ଆଜିଠୁ ମାଟ୍ରିକ୍‌ ପରୀକ୍ଷା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : କଟକ
ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ବୋର୍ଡ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ଏହି ପରୀକ୍ଷା ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ଚାଲିବ । ଚଳିତବର୍ଷ ମୋଟ ୫ ଲକ୍ଷ ୮୭ ହଜାର ୭୨୦ ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବା ବେଳେ ସେମାନଙ୍କ ପାଇଁ ମୋଟ ୨ ହଜାର ୯୫୩ଟି ପରୀକ୍ଷା କେନ୍ଦ୍ରର ବ୍ୟବସ୍ଥା କରାଯାଇଛି । ଏମାନଙ୍କ ମଧ୍ୟରେ ମାଟ୍ରିକ ପରୀକ୍ଷା ପାଇଁ ୫ ଲକ୍ଷ ୭୨ ହଜାର ୬୯୯ ଜଣ ଛାତ୍ରଛାତ୍ରୀ ରହିଥିବା ବେଳେ ସେମାନଙ୍କ ପାଇଁ ୨ ହଜାର ୮୩୦ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ସେହିପରି ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ପାଇଁ ୧୨ ହଜାର ୧୨ ଜଣ ଛାତ୍ରଛାତ୍ରୀ ରହିଥିବା ବେଳେ ସେମାନଙ୍କ ପାଇଁ ୭୯ଟି ପରୀକ୍ଷା କେନ୍ଦ୍ରର ବ୍ୟବସ୍ଥା କରାଯାଇଛି ।ମଧ୍ୟମା ପରୀକ୍ଷାର୍ଥୀଙ୍କ ସଂଖ୍ୟା ୩୦୦୯ ଥିବାବେଳେ ସେମାନଙ୍କ ପାଇଁ ୪୪ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ନିୟମିତ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଥମ ସିଟିଂ ୧୦ଟାରୁ ଆରମ୍ଭ ହୋଇ ସାଢେ ୧୨ଟାରେ ଶେଷ ହେବାକୁ ଥିବା ବେଳେ ମଧ୍ୟମା ଓ ଷ୍ଟେଟ ଓପନ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଦ୍ୱିତୀୟ ସିଟିଂ ଦିନ ଦୁଇଟାରୁ ଆରମ୍ଭ ହୋଇ ସାଢେ ଚାରିଟା ବେଳେ ଶେଷ ହେବ । ଚଳିତବର୍ଷ ପରୀକ୍ଷାକୁ ଶାନ୍ତିଶୃଙ୍ଖଳାର ସହ ସମାପନ କରିବା ପାଇଁ ଓ ଗତବର୍ଷ ଅନେକ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଭଳି ଘଟଣାକୁ ଏଡାଇବା ପାଇଁ ବୋର୍ଡ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି । ଗତ ୧୯ ତାରିଖ ସୁଦ୍ଧା ରାଜ୍ୟରେ ୧୯ଟି ଥାନା ସମେତ ମୋଟ ୩୦୪ଟି ନୋଡାଲ ସେଣ୍ଟରକୁ ପରୀକ୍ଷା ଖାତା ଓ ପ୍ରଶ୍ନପତ୍ର ପଠାସରିଥିବା ବୋର୍ଡ ସଂପାଦକ ରାମାଶିଷ ହାଜରା ସୂଚନା ଦେଇଛନ୍ତି । ଏଥିପାଇଁ ୭୦୧ଟି ଡେସ୍ପାଚ୍ ଟିମ୍ କରାଯାଇଥିଲା । ପ୍ରତ୍ୟେକ ପରୀକ୍ଷା ଦିନ ସକାଳ ସାଢେ ୮ଟା ମଧ୍ୟରେ ନୋଡାଲ ସେଣ୍ଟରରୁ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ପଠାଯିବ । ୯.୩୦ରେ ବଡ ପ୍ରଶ୍ନପତ୍ର ପ୍ୟାକେଟ୍ର ସିଲ୍ ସୁପରିନଟେନେ୍ଦଣ୍ଟ ଓ ଡେପୁଟି ସୁପରିନଟେନେ୍ଦଣ୍ଟଙ୍କ ଉପସ୍ଥିତିରେ ଖୋଲାଯିବା ପରେ ୨୪ ଟିକିଆ ପ୍ରଶ୍ନପତ୍ର ବିଶିଷ୍ଟ ଛୋଟ ଛୋଟ ପ୍ୟାକେଟ୍କୁ ପ୍ରତ୍ୟେକ ରୁମ୍କୁ ପଠାଯିିବ । ସେଠାରେ ୯.