ଆଜିଠୁ ଐତିହାସିକ ଗୋଲାପୀ ବଲ୍‌ ଟେଷ୍ଟ ଜିତିବାର ଧାରା ଇଡେନରେ ବି ଜାରି ରଖିବ ଟିମ୍‌ ଇଣ୍ଡିଆ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail
  •  ଆକାଶରୁ ଆସିବ ମ୍ୟାଚ ବଲ୍
  •  ଘଣ୍ଟି ବଜାଇବେ ହସିନା ଓ ମମତା
  • ଭାରତର ଖ୍ୟାତନାମା ଖେଳାଳି ହେବେ ସମ୍ବର୍ଦ୍ଧିତ

ଏଜେନ୍ସୀ : କୋଲକାତା

ସର୍ବଶେଷରେ ଭାରତୀୟ କ୍ରିକେଟ ଗୋଲାପୀ ବିପ୍ଳବରେ ସାମିଲ ହେବାକୁ ଯାଉଛି । ଏକାଧିକବାର ଅନିଚ୍ଛା ପ୍ରକାଶ କରିଥିବା ଟିମ୍‌ ଇଣ୍ଡିଆ ଶେଷରେ ଖେଳିବାକୁ ଯାଉଛି ଦିବାରାତ୍ର ଗୋଲାପୀ ବଲ୍‌ ଟେଷ୍ଟ । ବିଶ୍ୱ କ୍ରିକେଟରେ ବିଶେଷ ଖ୍ୟାତି ରଖୁଥିବା ଇଡେନ୍‌ ଗାର୍ଡନ୍ସରେ ଶୁକ୍ରବାର ଠାରୁ ବିରାଟ କୋହଲିଙ୍କ ନେତୃତ୍ୱରେ ଐତିହାସିକ ପ୍ରଥମ ଗୋଲାପୀ ବଲ୍‌ ଟେଷ୍ଟ ମ୍ୟାଚ୍‌ ଖେଳିବା ଆରମ୍ଭ କରିବ ଭାରତୀୟ ଦଳ । ବାଂଲାଦେଶ ବିପକ୍ଷ ଦୁଇଟିକିଆ ଟେଷ୍ଟ ସିରିଜରେ ୧-୦ର ଅଗ୍ରତା ଲାଭ କରିସାରିଥିବା ଭାରତୀୟ ଦଳ ବିଜୟର ସେହି ଧାରା ଇଡେନ ମାଟିରେ ଜାରି ରଖିବାକୁ ବଦ୍ଧ ପରିକର ହୋଇଛି । ନୂଆ ସଭାପତି ସୌରଭ ଗାଙ୍ଗୁଲୀଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ ବୋର୍ଡ ନୂଆଯାତ୍ରା ଆରମ୍ଭ କରି ପ୍ରଥମ ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ ଆୟୋଜନ କରିବା ଲାଗି ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଯାଇଛି । ଟେଷ୍ଟ କ୍ରିକେଟରେ ଦର୍ଶକଙ୍କ ଆଗ୍ରହ ବଢାଇ ରଖିବା ପାଇଁ ପ୍ରାୟ ୭ ବର୍ଷ ତଳୁ ଗୋଲାପୀ ବଲ୍‌ରେ ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ ଖେଳାଯିବା ପାଇଁ ଆଇସିସି ଅନୁମତି ଦେଇଥିଲା ବେଳେ ଭାରତ ଶେଷରେ ଏହାକୁ ଗ୍ରହଣ କରିବାକୁ ଏବେ ରାଜି ହୋଇଛି । ସଭାପତି ପଦ ନେବା ପରେ ସୌରଭ ଭାରତୀୟ ଅଧିନାୟକ ବିରାଟ ଏବଂ ବାଂଲାଦେଶ କ୍ରିକେଟ ବୋର୍ଡର କର୍ମକର୍ତ୍ତାମାନଙ୍କୁ ଦିବାରାତ୍ର ଟେଷ୍ଟ ପାଇଁ ରାଜି କରାଇବାରେ ସକ୍ଷମ ହୋଇଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ୧୧ଟି ଟେଷ୍ଟ ମ୍ୟାଚ୍‌ ଦିବାରାତ୍ର ଭାବରେ ଆୟୋଜିତ ହୋଇସାରିଛି । ୪ବର୍ଷ ତଳେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଦିବାରାତ୍ର ଗୋଲାପୀ ବଲ୍‌ ଟେଷ୍ଟ ମ୍ୟାଚ୍‌ ଆଡିଲେଡ ଠାରେ ଖେଳାଯାଇଥିଲା । ଗତବର୍ଷ ଭାରତ ଅଷ୍ଟ୍ରେଲିଆ ଗସ୍ତ କରୁଥିଲା ବେଳେ ଆଡିଲେଡ ଠାରେ ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ ଆୟୋଜନ ପାଇଁ ଅଷ୍ଟ୍ରେଲିଆ ବୋର୍ଡ ଜୋର ଚାପ ପକାଇଥିଲେ ମଧ୍ୟ ଭାରତୀୟ ଦଳ କିନ୍ତୁ ରାଜି ହୋଇନଥିଲା । ଘରୋଇ ପରିବେଶରେ ମଧ୍ୟ ଗୋଲାପୀ ବଲ୍‌ ବ୍ୟବହାରରେ ଦିବାରାତ୍ରର କ୍ରିକେଟକୁ ନେଇ ସେତେଟା ଆଗ୍ରହ ନଥିଲା ବେଳେ ପରିସ୍ଥିତି ବଦଳିଯାଇଛି ସୌରଭ ସଭାପତି ବନିବା ପରେ ।
ପ୍ରଥମ ଦିବାରାତ୍ର ଟେଷ୍ଟ ମ୍ୟାଚ ପାଇଁ ଇଡେନ୍‌ ବଛାଯିବା ପର ଠାରୁ ଏଠାରେ ବ୍ୟାପକ ଆୟୋଜନ କରାଯାଇଛି । ଭାରତୀୟ ଦଳ ମଧ୍ୟ ପ୍ରଥମ ମ୍ୟାଚ୍‌ ଗୋଲାପୀ ବଲ୍‌ରେ ଖେଳିବା ପାଇଁ ପ୍ରସ୍ତୁତ ହୋଇଯାଇଛି । ଇନେ୍ଦାର ଟେଷ୍ଟ ମ୍ୟାଚ୍‌ ତିନି ଦିନରେ ସାରିବା ପରେ ଭାରତୀୟ ଦଳ ସେଠାରେ ଅଧିକ ଦୁଇଦିନ ରହି ଫ୍ଲଡ୍‌ ଲାଇଟ୍‌ରେ ଗୋଲାପୀ ବଲ୍‌ରେ ଅଭ୍ୟାସ କରିଥିଲେ । ଏହି ଦିବାରାତ୍ର ଟେଷ୍ଟ ମ୍ୟାଚ୍‌କୁ ନେଇ ଆଗ୍ରହ ଓ ଚର୍ଚ୍ଚା ଚରମରେ ଥିଲା ବେଳେ ଅନ୍ୟପଟେ ଟିମ୍‌ ଇଣ୍ଡିଆ ଲଗାତାର ୧୨ତମ ଘରୋଇ ଟେଷ୍ଟ ସିରିଜ ବିଜୟର ନିକଟତର ହୋଇଛି । ଏହି ଦୁଇଟିକିଆ ଟେଷ୍ଟର ପ୍ରଥମ ମ୍ୟାଚ୍‌ ଜିତିସାରିଥିବା ଭାରତ ଇଡେନରେ ମଧ୍ୟ ବିଜୟ ପାଇ ୨-୦ରେ ସିରିଜ ଜିତିବାର ମସୁଧାରେ ରହିଛି । ଇନେ୍ଦାର ଟେଷ୍ଟ ତିନିଦିନରେ ଭାରତୀୟ ଦଳ ସାରିଥିଲା ବେଳେ ଏଠାରେ ମ୍ୟାଚ୍‌ ଚାରି ଦିନ ଚାଲିବ ବୋଲି ପ୍ରଶଂସକମାନେ ସମ୍ଭବତଃ ମନେକରୁଛନ୍ତି । ହୁଏତ ସେହି କାରଣରୁ ଏହି ମ୍ୟାଚ୍‌ର ପ୍ରଥମ ଚାରି ଦିନର ଟିକଟ ବିକି୍ର ହୋଇସାରିଛି ।
