ଆଇପିଏସ୍‌ ମନୋଜଙ୍କ କାହାଣୀ ଯୁବକଙ୍କ ପାଇଁ ପ୍ରେରଣା

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ

ମହାରାଷ୍ଟ୍ର କ୍ୟାଡରର ଆଇପିଏସ୍‌ ମନୋଜ ଶର୍ମାଙ୍କ କାହାଣୀ ଦେଶର ପ୍ରତି ଯୁବକଙ୍କ ପାଇଁ ନିଶ୍ଚିତ ଭାବେ ଏକ ପ୍ରେରଣା । ନିକଟରେ ମନୋଜଙ୍କ ସାଥି ଅନୁରାଗ ପାଠକ୍‌ ମନୋଜଙ୍କ ଉପରେ ଏକ ବହି ଲେଖିଛନ୍ତି । ବହିର ନାମ ହେଉଛି ‘ଦ୍ୱାଦଶ ଫେଲ୍‌, ହାରନ୍ତି ସେମାନେ ଯିଏ ଲଢନ୍ତି ନାହିଁ ।’ ଏହି ବହିରେ ମନୋଜ ଶର୍ମାଙ୍କ ଜୀବନର ପ୍ରତିଟି ଘଟଣାକୁ ଉଲ୍ଲେଖ କରାଯାଇଛି । ବଞ୍ଚିବା ପାଇଁ ସଂଘର୍ଷ ଠାରୁ ଆରମ୍ଭ କରି ପ୍ରେମିକାଙ୍କୁ ଦେଇଥିବା ପ୍ରତିଶ୍ରୁତି କିପରି ତାଙ୍କ ଜୀବନକୁ ବଦଳାଇଥିଲା ଏବଂ ସେ ଆଇପିଏସ୍‌ ବନିଥିଲେ ତାହା ଏହି ବହିରେ ଉଲ୍ଲେଖ ରହିଛି ।
ପ୍ରକୃତ ପ୍ରେମ, ଜିଦ୍‌ କିପରି ମଣିଷକୁ ସଫଳ ବନାଇଥାଏ ତାହାର ଉଦାହରଣ ଦେଖିବାକୁ ମିଳିଛି ଆଇପିଏସ୍‌ ମନୋଜଙ୍କ କ୍ଷେତ୍ରରେ । ମଧ୍ୟପ୍ରଦେଶର ସବୁଠାରୁ ଦୁର୍ଦ୍ଦାନ୍ତ ଅଞ୍ଚଳ କୁହାଯାଉଥିବା ଚମ୍ବଲର ମୁରୈନାରେ ଜନ୍ମ ଗ୍ରହଣ କରିଥିବା ମନୋଜ ଆଜି ମୁମ୍ବାଇରେ ଅତିରିକ୍ତ କମିଶନ ପଦରେ ଅଛନ୍ତି । ହେଲେ ପିଲାବେଳୁ ସେ ବୁଦ୍ଧିମାନ ନଥିଲେ । କପି କରି ଏକାଦଶ ପାସ୍‌ କରିଥିଲା ବେଳେ କପିର ସୁଯୋଗ ନ ମିଳିବାରୁ ଦ୍ୱାଦଶ ଫେଲ୍‌ ହୋଇଥିଲେ । ସେତେବେଳେ ଏଡିଏମ୍‌ ତାଙ୍କ ସ୍କୁଲରେ କିପରି କପି ନହେବ ତାହାର କଡ଼ା ବ୍ୟବସ୍ଥା କରିଥିଲେ । ମନୋଜଙ୍କ ମୁନ୍ଦକୁ ପଶିଥିଲା ଏଡିଏମ୍‌ ଏତେ ପାୱାରଫୁଲ୍‌ କିପରି । ମୁଁ ମଧ୍ୟ ଏପରି ପାୱାରଫୁଲ୍‌ ହେବି । ହେଲେ ଭାଗ୍ୟ ସେତେବେଳେ ତାଙ୍କୁ ଦେଇନଥିଲା ସାଥ୍‌ ।
ଏଡିଏମ୍‌ଙ୍କ ଭଳି ପାୱାରଫୁଲ୍‌ ହେବାର ଲକ୍ଷ୍ୟ ରଖିଥିଲେ ମଧ୍ୟ ଦ୍ୱାଦଶ ଫେଲ୍‌ କାରଣରୁ ସେ ନିଜ ଭାଇ ସହ ମିଶି ଅଟୋ ଚଲାଉଥିଲେ । ଥରେ ତାଙ୍କ ଅଟୋ ଧରାପଡିଥିଲା । ଏହାପରେ ମନୋଜ ଏଡିଏମ୍‌ଙ୍କ ସହଯୋଗ ଲୋଡିଥିଲେ । ଏଡିଏମ୍‌ଙ୍କୁ ଭେଟିବା ପାଇଁ ଅନୁମତି ମିଳିବା ପରେ ଅଟୋ କଥା ଭୁଲି ତାଙ୍କୁ ପଚାରିଥିଲେ ଏଡିଏମ୍‌ ବନିବା ପାଇଁ ଆପଣ କିପରି ନିଜକୁ ପ୍ରସ୍ତୁତ କରିଥିଲେ । ସେହି ସମୟରେ ସେ ଏଡିଏମ୍‌ଙ୍କୁ କହିନଥିଲେ ଯେ, ନିଜେ ଦ୍ୱାଦଶ ଫେଲ୍‌ ବୋଲି । ଏହାପରେ ମନୋଜ ଗୋୱାଲିୟର । ପାଖରେ ପଇସା ନଥିବାରୁ ମନ୍ଦିରରେ ଭିକ ମାଗିଥିଲେ, ଭିକାରୀଙ୍କ ସହ ଶୋଉଥିଲେ । ବହୁ କଷ୍ଟରେ ତାଙ୍କୁ ଏକ ଲାଇବ୍ରେରୀରେ ଚପରାସି କାମ ମିଳିଥିଲା । ଲାଇବ୍ରେରୀରେ ବହୁ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ବହି ଥିବା ଦେଖି ତାକୁ ପଢିବା ଆରମ୍ଭ କରିଥିଲେ ଏବଂ ସେମାନଙ୍କର ପୂର୍ବ ଜୀବନ ସମ୍ପର୍କରେ ଜାଣିପାରିଥିଲେ । ସେତେବେଳେ ମନୋଜ ଏକ ଝିଅର ପ୍ରେମରେ ପଡିଥିଲେ । ହେଲେ ନିଜ ପ୍ରେମକୁ କହିପାରିନଥିଲେ ଦ୍ୱାଦଶ ଫେଲ୍‌ କାରଣରୁ ।
ଗୋୱାଲିୟରରୁ ନିଜ ଭବିଷ୍ୟତ ଗଢିବା ପାଇଁ ମନୋଜ ଆସିଥିଲେ ଦିଲ୍ଲୀ । ବଞ୍ଚିବା ପାଇଁ, ପେଟ ଭରିବା ପାଇଁ ଜଣେ ବ୍ୟକ୍ତିଙ୍କ କୁକୁରକୁ ବୁଲାଇବା କାମ କରିଥିଲେ । ସେ ବାବଦରେ ପାଉଥିଲେ ୪୦୦ଟଙ୍କା । ଏହାପରେ ମନୋଜ ଆରମ୍ଭ କରିଥିଲେ ପାଠ ପଢା । ଦ୍ୱାଦଶ ଫେଲର ଦାଗ ଲିଭାଇବାର ଉଦ୍ୟମ କରିଥିଲେ । ତାଙ୍କର ଜଣେ ଶିକ୍ଷକ ବିକାଶ ଦିବ୍ୟକିର୍ତ୍ତୀ ତାଙ୍କୁ ଆଉ ଏକ କଲେଜରେ ଆଡମିଶନ ସୁଯୋଗ ଦେଇଥିଲେ । ଏହାପରେ ପ୍ରଶାସନିକ ସେବା ପରୀକ୍ଷା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ ମନୋଜ । ପ୍ରଥମ ଉଦ୍ୟମରେ ପି୍ରଲିମିନାରୀ ପରୀକ୍ଷା ପାସ୍‌ କରିଥିଲେ ମଧ୍ୟ ପରେ ଉତ୍ତୀର୍ଣ୍ଣ ହୋଇନଥିଲେ । ୩ ଥର ବିଫଳ ହେବା ପରେ ୪ର୍ଥ ଥର ମେନ୍‌ ପରୀକ୍ଷାରେ ସେ ହୋଇଥିଲେ ସଫଳ । ମନୋଜ କହିଛନ୍ତି ଯେ, ତାଙ୍କ ଜୀବନ ସେତେବେଳେ ୟୁ-ଟର୍ଣ୍ଣ ନେଇଥିଲା ଯେତେବେଳେ ମୁଁ ମୋ ପ୍ରେମିକାଙ୍କୁ ପ୍ରେମ ନିବେଦନ କରିଥିଲି । ତାଙ୍କୁ କହିଥିଲି ତୁମେ ଯଦି ମୋ ପ୍ରେମକୁ ସ୍ୱୀକାର କରିବ ତେବେ ମୁଁ ଦୁନିଆକୁ ଓଲଟାଇ ଦେବି । ପ୍ରେମିକାଙ୍କ ସ୍ୱୀକାରୋକ୍ତି ପରେ ଆଉ ପଛକୁ ଚାହିଁନଥିଲେ । ପ୍ରେମକୁ ହାସଲ କରିବାର ଜିଦ୍‌ ମୋତେ ଆଜି ଆଇପିଏସ୍‌ ବନାଇଛି ।
ମନୋଜ ଶର୍ମାଙ୍କ ଉପରେ ବହି ଲେଖିଥିବା ଅନୁରାଗ ପାଠକ ଏକ ସାକ୍ଷାତକାରରେ କହିଛନ୍ତି ଯେ, ଆଜିର ଯୁବକଙ୍କ ପାଇଁ ମନୋଜଙ୍କ ଏହି କାହାଣୀ ଜାଣିବା ଅତି ଗୁରୁତ୍ୱପୂର୍ଣ୍ଣ । କାରଣ ଆଜିର ସମୟରେ ବିଫଳତାର ସ୍ୱାଦ ଚାଖିବା ପରେ ଅନେକ ମାନସିକ ଅବସାଦକୁ ଚାଲିଯାଉଛନ୍ତି । ତେଣୁ ମୁଁ ଏହି ବହି ଲେଖିବା ପଛର କାରଣ ହେଉଛି,ସେମାନଙ୍କୁ ପ୍ରେରଣା ଦେବା, ଉତ୍ସାହିତ କରିବା । ବିଫଳତା ବୋଲି କିଛି ନାହିଁ । ପ୍ରତି ବିଫଳତାକୁ ସଫଳତାରେ ବଦଳାଯାଇପାରିବ । ଏଥିପାଇଁ ଦରକାର ମନରେ ଦୃଢ ସଂକଳ୍ପ, କିଛି କରିବାର ଜିଦ୍‌ । କପି କରି ପାସ୍‌ କରିବା,ଅଟୋ ଚଲାଇବା, ଭିକାରୀଙ୍କ ସହ ଶୋଇବା, କୁକୁର ବୁଲାଇ ପେଟ ପୋଷୁଥିବା ବ୍ୟକ୍ତିଟିଏ ଯଦି ସଫଳତାର ଶୀର୍ଷରେ ପହଞ୍ଚିପାରିଲା ତେବେ ଅନ୍ୟମାନେ କାହିଁକି ପହଞ୍ଚି ପାରିବେ ନାହିଁ?

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

Be the first to comment

Leave a Reply

Your email address will not be published.


*