ଆଜି ଓସିଏ ନିର୍ବାଚନ ଆଶୀର୍ବାଦଙ୍କ ପକଡ଼ ରହିବ ନା ନୂଆ ଧାରାର ହେବ ଆରମ୍ଭ?

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର

ଓଡ଼ିଶା କ୍ରୀଡ଼ା ଦୁନିଆରେ ଏବେ କେବଳ ଗୋଟିଏ ଚର୍ଚ୍ଚା । ଓଡ଼ିଶା କ୍ରିକେଟ ଆସୋସିଏସନ୍‌ ପଦାଧିକାରୀ ନିର୍ବାଚନରେ କେଉଁମାନେ ମାରିବେ ବାଜି । ବିଶେଷ କରି ଚର୍ଚ୍ଚା କେନ୍ଦ୍ରୀଭୂତ ହୋଇଛି ଓଡ଼ିଶା କ୍ରୀଡ଼ା ପ୍ରଶାସନ ଉପରେ ବିଶେଷ ଦବଦବା ରଖୁଥିବା ଆଶୀର୍ବାଦ ବେହେରାଙ୍କ କଣ୍ଟ୍ରୋଲ ଓଡ଼ିଶା କ୍ରିକେଟ ଆସୋସିଏସନରେ ଆଗକୁ ବଢ଼ିବ ନା ନୂଆ ଧାରା ଓସିଏରେ ଦେଖାଦେବ । ବହୁ ପ୍ରତିକ୍ଷୀତ ଓସିଏ ନିର୍ବାଚନ ଶୁକ୍ରବାର ଅନୁଷ୍ଠିତ ହେବାକୁ ଯାଉଛି । ଦିନରେ ଭୋଟ ପଡ଼ିବ ଏବଂ ସନ୍ଧ୍ୟା ଛୁଇଁବା ବେଳକୁ ଭୋଟ ଗଣତି ଶେଷ ହୋଇ ଫଳାଫଳ ଆସିଯିବ ବୋଲି ଜଣାପଡ଼ିଛି । ସୁପ୍ରିମକୋର୍ଟଙ୍କ ନିଦେ୍ର୍ଦଶ ପରେ ଲୋଧା କମିଟି ସୁପାରିସ ଆଧାରରେ ଭାରତୀୟ କ୍ରିକେଟ ବୋର୍ଡରେ ପଦାଧିକାରୀମାନଙ୍କ ଲାଗି ବୟସ ସୀମା ତଥା କାର୍ଯ୍ୟକାଳର ଅବଧି ସ୍ଥିର କରାଯାଇଛି । ଯାହା ଅନେକଙ୍କୁ ଏଥର ଓସିଏ ନିର୍ବାଚନରେ ପଦାଧିକାରୀ ଭାବେ ପ୍ରାର୍ଥୀ ହେବାକୁ ସୁଯୋଗ ଦେଇନାହିଁ । ସେହି ନିୟମ ଅନୁସାରେ ଆଶୀର୍ବାଦ ବେହେରା ଏଥର ନିର୍ବାଚନ ଲଢ଼ି ପାରି ନାହାନ୍ତି । ତେବେ ଓଡ଼ିଶା କ୍ରିକେଟ ଆସୋସିଏସନରେ ଗତ ୨ ଦଶନ୍ଧି ଧରି ତାଙ୍କର ଯେଉଁ ପୂର୍ଣ୍ଣ ନିୟନ୍ତ୍ରଣ ରହିଛି ତାହା ଆଗକୁ ବଢ଼ିବ ନା ନାହିଁ ସେ ବିଷୟ ନିର୍ଣ୍ଣୟ କରିବ ଶୁକ୍ରବାର ନିର୍ବାଚନ । ତାଙ୍କ ପୁଅ ତଥା ଓଡ଼ିଶା ଫୁଟବଲ ସଂଘ ବା ଫାଓର କିଛି ଦିନ ତଳ ପର୍ଯ୍ୟନ୍ତ ସମ୍ପାଦକ ଥିବା ସଞ୍ଜୟ ବେହେରା ଓସିଏର ସମ୍ପାଦକ ପ୍ରାର୍ଥୀ ହୋଇଛନ୍ତି । ସବୁ ପଦ ସକାଶେ ତାଙ୍କ ପ୍ୟାନେଲ ପ୍ରାର୍ଥୀ ପ୍ରଦାନ କରିଛି । ତେବେ ନଜର ହେଉଛି ସମ୍ପାଦକ ପଦର ଲଢ଼େଇ ଉପରେ । ସଞ୍ଜୟ ବେହେରାଙ୍କ ବିପକ୍ଷରେ ନିର୍ବାଚନ ଲଢ଼ୁଛନ୍ତି ଅନ୍ୟତମ ଜଣାଶୁଣା କ୍ରୀଡ଼ା ସଙ୍ଗଠକ ନବରଞ୍ଜନ ପଟ୍ଟନାୟକ । ୭୩ ଜଣ ଭୋଟର ଏହି ନିର୍ବାଚନରେ ଦେଇପାରିବେ ଭୋଟ । ଏମାନଙ୍କ ଭିତରୁ ୩ ଜଣ ପାଖକୁ ପୋଷ୍ଟାଲ ବ୍ୟାଲେଟ୍‌ ପଠାଯାଇଥିବା ସୂଚନା ମିଳିଛି । ସିବିଆଇ ଦ୍ୱାରା ଗିରଫ ହୋଇଥିବା ଆଶୀର୍ବାଦ ବେହେରା ଏବେ କଟକ ଏସିବିରେ ଚିକିତ୍ସାଧୀନ ଅଛନ୍ତିି । ପୋଷ୍ଟାଲ ବ୍ୟାଲେଟ୍‌ ମାଧ୍ୟମରେ ସେ ମତଦାନ କରିପାରିବେ । ସେହିପରି ଆର୍ନ୍ତଜାତିକ ଖେଳାଳି ସଞ୍ଜୟ ରାହୁଳ ଏବେ ମ୍ୟାଚ୍‌ ରେଫରୀ ଥିବାରୁ ତାଙ୍କ ପାଖକୁ ମଧ୍ୟ ପୋଷ୍ଟାଲ ବ୍ୟାଲେଟ୍‌ ପଠାଯାଇଛି । ସେହିପରି ପୂର୍ବତଟ ରେଳବାଇ ପକ୍ଷରୁ ମନୋନୀତ ହୋଇଥିବା ପ୍ରତିନିଧି ମଧ୍ୟ ପୋଷ୍ଟାଲ ବ୍ୟାଲେଟରେ ଭୋଟଦାନ କରିବେ ବୋଲି ହେଉଛି ଚର୍ଚ୍ଚା । ସମୟ ଭିତରେ ଏହି ୩ଟି ପୋଷ୍ଟାଲ ବ୍ୟାଲେଟ୍‌ ନିର୍ବାଚନ ଅଧିକାରୀଙ୍କ ନିକଟରେ ପହଞ୍ଚିବା ଦରକାର । ନିଜ ନିଜ ପକ୍ଷକୁ ଏକାଠି କରି ରଖିବାର ପ୍ରୟାସରେ ଅଛନ୍ତି ସମସ୍ତେ । ତେବେ କିଛି ପୋଷ୍ଟ ପାଇଁ କ୍ରସ୍‌ ଭୋଟିଂ ହେବାର ସମ୍ଭାବନା କଥା କୁହାଯାଉଛି । ବିଶେଷ କରି ସଭାପତି ପଦ ପାଇଁ ପ୍ରଦୀପ ଚୌହାନ୍‌ଙ୍କ ସ୍ଥିତି କିଛି ଦିନ ଭିତରେ ଦୃଢ଼ ହୋଇଥିବାର କଥା କୁହାଯାଉଛି । କୌଣସି ପଦବୀରେ ସଫା ବିଜୟ ସକାଶେ ୩୭ଟି ଭୋଟ ଆବଶ୍ୟକ । ଗୁରୁବାର ରାତି ଓ ଶୁକ୍ରବାର ଭୋଟଦାନ ପୂର୍ବ ପର୍ଯ୍ୟନ୍ତ ମନ୍ତ୍ରଣା, ମସୁଧା ଓ ଯୋଗସୂତ୍ର ବନାଇ ରଖିବାର ସମ୍ଭାବନା ଥିବାରୁ କାହାର ଖେଳ ବନିପାରେ ଓ କାହାର ଖେଳ ମଧ୍ୟ ବିଗିଡ଼ି ଯାଇପାରେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*