ଇନେ୍ଦାର ଠାରେ ମହମ୍ମଦ ସାମି, ଇଶାନ୍ତ ଶର୍ମା,ଉମେଶ ଯାଦବ ଚମକ୍ରାର ବୋଲିଂ କରି ଭାରତକୁ ୧ ଇନିଂସ ଓ ୧୩୦ ରନ୍‌ରେ ବିଜୟ ପ୍ରଦାନ କରିଥିଲେ । ଇଡେନ୍‌ ପଡିଆରେ ଗୋଲାପୀ ବଲ୍‌ରେ ସେମାନଙ୍କ ଧାର ଆହୁରି ଶାଣିତ ହୋଇଯିବ ବୋଲି ଅନୁମାନ କରାଯାଉଛି । ଭାରତୀୟ ବ୍ୟାଟିଂ ମୟଙ୍କ ଅଗ୍ରୱାଲ, ରାହାଣେ, ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଫର୍ମ କାରଣରୁ ଖୁବ୍‌ ଶକ୍ତିଶାଳୀ ହୋଇଯାଇଛି । ଏଠାରେ ମଧ୍ୟ ଭାରତୀୟ ବ୍ୟାଟିଂ ଚମକିବାର ଆଶା କରୁଛନ୍ତି ସମସ୍ତେ । ଅପର ପକ୍ଷରେ ବାଂଲାଦେଶ ସକାଶେ ସମ୍ମାନ ରକ୍ଷା କରିବାର ଏହି ମ୍ୟାଚ୍‌ ସୁଯୋଗ ଆଣିଦେଇଛି । ଇନେ୍ଦାର ଠାରେ ସେମାନଙ୍କ ପ୍ରଦର୍ଶନ ବଡ଼ ଅପମାନଭରା ଥିଲା । କେବଳ ରହିମଙ୍କୁ ଛାଡିଦେଲେ ଅନ୍ୟ କେହି ୫୦ ଛୁଇଁପାରିନଥିଲେ । ସାକିବଙ୍କ ଅନୁପସ୍ଥିତିରେ ବଡ଼ ଦୟନୀୟ ମନେହୋଇଛି ବାଂଲାଦେଶ ଦଳ ।
ଏହି ପ୍ରଥମ ଦିବାରାତ୍ର ଟେଷ୍ଟ ବିଶେଷ ଭାବରେ ଚ୍ୟାଲେଞ୍ଜ ହେବ ସ୍ପିନର ତଥା ବ୍ୟାଟ୍ସମ୍ୟାନ୍‌ଙ୍କ ଲାଗି । କାକର ଭିଜା ବଲ୍‌ ଧରିବାରେ ସେମାନେ ଅଡୁଆରେ ପଡିପାରନ୍ତି । ତେଣୁ ସ୍ପିନରମାନଙ୍କ ଲାଗି ଏହି ମ୍ୟାଚ୍‌ ବଡ଼ ଆହ୍ୱାନ । ସେହିପରି ବ୍ୟାଟ୍ସମ୍ୟାନମାନେ ରାତି ଆସୁଥିବା ଅବସ୍ଥାରେ ଖରା ଓ ଫ୍ଲଡ୍‌ ଲାଇଟ୍‌ ମିଶା ପରିବେଶରେ ଗୋଲାପୀ ବଲକୁ ଠିକ୍‌ ଭାବେ ଦେଖିବା ବଡ଼ ଚ୍ୟାଲେଞ୍ଜ ହେବ । ଅନୁମାନ କରାଯାଉଛି ଇଡେନର ପିଚ୍‌ ପେସ୍‌ ବୋଲରମାନଙ୍କୁ ବିଶେଷ ସହାୟକ ହେବ ।
ଆରମ୍ଭରେ ବିଶେଷ ଉତ୍ସବ
ଏହି ପ୍ରଥମ ଗୋଲାପୀ ବଲ୍‌ ଟେଷ୍ଟ ମ୍ୟାଚ୍‌କୁ ଅବିସ୍ମରଣୀୟ କରି ରଖିବା ପାଇଁ ଭାରତୀୟ କ୍ରିକେଟ ବୋର୍ଡ ଏବଂ ବଙ୍ଗଳା କ୍ରିକେଟ ସଂଘ ପୂରା ଜୋର ଲଗାଇ ଦେଇଛି । ଏକାଧିକ ବିଶେଷ ଫର୍ଦ୍ଦ ଯୋଡା ହେବାକୁ ଯାଉଛି । ଏହି ମ୍ୟାଚ୍‌ ସକାଶେ ଶୁଭଙ୍କର ତିଆରି କରାଯାଇଛି । ମ୍ୟାଚ୍‌ ବଲ୍‌ ନେଇ ଶୁକ୍ରବାର ମଧ୍ୟାହ୍ନରେ ଆକାଶରୁ ଭାରତୀୟ ସେନାର ପାରା ଟ୍ରୁପରମାନେ ଓହ୍ଲାଇବେ ଇଡେନ୍‌ ପଡିଆରେ । ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦୁହେଁ ଘଣ୍ଟି ବଜାଇ ଖେଳ ଆରମ୍ଭର ସଂକେତ ଦେବେ । ସେହିପରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍‌ ଶାହା ମଧ୍ୟ ଉପସ୍ଥିତ ରହିବେ । ଏଥିସହ ଭାରତୀୟ କ୍ରୀଡ଼ା ଦୁନିଆର ବହୁ ବଡ଼ବଡ଼ ତାରକା ଯେପରି ବିଶ୍ୱନାଥନ ଆନନ୍ଦ, ଅଭିନବ ବିନ୍ଦ୍ରାଙ୍କ ପରି ବହୁ ଖେଳାଳିଙ୍କୁ ସମ୍ମାନିତ କରାଯିବ । ନାଚଗୀତର ବିଶେଷ ମାହୋଲ ମଧ୍ୟ ବନିବାକୁ ଯାଉଛି ।
ଗୋଲାପୀ ବଲ୍‌ ଟେଷ୍ଟ ନିୟମିତ ନହେଉ
ଐତିହାସିକ ଦିବାରାତ୍ର ଟେଷ୍ଟ ପୂର୍ବରୁ ଅଧିନାୟକ ବିରାଟ କୋହଲି କିପରି ଏକ ସତର୍କ ଭରା ଉକ୍ତି ଗୋଲାପୀ ବଲ୍‌ ଟେଷ୍ଟକୁ ନେଇ ପ୍ରଦାନ କରିଛନ୍ତି । ଟେଷ୍ଟ କ୍ରିକେଟରେ ଗୋଲାପୀ ବଲର ବ୍ୟବହାର ଓ ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ ନିୟମିତ ସ୍ୱରୂପ ନପାଉ ବୋଲି ବିରାଟ କହିଛନ୍ତି । ଏହା ସମୟ ସମୟରେ କରିବା ଉପରେ ସେ ଦେଇଛନ୍ତି ଯୁକ୍ତି । ଯଦି ଆପଣ କେବଳ ଗୋଲାପୀ ବଲ୍‌ ଟେଷ୍ଟ ଖେଳିବେ ତା’ହେଲେ ମ୍ୟାଚ ଦିନର ସକାଳ ସମୟର ନର୍ଭସ ଅବସ୍ଥା ଆଉ ଦେଖିବେ ନାହିଁ ଟେଷ୍ଟ ଦୁନିଆରେ । କେବଳ ମଜାଦାର କରିବାକୁ ସବୁ ଟେଷ୍ଟ ମ୍ୟାଚ୍‌ ଗୋଲାପୀ ବଲ୍‌ କରାନଯିବା ଉପରେ ମତ ରଖିଛନ୍ତି ଭାରତୀୟ ଅଧିନାୟକ । ଖେଳା ଯିବାକୁ ଥିବା ଗୋଲାପୀ ବଲ୍‌ ଓଜନଦାର ହକି ବଲ ଭଳି ମନେ ହେଉଥିବା ବତାଇ ଫିଲ୍ଡିଂ କଲା ବେଳେ ଏହା ଅସୁବିଧା ସୃଷ୍ଟି କରିପାରେ ବୋଲି ଆଶଙ୍କା ପ୍ରକଟ କରିଛନ୍ତି । କ୍ୟାଚ୍‌ ଅଭ୍ୟାସ ବେଳେ ଏହି ବଲ୍‌ ଜୋରରେ ହାତକୁ ଲାଗୁଛି । ତେଣୁ କ୍ୟାଚ୍‌ ଧରିବା ଏବଂ ଗ୍ରାଉଣ୍ଡ ଫିଲ୍ଡିଂ କରିବା ଟିକିଏ ଚ୍ୟାଲେଞ୍ଜଭରା ରହିପାରେ ବୋଲି ବିରାଟ କହିଛନ୍ତି । ଅଷ୍ଟ୍ରେଲିଆରେ ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ ଖେଳିବା ଉପରେ କୋହଲି କହିଛନ୍ତି ଯଦି ଅଭ୍ୟାସ ମ୍ୟାଚ୍‌ ମିଳିବ ତା’ହେଲେ ହୁଏତ ଆମେ ସେଠାରେ ମଧ୍ୟ ଦିବାରାତ୍ର ମ୍ୟାଚ ଖେଳିପାରୁ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*