । ଯେତେବେଳେ ରାଜ୍ୟପାଳଙ୍କ ନିକଟକୁ ଭାଜପା ସହ ରାକପା ବିଧାୟକ ଦଳର ନେତା ଅଜିତ୍‌ ପାୱାର ଯାଇ ୫୪ ବିଧାୟକଙ୍କ ହସ୍ତାନ୍ତର ଥିବା ପତ୍ର ହସ୍ତାନ୍ତର କରିଥିଲେ, ସେତେବେଳେ କ’ଣ ରାଜ୍ୟପାଳ ଏହାର ତନ୍ନ ତନ୍ନ ଯାଞ୍ଚ କରିଥାନ୍ତେ କି? ବୋଲି ସଲିସିଟର ଜେନେରାଲ ପ୍ରଶ୍ନ କରିଥିଲେ । ରାକପା ୫୪ ଏବଂ ନିର୍ଦ୍ଦଳୀୟ ୧୧ ଜଣ ବିଧାୟକଙ୍କ ସମର୍ଥନରେ ଭାଜପା ଏହାର ୧୦୫ ବିଧାୟକଙ୍କ ସହ ସରକାର ଗଠନ କରିବାକୁ ଯେତେବେଳେ ଚାହୁଛି ବୋଲି ରାଜ୍ୟପାଳ ଜାଣିବାକୁ ପାଇଲେ, ସେତେବେଳେ ଭାଜପାକୁ ସରକାର ଗଠନ ପାଇଁ ନଡାକିବା ସକାଶେ ତାଙ୍କ ପାଖରେ କୌଣସି କାରଣ ନଥିଲା । ତାଛଡା ତାପୂର୍ବରୁ ଅନ୍ୟ କୌଣସି ବଡ ଦଳ ସରକାର ଗଠନ ପାଇଁ ସେପର୍ଯ୍ୟନ୍ତ ଦାବି ଉପସ୍ଥାପନ କରିନଥିଲା । ତେଣୁ ରାଜ୍ୟପାଳ ବହୁମତ ସଂଖ୍ୟା ଥିବା ଭାଜପାକୁ ସରକାର ଗଠନ ପାଇଁ ଡାକିଥିଲେ । ଏଥିରେ ରାଜ୍ୟପାଳଙ୍କ ନିଷ୍ପତ୍ତିରେ ଭୁଲ ରହିଲା କେଉଁଠି ବୋଲି ତୁଷାର ମେହେଟା ପ୍ରଶ୍ନ କରିଥିଲେ । ଏହାପରେ ଜଷ୍ଟିସ୍‌ ଖାନ୍ନା ଏବେ ଫଡନଭିସ୍‌ଙ୍କ ନିକଟରେ ବହୁମତ ସାବ୍ୟସ୍ତ ସକାଶେ ଆବଶ୍ୟକୀୟ ସଂଖ୍ୟା ଅଛି କି? ବୋଲି ପ୍ରଶ୍ନ କରିବା ପରେ ସଲିସିଟର ଜେନେରାଲ ଜଣା ନାହିଁ ବୋଲି କହିଥିଲେ ।
ଆଗକୁ କ’ଣ?
ସୁପ୍ରିମକୋର୍ଟ ମଙ୍ଗଳବାର ଦୁଇ ପ୍ରକାରର ନିଷ୍ପତ୍ତି ଶୁଣାଇପାରନ୍ତି । ପ୍ରଥମତଃ ଏହାର ଧାର୍ଯ୍ୟ ନଭେମ୍ବର ୩୦ ପୂର୍ବରୁ ଫଡନଭିସ୍‌ ସରକାରଙ୍କୁ ବହୁମତ ସାବ୍ୟସ୍ତ କରିବାକୁ ନିଦେ୍ର୍ଦଶ ଦେଇପାରନ୍ତି ନଚେତ୍‌ ଏହା ମାମଲାକୁ ସାମ୍ବିଧାନିକ ବେଞ୍ଚ ନିକଟକୁ ପଠାଇ ଦେଇପାରନ୍ତି । ଫ୍ଲୋର ଟେଷ୍ଟ ହେଲେ ସରକାର ଗଠନ ନେଇ ରାଜନୀତି ସ୍ପଷ୍ଟ ହୋଇଯିବ । ହେଲେ ଯଦି ମାମଲା ସାମ୍ବିଧାନିକ ଖନ୍ଦପୀଠ ନିକଟକୁ ଯିବ, ତେବେ ଏହା ବହୁ ସମୟ ନେଇପାରେ । ଶୁଣାଣିବେଳେ ଉଠାଯାଇଥିବା ବିଭିନ୍ନ ଆଇନ୍‌ଗତ ପ୍ରଶ୍ନ ଉପରେ ବିସ୍ତୃତ ଆଲୋଚନା ହେବ ।
ଏହା ପୂର୍ବରୁ ରାକପା , କଂଗ୍ରେସ ଏବଂ ଶିବସେନା ନିଜ ପାଖରେ ୧୬୨ ବିଧାୟକଙ୍କ ସମର୍ଥନ ଥିବା ରାଜ୍ୟପାଳଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*