୪୫ରେ ଛାତ୍ରଛାତ୍ରୀମାନଙ୍କ ଉପସ୍ଥିତିରେ ଅନୁ୍ୟନ ୨ଜଣ ଛାତ୍ରଛାତ୍ରୀଙ୍କ ଦସ୍ତଖତ ନେବା ପରେ ପ୍ୟାକେଟ୍ ଗୁଡିକୁ ଖୋଲାଯାଇ ଛାତ୍ରଛାତ୍ରୀଙ୍କୁ ପ୍ରଶ୍ନପତ୍ର ବଣ୍ଟନ କରାଯିବ । ପରୀକ୍ଷାର୍ଥୀମାନେ ଠିକ୍ ଦଶଟା ସମୟରେ ପ୍ରଶ୍ନପତ୍ରର ସିଲ୍ ଖୋଲିବେ । ଅନୁପସ୍ଥିତ ଥିବା ଛାତ୍ରଛାତ୍ରୀଙ୍କ ପ୍ରଶ୍ନପତ୍ର ବଣ୍ଟନ କରାନଯାଇ ସଂଗେ ସଂଗେ ଅଧୀକ୍ଷକଙ୍କୁ ଫେରସ୍ତ କରାଯିବ । ପୂର୍ବବର୍ଷ ପ୍ରଶ୍ନପତ୍ର ଭାଇରାଲ ଭଳି ସମସ୍ୟାକୁ ରୋକିବା ପାଇଁ ଛାତ୍ରଛାତ୍ରୀଙ୍କୁ ତନଖି ନେବାଭଳି କାର୍ଯ୍ୟରତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀମାନଙ୍କୁ ମଧ୍ୟ ତନଖି ନେବା ପାଇଁ କେନ୍ଦ୍ର ଅଧୀକ୍ଷକଙ୍କୁ ବୋର୍ଡ ପକ୍ଷରୁ କଡା ନିଦେ୍ର୍ଦଶ ଜାରି କରାଯାଇଛି । କେବଳ କେନ୍ଦ୍ର ଅଧୀକ୍ଷକ ଅଫିସ ରୁମ ମଧ୍ୟରେ ତାଙ୍କ ମୋବାଇଲ ଫୋନ ବ୍ୟବହାର କରିପାରିବେ ବୋଲି କୁହାଯାଇଛି । ପରୀକ୍ଷା ସରିବାର ଏକଘଣ୍ଟା ମଧ୍ୟରେ ଅନଲାଇନରେ ସମସ୍ତ ସୂଚନା ବୋର୍ଡକୁ ଦେବା ପାଇଁ ନିଦେ୍ର୍ଦଶନାମା ଜାରି କରାଯାଇଛି । ମାଟ୍ରିକ ପରୀକ୍ଷାରେ କପି ରୋକିବା ପାଇଁ ବୋର୍ଡ ପକ୍ଷରୁ କଡ଼ା ନିୟମ ଜାରି କରାଯାଇଛି । ଏଥିପାଇଁ ଚାରିସ୍ତରୀୟ ସ୍କ୍ୱାଡ୍ ବ୍ୟବସ୍ଥା କରାଯାଇଛି । ଜିଲ୍ଲା ଶିକ୍ଷାଧିକାରୀଙ୍କ ଅଧିନରେ +୨ ମହାବିଦ୍ୟାଳୟର ଅଧ୍ୟାପକ/ଅଧ୍ୟାପିକା ଓ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀଙ୍କୁ ନେଇ ୫୮ଟି ଫ୍ଲାଇଙ୍ଗ ସ୍କ୍ୱାଡ୍ କରାଯାଇଥିବା ବେଳେ ବୋର୍ଡ ପକ୍ଷରୁ ବୋର୍ଡ କର୍ମଚାରୀ ଓ +୨ ମହାବିଦ୍ୟାଳୟର ଅଧ୍ୟାପକ/ଅଧ୍ୟାପିକାଙ୍କୁ ନେଇ ୪୪ଟି ସେଣ୍ଟ୍ରାଲ ସ୍କ୍ୱାଡ୍ର ବ୍ୟବସ୍ଥା କରାଯାଇଛି । ସେହିପରି ଜିଲ୍ଲା ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳ, ତହସିଲଦାର ଓ ବିଡିଓଙ୍କ ସ୍ତରରେ ସ୍କ୍ୱାଡମାନ ଗଠନ କରାଯାଇ ପରୀକ୍ଷା ତଦାରଖ କରିବା ପାଇଁ ବୋର୍ଡ ପକ୍ଷରୁ ନିବେଦନ କରାଯାଇଛି । ସେହିଭଳି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରତ୍ୟେକ ଜିଲ୍ଲା ପାଇଁ ଜଣେ ଜଣେ ନୋଡାଲ ଅଫିସରଙ୍କୁ ନିଯୁକ୍ତି ଦିଆଯାଇ ପରୀକ୍ଷା ତଦାରଖର ଦାୟିତ୍ୱ ନ୍ୟସ୍ତ କରାଯାଇଛି । ଚଳିତବର୍ଷ ପରୀକ୍ଷା କେନ୍ଦ୍ରଗୁଡିକରେ ସିସିଟିଭିର ବ୍ୟବସ୍ଥା କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ବେଳେ ତାହା ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିନାହିଁ । ପ୍ରାଥମିକ ପର୍ଯ୍ୟାୟରେ ୨୮୫ଟି ନୋଡାଲ ସେଣ୍ଟର ସମେତ ମୋଟ ୪୦୪ଟି ସିସିଟିଭି ଲଗାଯାଇଥିବା ସମ୍ପାଦକ ଶ୍ରୀ ହାଜରା ସୂଚନା ଦେଇଛନ୍ତି । ବୋର୍ଡ ପକ୍ଷରୁ ସକାଳ ୭ଟାରୁ ରାତି ୮ଟା ପର୍ଯ୍ୟନ୍ତ କଣ୍ଟ୍ରୋଲ ରୁମ୍ ଖୋଲା ରହିବା ସହ ଦୁଇଟି ହେଲ୍ପଲାଇନର ବ୍ୟବସ୍ଥା କରାଯାଇଛି । ଛାତ୍ରଛାତ୍ରୀ ବା ଅଭିଭାବକମାନେ ୦୬୭୧-୨୪୧୨୦୫୯ ଏବଂ ୦୬୭୧-୨୪୧୨୦୬୦ରେ ଏହି ସମୟ ମଧ୍ୟରେ ଫୋନ କରି ସେମାନଙ୍କ ସମସ୍ୟା ସଂପର୍କରେ ଅବଗତ କରାଇ ପାରିବେ ବୋଲି ଶ୍ରୀ ହାଜରା କହିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*