ଆଇପିଏଲ୍‌ର ଉଦ୍‌ଘାଟନୀ ଉତ୍ସବ ହେବନାହିଁ ଅର୍ଥ ଯିବ ଶହୀଦ ପରିବାରଙ୍କ ଲାଗି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ
ସବୁବେଳେ ଆଇପିଏଲ୍‌ର ଉଦ୍‌ଘାଟନୀ ସମାରୋହ ବଡ଼ ଜାକଜମକରେ ହୁଏ । ଏଥିରେ ବଲିଉଡ୍‌ ତାରକାଙ୍କ ସହ ବିଦେଶୀ ତାରକାମାନେ ମଧ୍ୟ ସାମିଲ ହୁଅନ୍ତି । ଅତୀତରେ ଅନେକବାର ଏକାଧିକ ଉଦଘାଟନୀ ସମାରୋହ ମଧ୍ୟ ହୋଇଛି । ତେବେ ୨୦୧୯ ଆଇପିଏଲର ଉଦଘାଟନୀ ଉତ୍ସବ ନକରିବା ଲାଗି ପ୍ରଶାସନିକ କମିଟି ନିଷ୍ପତ୍ତି ନେଇଛି । ପୁଲୱାମା ଆତଙ୍କୀ ହମଲା ଶହୀଦ ହୋଇଥିବା ଯବାନମାନଙ୍କୁ ସମ୍ମାନ ଜଣାଇ ଉଦଘାଟନୀ ଉତ୍ସବ କରାଯିବ ନାହିଁ ବୋଲି ଶୁକ୍ରବାର ଏକ ବୈଠକରେ ପ୍ରଶାସନିକ କମିଟି ନିଷ୍ପତ୍ତି ନେଇଛି । ଫଳରେ ମାର୍ଚ୍ଚ ୨୩ରେ ୧୨ତମ ଆଇପିଏଲର ଉଦଘାଟନୀ ମ୍ୟାଚ୍‌ ପୂର୍ବରୁ କୌଣସି ଗ୍ଳାମରଯୁକ୍ତ ଉତ୍ସବ ହେବନାହିଁ । ଆଇପିଏଲ୍‌ର ପ୍ରାରମ୍ଭିକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଏଥର କରାଯିବ ନାହିଁ । ଏହି କାର୍ଯ୍ୟକ୍ରମ ସକାଶେ ରଖାଯାଇଥିବା ଅର୍ଥ ଶହୀଦ ପରିବାରଙ୍କୁ ପ୍ରଦାନ କରାଯିବ ବୋଲି ପ୍ରଶାସନିକ କମିଟିର ମୁଖ୍ୟ ବିନୋଦ ରାୟ କହିଛନ୍ତି ।
ଆତଙ୍କୀରାଷ୍ଟ୍ର ସହ ସମ୍ପର୍କ ତୁଟାଅ
ବିଶ୍ୱକପ୍‌ରେ ଭାରତ ପାକିସ୍ତାନ ସହ ନଖେଳୁ ବୋଲି କିଛିଦିନ ଧରି ବ୍ୟାପକ ଚର୍ଚ୍ଚା ଓ ଦାବି ଭାରତରେ ହେଉଛି । ଶୁକ୍ରବାରର ବୈଠକରେ ଏବାବଦରେ ନିଷ୍ପତ୍ତି ନିଆଯିବାର ଥିଲା । ହେଲେ ପ୍ରଶାସନିକ କମିଟି ବିଶ୍ୱକପ୍‌ ମ୍ୟାଚ୍‌ ବାବଦରେ କୌଣସି ନିଷ୍ପତ୍ତି ନେଇନାହିଁ । ପାକିସ୍ତାନ ସହ ମ୍ୟାଚ୍‌ ଖେଳିବା ବିଷୟ ଉପରେ ଭାରତୀୟ କି୍ରକେଟ ବୋର୍ଡ ଭାରତ ସରକାରଙ୍କ ପରାମର୍ଶ ଗ୍ରହଣ କରିବ ବୋଲି ଜଣାପଡିଛି । ତେବେ ଆଗାମୀ ଆଇସିସିର ବୈଠକରେ ଭାରତୀୟ ବୋର୍ଡ ବିଶ୍ୱ କି୍ରକେଟ ସଂଘକୁ ଅନୁରୋଧ କରିବ ଯେ ଆତଙ୍କୀବାଦୀଙ୍କ ଗଡ଼ ହୋଇଥିବା ଦେଶମାନଙ୍କୁ ବହିଷ୍କାର କରିବା ପାଇଁ । ସେହି ମର୍ମର ଏକ ଚିଠି ଭାରତୀୟ କି୍ରକେଟ ବୋର୍ଡ ଆଇସିସିକୁ ପ୍ରଦାନ କରିବ ବୋଲି ଜଣାପଡିଛି । ନଖେଳିବାର ଦାବି ବ୍ୟାପକ ରୂପ ପାଇଥିଲା ବେଳେ ଶୁକ୍ରବାର ଭାରତୀୟ କି୍ରକେଟ ଦଳର ମୁଖ୍ୟକୋଚ୍‌ ରବି ଶାସ୍ତ୍ରୀ ଏବାବଦରେ ନିଜ ମତ ଦେଇଛନ୍ତି । ଆମେ ପାକିସ୍ତାନ ସହ ଖେଳିବୁ ନା ନାହିଁ ଏହା ସମ୍ପୂର୍ଣ୍ଣ ଭାବେ ଭାରତୀୟ କି୍ରକେଟ ବୋର୍ଡ ଓ ସରକାରଙ୍କ ଦାୟିତ୍ୱ । ସେମାନେ ଠିକ୍‌ ଭାବେ ଜାଣନ୍ତି କ’ଣ ଘଟୁଛି । ତେଣୁ ସେମାନେ ହିଁ ଠିକଣା ନିଷ୍ପତ୍ତି ନେବେ । ଯଦି ସରକାର କହିବେ ଏହା ଏକ ସମ୍ବେଦନଶୀଳ ଘଟଣା, ଆମେ ମ୍ୟାଚ୍‌ ଖେଳିବା ଉଚିତ୍‌ ନୁହେଁ ତା’ହେଲେ ମୁଁ ସେ ଅବସ୍ଥାରେ ସରକାରଙ୍କ ସହ ଯିବି ବୋଲି ଶାସ୍ତ୍ରୀ କହିଛନ୍ତି । ମେ’ ୩୦ ରୁ ଇଂଲନ୍ଦରେ ଆଗାମୀ ବିଶ୍ୱକପ୍‌ ଆରମ୍ଭ ହେଉଥିଲା ବେଳେ ଜୁନ୍‌ ୧୬ ତାରିଖ ଦିନ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍‌ ଅନୁଷ୍ଠିତ ହେବାକୁ ଅଛି ।
ସୁନୀଲଙ୍କ ସହ ସହମତ
ସୁନୀଲ ଗାଭାସ୍କର ଗୁରୁବାର କହିଥିଲେ ଯେ, ବିଶ୍ୱକପ୍‌ ଭଳି ଆନ୍ତର୍ଜାତୀକ ପ୍ରତିଯୋଗିତାରେ ଭାରତ ମ୍ୟାଚ ନଖେଳି ପାକିସ୍ତାନକୁ ସେମିତି ଜିତାଇଦେବା ଉଚିତ୍‌ ହେବନାହିଁ । ଶୁକ୍ରବାର ତାଙ୍କ ମତକୁ ସମର୍ଥନ କରିଛନ୍ତି କି୍ରକେଟ ଲିଜେନ୍ଦ ସଚିନ ତେନ୍ଦୁଲକର । ସେ କହିଛନ୍ତି ମ୍ୟାଚ୍‌ ନଖେଳି ପାକିସ୍ତାନକୁ ଖାଲିରେ ୨ ପଏଣ୍ଟ ଦେଇଦେବା ଦେଖିବାକୁ ମୁଁ ଚାହିଁବି ନାହିଁ । ମେଗା ଇଭେଣ୍ଟରେ ୨ ପଏଣ୍ଟ ଛାଡିଦେବା ମୁଁ ପସନ୍ଦ କରିବି ନାହିଁ । ସବୁବେଳେ ବିଶ୍ୱକପ୍‌ରେ ପାକିସ୍ତାନ ବିପକ୍ଷରେ ଆମେ ଜିତାପଟ ପାଇଛୁ । ଆଉଥରେ ସେମାନଙ୍କୁ ହରାଇବାର ସୁଯୋଗ ହାତଛଡା କରି ୨ ପଏଣ୍ଟ ଖାଲିରେ ଦେଇ ବିଶ୍ୱକପ୍‌ରେ ସେମାନଙ୍କୁ ସହାୟତା କରିବାକୁ ମୁଁ ଚାହିଁବି ନାହିଁ ବୋଲି ସଚିନ କହିଛନ୍ତି । ତେବେ ଆଗକୁ ଭାରତରତ୍ନ କହିଥିଲେ ଯେ ସବୁବେଳେ ଭାରତ ପ୍ରାଥମିକତା ରହିଆସିଛି । ତେଣୁ ଦେଶ ଯାହା ନିଷ୍ପତ୍ତି ନେବ ମୁଁ ହୃଦୟର ସହ ସେହି ନିଷ୍ପତ୍ତିକୁ ମାନିବି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*