ଅଲ ଇଂଲଣ୍ଡ: ୧୮ବର୍ଷ ପରେ ଟାଇଟଲ ଜିତିବା ଆଶାରେ ଭାରତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ
ବର୍ମିଂହାମ୍
ବୁଧବାରଠାରୁ ବ୍ୟାଡମିଣ୍ଟନର ପ୍ରତିଷ୍ଠିତ ପ୍ରତିଯୋଗିତା ଅଲ ଇଂଲନ୍ଦ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାକୁ ଯାଉଛି । ଏହି ସମ୍ମାନଜନକ ପ୍ରତିଯୋଗିତାକୁ ଏକଦା ବିଶ୍ୱକପ୍ର ମର୍ଯ୍ୟଦା ପ୍ରଦାନ କରାଯାଉଥିଲା, ବ୍ୟାଡମିଣ୍ଟନର ଏକକ ବିଶ୍ୱକପ୍ ଆରମ୍ଭ ହେବା ପୂର୍ବରୁ । ପ୍ରାୟ ୧୮ ବର୍ଷ ପରେ ଟାଇଟଲ ଜିତିବାର ସୁଯୋଗ ଭାରତ ପାଇଁ ରହିଛି ଉଭୟ ପୁରୁଷ ଓ ମହିଳା ବର୍ଗରେ । କାରଣ ଏହି ପ୍ରତିଯୋଗିତାରେ ଭାଗ ନେବାକୁ ଥିବା ସମସ୍ତ ପ୍ରତିଯୋଗୀ ଏବେ ଫର୍ମରେ ରହିଛନ୍ତି । ଶେଷ ଥର ପାଇଁ ଭାରତ ସକାଶେ ୨୦୦୧ରେ ଜାତୀୟ ଦଳର କୋଚ ତଥା ସାଇନା ଓ ସିନ୍ଧୁଙ୍କ ଭଳି ଏକାଧିକ ପ୍ରତିଭାବାନ୍ ପ୍ରତିଯୋଗୀ ବାହାର କରିଥିବା ପୁଲ୍ଲେଲା ଗୋପିଚାନ୍ଦ ପୁରୁଷ ସିଙ୍ଗଲ୍ସରେ ଜିତିଥିଲେ ଟାଇଟଲ । ତା’ପୂର୍ବରୁ ପ୍ରକାଶ ପାଦୁକୋଣ ମଧ୍ୟ ଏହି ଟାଇଟଲ ଜିତିବାରେ ସୌଭାଗ୍ୟ ପାଇଥିଲେ । କଷ୍ଟକର ଡ୍ରରେ ଥିଲେ ମଧ୍ୟ ଷ୍ଟାର ଭାରତୀୟ ମହିଳା ଖେଳାଳି ପିଭି ସିନ୍ଧୁ ଓ ସାଇନା ନେହୱାଲ ପ୍ରାୟ ଦୁଇ ଦଶନ୍ଧି ପରେ ଟାଇଟଲ ଜିତିବାର ଲକ୍ଷ୍ୟ ନେଇ କୋର୍ଟକୁ ଓହ୍ଲାଇବେ । ବିଶ୍ୱ ବ୍ୟାଡମିଣ୍ଟନ ମହାସଂଘ ବିଶ୍ୱ ର୍ୟାଙ୍କିଙ୍ଗ୍ରେ ଥିବା ଟପ୍ ୩୨ଜଣ ଖେଳାଳିଙ୍କୁ ଏହି ପ୍ରତିଯୋଗିତାରେ ଭାଗ ନେବା ସକାଶେ ସୁଯୋଗ ମିଳେ । ଭାରତର ଏକାଧିକ ଖେଳାଳି ଟପ୍ ୩୨ ମଧ୍ୟରେ ରହିଥିବାରୁ ସୁଯୋଗ ପାଇଛନ୍ତି ପ୍ରତିଯୋଗିତାରେ । ପୁରୁଷ ଖେଳାଳିଙ୍କ ଅପେକ୍ଷା ମହିଳାଙ୍କ ଉପରେ ଫୋକସ୍ ଅଧିକ ରହିବ ଟାଇଟଲ ଜିତିବା ସକାଶେ ଯେହେତୁ ଫର୍ମରେ ରହିଛନ୍ତି ସେମାନେ ।
କଠିନ ଡ୍ର’: ଅଲିମ୍ପିକ ଓ ବିଶ୍ୱ ଚମ୍ପିଆନ୍ସିପ୍ରେ ରୌପ୍ୟ ପଦକ ଜିତିଥିବା ପିଭି ସିନ୍ଧୁ ୧୦ଲକ୍ଷ ପୁରସ୍କାର ରାଶି ବିଶିଷ୍ଟ ଏହି ପ୍ରତିଯୋଗିତାରେ ଅଭିଯାନ ଆରମ୍ଭ କରିବେ ପୂର୍ବତନ ଟପ ସିଡ୍ ଖେଳାଳି ଦକ୍ଷିଣ କୋରିଆର ସୁଙ୍ଗ୍ ଜି ଝୁନ୍ଙ୍କ ବିପକ୍ଷରେ ଖେଳି । ସିନ୍ଧୁ ଓ ଝୁନ୍ଙ୍କ ମଧ୍ୟରେ ହୋଇଥିବା ଗତ ୧୪ଟି ମୁକାବିଲା ମଧ୍ୟରୁ ସିନ୍ଧୁ ୮ଟିରେ ବିଜୟୀ ହୋଇଥିବାବେଳେ ହାରିଛନ୍ତି ୬ଟିରେ । ଗତ ଥର ଏହି ପ୍ରତିଯୋଗିତାରେ ସେମି ପ୍ରବେଶ କରିଥିବା ସିନ୍ଧୁ କହିଛନ୍ତି ମୋ’ ପାଇଁ ପ୍ରତ୍ୟେକ ରାଉନ୍ଦ ଫାଇନାଲ ଭଳି । ପ୍ରଥମ ମ୍ୟାଚରୁ ଏକାଗ୍ରତା ସହ ଖେଳିବାକୁ ମନସ୍ତ କରିଛି । ଏହି ପ୍ରତିଯୋଗିତା ପାଇଁ ୮ମ ସିଡେଡ୍ ପାଇଥିବା ଅନ୍ୟତମ ମହିଳା ଖେଳାଳି ସାଇନା ନେହୱାଲ ପ୍ରଥମ ରାଉନ୍ଦରେ ସ୍କଟଲାନ୍ଦର କ୍ରୀଷ୍ଟି ଗିଲ୍ମୋରଙ୍କ ବିପକ୍ଷରେ ଖେଳିବେ । ସାଇନା କ୍ରୀଷ୍ଟିଙ୍କ ବିପକ୍ଷରେ ଖେଳିଥିବା ସମସ୍ତ ୬ଟି ମ୍ୟାଚରେ ବିଜୟୀ ହୋଇଛନ୍ତି । ଏହି ପ୍ରତିଯୋଗିତାରେ ଭାଗନେଇଥିବା ଖେଳାଳିମାନଙ୍କ ମଧ୍ୟରୁ ସାଇନା ଏକମାତ୍ର ଖେଳାଳି ଯେ କି ୨୦୧୫ରେ ଫାଇନାଲ ଖେଳି ଉପବିଜେତା ବନିଥିଲେ । ସାଇନା ଏବର୍ଷ ଆରମ୍ଭରୁ ଭଲ ଫର୍ମରେ ଅଛନ୍ତି । ତାଙ୍କ ଠାରୁ ପୁଣି ଏକ ଟାଇଟଲ ଆଶା କରାଯାଏ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*