‘ଅଲ୍‌ ଇଜ୍‌ ୱେଲ୍‌’ ଚଳନ୍ତା ଟ୍ରେନ୍‌ରେ ତିନି ଯୁବକ କରାଇଲେ ମହିଳାଙ୍କ ଡେଲିଭରି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : କୋଲକାତା

ବଲିଉଡର ସେହି ସୁପରହିଟ୍‌ ଫିଲ୍ମ ‘ଥ୍ରି ଇଡିୟଟ୍‌’ର ଗୋଟିଏ ଦୃଶ୍ୟ ନିଶ୍ଚିତ ଭାବେ ସମସ୍ତଙ୍କର ମନେରହିଛି । ଏହି ଦୃଶ୍ୟରେ ତିନିଜଣ ଛାତ୍ର ଜଣେ ମହିଳାଙ୍କର ଡେଲିଭରି କରାଇଥିଲେ । ପ୍ରବଳ ବର୍ଷା ଓ ପବନ ଯୋଗୁ ଆମ୍ବୁଲାନ୍ସ ନ ପହଞ୍ଚିବାରୁ ଡାକ୍ତରୀ ଜ୍ଞାନ ନଥିଲେ ମଧ୍ୟ ଏହି ତିନିଜଣ ସଫଳତା ସହ ମହିଳାଙ୍କର ଡେଲିଭରି କରାଇଥିଲେ, ସୁସ୍ଥ ଶିଶୁକୁ ଧରାପୃଷ୍ଠକୁ ଆଣିଥିଲେ । ଏହାଥିଲା ରିଲ୍‌ ଷ୍ଟୋରି । ମାତ୍ର ରିୟଲ ଲାଇଫରେ ମଧ୍ୟ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ଚଳନ୍ତା ଟ୍ରେନ୍‌ରେ ଜଣେ ମହିଳାଙ୍କ ପ୍ରସବ ବେଦନାକୁ ଦୃଷ୍ଟିରେ ରଖି ଏହି ତିନିଜଣ ଡେଲିଭରି କରିବାକୁ ଆଗେଇ ଆସିଥିଲେ ଏବଂ ସଫଳ ମଧ୍ୟ ହୋଇଥିଲେ ।
ଜଳପାଇଗୁଡିରେ ରବିବାର ଅଗରତାଲା-ହବିବ୍‌ଗଞ୍ଜ ଏକ୍ସପ୍ରେସରେ ଏହି ଘଟଣା ଦେଖିବାକୁ ମିଳିଥିଲା । ଚଳନ୍ତା ଟ୍ରେନ୍‌ ଭିତରେ ପ୍ରସବ ବେଦନାରେ ଛଟପଟ ଜଣେ ମହିଳାଙ୍କ ଚିକ୍ରାର ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଏହାକୁ ଦେଖି ସହଯୋଗ ପାଇଁ ଆଗେଇ ଆସିଥିଲେ ମହମ୍ମଦ ସୋହରାବ, ତି୍ରଭୁବନ ସିଂ ଏବଂ ସୁବେଦାର ଗଡୱା । ସେମାନେ ଟ୍ରେନ୍‌ର ଗୋଟିଏ ଡବାରୁ ଅନ୍ୟ ଡବାକୁ ଯାଇ ଡାକ୍ତର ଖୋଜିଥିଲେ । ମାତ୍ର ପାଇନଥିଲେ । ପରେ ଏହି ତିନିଜଣ ଅନ୍ୟ ମହିଳା ଯାତ୍ରୀଙ୍କ ଠାରୁ କିଛି ଲୁଗାପଟା ସଂଗ୍ରହ କରି ଗର୍ଭବତୀ ମହିଳାଙ୍କ ଦ୍ୱାରା ସନ୍ତାନ ଜନ୍ମ ଦେବାର ସହଯୋଗ କରିଥିଲେ । ପରେ ଚଳନ୍ତା ଟ୍ରେନ୍‌ ଭିତରେ ଶିଶୁର କୁଆଁ କୁଆଁ ରାବ ଶୁଣିବାକୁ ମିଳିଥିଲା ।
ଶିଶୁ ଜନ୍ମ ପରେ ତା’ର ଗର୍ଭନାଳ ହଟାଯିବା କଥା । ମାତ୍ର ଏକ୍ଷେତ୍ରରେ କାହାର ଅଭିଜ୍ଞତା ନଥିଲା । ସେମାନେ ଟ୍ରେନ୍‌ର ଚେନ୍‌ ଭିଡି ଟ୍ରେନ୍‌କୁ ଅଟକାଇବାର ଚେଷ୍ଟା କରିଥିଲେ । ମାତ୍ର ସଫଳ ହୋଇନଥିଲେ । ପରେ ରେଳବାଇ ଗାର୍ଡ ଶଙ୍କର ପ୍ରସାଦ ଏମରଜେନ୍ସି ବ୍ରେକ୍‌ ମାରିଥିଲେ । ଟ୍ରେନ୍‌ଟି ଜଳପାଇଗୁଡି ଷ୍ଟେସନ୍‌ ପୂର୍ବରୁ ଅଟକି ଯାଇଥିଲା । ଏହି ସମୟ ଭିତରେ ଏହି ତିନିଜଣ ଯୁବକ ଆରପିଏଫ୍‌ ଏବଂ ଷ୍ଟେସନ ମାଷ୍ଟରଙ୍କୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ । ଆଉ ଟ୍ରେନ୍‌ଟି ଅଟକିବା ପରେ ମହିଳାଙ୍କୁ ସହଯୋଗ କରିବା ପାଇଁ ସ୍ଥାନୀୟ ଜଣେ ଡାକ୍ତରଙ୍କୁ ଅଣାଯାଇଥିଲା । ଏହାପରେ ଉକ୍ତ ମହିଳା ଏବଂ ଶିଶୁଟିକୁ ଆବଶ୍ୟକୀୟ ଚିକିତ୍ସା କରାଯାଇଥିଲା । ଏହି ଘଟଣା ପାଇଁ ଟ୍ରେନ୍‌ଟି ପାଖାପାଖି ୧ ଘଣ୍ଟା ବିଳମ୍ବ ହୋଇଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*