ଅସହାୟ ଓ ପାଗଳଙ୍କ ପାଇଁ ସମର୍ପିତ ମୋହନ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ: ଯାଜପୁର

ସ୍ୱାର୍ଥପର ଦୁନିଆରେ ଏଠି କିଏ ବା କାହାର । ରାସ୍ତାରେ ପଡ଼ି ରହିଥିବା ଦୁଃଖୀକୁ ଏଠି ଆହା କରିବାକୁ କେହି ନାହିଁ । ଆଜିକା ସମାଜରେ ମାନବ ସେବାକୁ ମାଧବ ସେବା ରୂପେ ଗ୍ରହଣ କରି କିଛି ଲୋକେ ଦୁଃଖୀଙ୍କ ସେବା କରୁଥିବାର ନଜରକୁ ଆସୁଛି । ରାସ୍ତାରେ ଯାଉଥିବା କିମ୍ବା ନିଜ ଅଞ୍ଚଳରେ ଥିବା ପାଗଳା ପାଗେଳିମାନଙ୍କୁ ଲୋକେ ଘୃଣାଭାବ ଦେଖାଉଥିଲା ବେଳେ ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଭୁଷନ୍ଦପୁର ପଞ୍ଚାୟତର ମୋହନ ମହାରଣାଙ୍କ କ୍ଷେତ୍ରରେ ଦେଖାଦିଏ ଏକ ଭିନ୍ନ ମନୋଭାବ । ସକାଳ ହେଲେ ମୋହନ ସେମାନଙ୍କ ପାଖକୁ ଦୌଡ଼ି ଯାଇ ଖାଇବାକୁ ଦେବା ସହ ସେମାନଙ୍କର ସବୁ ସମସ୍ୟାକୁ ବୁଝିଥାନ୍ତି । ଏହାକୁ ନେଇ ନିଜ ପରିବାର ଲୋକମାନେ ତାଙ୍କଠାରୁ ମୁହଁ ଫେରାଇ ନେଇଥିଲାବେଳେ ଅନ୍ୟ ଲୋକମାନେ ମୋହନଙ୍କୁ ପାଗଳ କହିବାକୁ ମଧ୍ୟ ପଛାଇ ନାହାନ୍ତି । ହେଲେ ଏହାକୁ ଖାତିର ନକରି ମୋହନ ନିଜ ଉଦ୍ୟମରେ ଏହି ପାଗଳା ପାଗେଳିଙ୍କ ସେବା କରି ନିଜକୁ ଖୁବ ଆତ୍ମତୃପ୍ତି ଦେଇଛନ୍ତି । ପ୍ରତିଟି ମଣିଷ ହୃଦୟରେ ଈଶ୍ୱର ଅବସ୍ଥାନ କରନ୍ତି ବୋଲି କହି ମାନବ ସେବାକୁ ମାଧବ ସେବା କରିଛନ୍ତି ମୋହନ । ନିଜର ଏହି ସେବା ମନୋଭାବ ପାଇଁ ଉକ୍ରଳମଣି ଗୋପବନ୍ଧୁଙ୍କୁ ନିଜର ଆଦର୍ଶ ମାନି ଆଗକୁ ଚାଲୁଛନ୍ତି । ବାପା ପ୍ରଫୁଲ୍ଲ ମହାରଣା ଓ ମା’ ସରସ୍ୱତୀ ମହାରଣାଙ୍କ ୩ ପୁଅ ଓ ୩ ଝିଅଙ୍କ ମଧ୍ୟରୁ ମୋହନ ହେଉଛନ୍ତି ୨ୟ ସନ୍ତାନ । ପିଲାବେଳେ ପରିବାର ଆର୍ଥିକ ଅନାଟନ ଦେଇ ଗତି କରୁଥିଲାବେଳେ ୬ଷ୍ଠ ଶ୍ରେଣୀରୁ ପାଠରେ ଡୋରି ବାନ୍ଧିଥିଲେ ମୋହନ । ପିଲାଟି ବେଳୁ ବିଭିନ୍ନ ଗ୍ୟାରେଜରେ କାମ କରିବା ପରେ ନିଜେ ଯାଜପୁର କଳିଙ୍ଗନଗରରେ ଏକ ଲେଦ ପ୍ରତିଷ୍ଠା କରିଥିଲେ । ଦିନରାତି ଏକ କରି ପରିଶ୍ରମ କରି ନିଜ ପରିବାରକୁ ଚଳାଇବା ସହିତ ବାପାଙ୍କୁ ସହାୟତାର ହାତ ବଢାଇଥିଲେ ମୋହନ । ନିଜ ଉଦ୍ୟମରେ ତାଙ୍କର ଅନ୍ୟ ଦୁଇ ଭାଇଙ୍କୁ ଉଚ୍ଚ ଶିକ୍ଷିତ କରିଛନ୍ତି । ମୋହନଙ୍କ ଜଣେ ଭାଇ ଏବେ ଆମେରିକାରେ ଅବସ୍ଥାନ କରୁଥିଲାବେଳେ ଅନ୍ୟ ଜଣେ ଭାଇ ମାଙ୍ଗାଲୋରରେ ଅବସ୍ଥାନ କରୁଛନ୍ତି । ମୋହନଙ୍କ ପରିବାର ଚନ୍ଦିଖୋଲରେ ରହୁଥିଲାବେଳେ ପ୍ରତିଦିନ ମୋହନ ଚନ୍ଦିଖୋଲରୁ କଳିଙ୍ଗନଗର ଗତାଗତ କରନ୍ତି । ୨୦୧୫ ମସିହାରେ ଦିନେ ଚନ୍ଦିଖୋଲରୁ କଳିଙ୍ଗନଗର ଯିବା ସମୟରେ ବର୍ଷାରେ ଜଣେ ପାଗଳ ଭିଜୁଥିବା ଦେଖିବାକୁ ପାଇଲେ । ପାଖରେ ବହୁଲୋକ ଥିଲେ ମଧ୍ୟ କେହି ପାଗଳ ନିକଟକୁ ଯାଉ ନଥିଲାବେଳେ ମୋହନ ପାଗଳ ନିକଟକୁ ଯାଇ ତାକୁ ଧରି ଏକ ଦୋକାନ ପିନ୍ଦାକୁ ଆଣିଥିଲେ । ସେଠାରେ ତା’ ସହିତ କଥା ହେଲାବେଳେ ପାଗଳ ଜଣକ ମୋହନଙ୍କୁ ଖାଇବାକୁ ମାଗିଥିଲା । ଖାଇବାକୁ ଦେଲା ପରେ ତାକୁ ଖାଇ ଦେଇ ପାଗଳ ଜଣକ ବେଶ ଖୁସି ହୋଇଥିବା ମୋହନ ଅନୁଭବ କରିଥିଲେ । ଏହା ପରଠାରୁ ମୋହନଙ୍କ ଜୀବନରେ ବଡ ପରିବର୍ତ୍ତନ ଆସିଥିଲା ।
ଏହା ପରଠାରୁ ମୋହନ ପ୍ରତିଦିନ ସକାଳୁ ନିଜ ମୋଟରସାଇକେଲରେ କିଛି ଖାଦ୍ୟ ସାମଗ୍ରୀ ଧରି ବାହାରି ଯାଆନ୍ତି । ପ୍ରାୟ ପ୍ରତିଦିନ ୧୦ରୁ ୧୫ କି.ମି ବୁଲି ରାସ୍ତା କଡ, ଗଛତଳ କିମ୍ବା ବଜାରରେ ବୁଲୁଥିବା ପାଗଳ ପାଗେଳିଙ୍କୁ ଖାଇବାକୁ ଦେବା ସହିତ ସେମାନଙ୍କୁ କିଛି ପରିମାଣରେ ଔଷଧ ମଧ୍ୟ ପ୍ରଦାନ କରନ୍ତି । ଶୀତ ଦିନେ ମୋହନ ସେମାନଙ୍କୁ ନିଜେ କମ୍ବଳ କିଣି ମଧ୍ୟ ପ୍ରଦାନ କରନ୍ତି । ଆଜି ପର୍ଯ୍ୟନ୍ତ ପ୍ରାୟ ୬ଶହରୁ ଊଦ୍ଧ୍ୱର୍ ପାଗଳ ଲୋକଙ୍କୁ ଭେଟି ସେମାନଙ୍କୁ ଖାଦ୍ୟ ପ୍ରଦାନ କରିଥିଲାବେଳେ ସେମାନଙ୍କ ମଧ୍ୟରୁ ବହୁ ପାଗଳ ରାଜ୍ୟ ବାହାରର ବୋଲି ପ୍ରକାଶ କରିଛନ୍ତି ମୋହନ । ସେମାନଙ୍କୁ କେହି ଖାଇବାକୁ ଦେଉନଥିଲାବେଳେ ଭୋକର ଦାଉ ତାଙ୍କୁ ଅଧିକ ବାଧୁଥିବା କହିଛନ୍ତି ମୋହନ । ଖାଦ୍ୟ ଖାଇଦେଲା ପରେ ସେମାନେ କିଛି ପରିମାଣରେ ଶାନ୍ତି ହେଉଥିବା କହନ୍ତି ମୋହନ । ନିଜର ସ୍ୱଳ୍ପ ଆୟରୁ ମାସକୁ ପ୍ରାୟ ୨ରୁ ୩ ହଜାର ଟଙ୍କା ମୋହନ ଖର୍ଚ୍ଚ କରୁଥିଲାବେଳେ ଆଜି ପର୍ଯ୍ୟନ୍ତ ଏଥିପାଇଁ କାହାଠାରୁ ସହାୟତା ସେ ନେଇନାହାନ୍ତି ବୋଲି କହିଛନ୍ତି । ନିଜର ଏହି କାମକୁ ନେଇ ନିଜେ ସନ୍ତୁଷ୍ଟ ଥିଲାବେଳେ କିଛିଲୋକ ତାଙ୍କୁ ମଧ୍ୟ ପାଗଳ ଆଖ୍ୟା ଦେଉଥିବା କହିଛନ୍ତି ମୋହନ । ବହୁ ବୁଝାଇବା ପରେ ପରିବାର ଲୋକେ ଏହାକୁ ଏବେ ଗ୍ରହଣ କରିଛନ୍ତି । ବାହାରକୁ ଗଲାବେଳେ ମଧ୍ୟ ମୋହନ ବିଭିନ୍ନ ରେଳ ଷ୍ଟେସନକୁ ଯାଇ ପାଗଳଙ୍କୁ ଖାଇବାକୁ ଦିଅନ୍ତି । ଏହି କାମ ତାଙ୍କ ପାଇଁ ଏକ ନିଶାରେ ପରିଣତ ହୋଇଥିଲାବେଳେ ଦିନେ ଏହା ବନ୍ଦ କଲେ ତାଙ୍କୁ ଭଲ ଲାଗେନାହିଁ । ଏକ ଗରିବ ପରିବାରରେ ଦିନେ ଜନ୍ମ ହୋଇ ଭୋକର ଦାଉ କ’ଣ ଜାଣିଥିବା ବେଳେ ଏହି ପାଗଳମାନଙ୍କ ଭୋକର ଜ୍ୱାଳାକୁ ବେଶ ଭଲ ଭାବେ ବୁଝି ପାରେ ବୋଲି କହିଛନ୍ତି ମୋହନ । ଏବେ ସେ ନିଜ ସାଥିରେ ନିଜ ପୁଅ ଓ ପତ୍ନୀଙ୍କୁ ନେଇ ପାଗଳମାନଙ୍କୁ ଭେଟୁଥିଲାବେଳେ ଭବିଷ୍ୟତରେ ପୁଅ କିଭଳି ଏହି କାମ କରିବ ତାକୁ ମଧ୍ୟ ଉତ୍ସାହିତ କରୁଥିବା କହିଛନ୍ତି । ମୋହନଙ୍କ ଏହି ନିଆରା ସମାଜ ସେବାକୁ ନେଇ ବହୁ ଅନୁଷ୍ଠାନ ତାଙ୍କୁ ନିଜ ସଂଗଠନରେ ସାମିଲ କରିଥିଲାବେଳେ ରାଜ୍ୟର ବିଭିନ୍ନ ଅନୁଷ୍ଠାନ ତାଙ୍କୁ ସମ୍ମାନିତ ମଧ୍ୟ କରିଛି । ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ସେବକ ବନ୍ଧୁ ସମ୍ମାନ, କୃପା କୈବଲ୍ୟ ସମ୍ମାନ, ବାଣିପୀଠ ସମ୍ମାନ, ବଣମଲ୍ଲୀ ସମ୍ମାନ, ରଜ ମହୋତ୍ସବ ସମ୍ମାନ, ଶ୍ରୀ ଗୁନ୍ଦିଚା ସମ୍ମାନ ଆଦି ସମ୍ମାନରେ ସମ୍ମାନିତ କରାଯାଇଛି । ନିଜ ବିଷୟରେ କହିବାକୁ ଯାଇ ମୋହନ କୁହନ୍ତି ଯେ ଏକ ଗରିବ ପରିବାରରେ ଜନ୍ମ ହୋଇ ଭୋକର କଷ୍ଟ ଜାଣିଛି । ତେଣୁ ଭୋକରେ ଥିବା ଏହି ଲୋକ କିଭଳି କଷ୍ଟ ପାଉଥିବେ ତାକୁ ଅନୁଭବ କରି ସେମାନଙ୍କୁ ଅଳ୍ପ କିଛି ସାହାଯ୍ୟ କରିଛି । ସ୍ୱଳ୍ପ ରୋଜଗାର ମଧ୍ୟରେ ମୁଁ ଏହି କାମ କରୁଥିଲାବେଳେ ବହୁ ସମୟରେ କଷ୍ଟ ହୋଇଛି ନିଶ୍ଚିତ, କିନ୍ତୁ ଭୋକିଲା ଲୋକଙ୍କୁ କିଛି ଖାଇବାକୁ ଦେଲା ପରେ ତାଙ୍କ ମୁହଁରେ ଯେଉଁ ହସ ଫୁଟେ ତାହା ମୋର ସମସ୍ତ କଷ୍ଟକୁ ଲାଘବ କରେ । ଏବେ ମୋ ପରିବାର ଏହା ଏକ ମହତ କାମ ବୋଲି ଜାଣିବା ପରେ ମୋତେ ଏହି କାମ କରିବାକୁ ବେଶ୍‌ ଉତ୍ସାହିତ କରୁଛନ୍ତି । ଏହା ସହିତ ଦିନେ ଯେଉଁମାନେ ମୋତେ ପାଗଳ କହୁଥିଲେ ସେମାନଙ୍କ ମଧ୍ୟରେ ମଧ୍ୟ ପରିବର୍ତ୍ତନ ଦେଖାଦେଇଛି ଓ ସେମାନେ ଏହି କାମ କରିବାକୁ ମଧ୍ୟ ମୋତେ ଉତ୍ସାହିତ କରୁଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*