ଅଲିମ୍ପିକ୍‌ ସ୍ଥଗିତ ରଖିବା ପାଇଁ ବିଶ୍ୱସାରା ଦାବିରେ ଶୁଭିଲା ଭାରତୀୟ ସ୍ୱର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

କ୍ରମେ ସାରା ବିଶ୍ୱରୁ ଟୋକିଓ ଅଲିମ୍ପିକକୁ ବର୍ଷେ ଗଡେଇ ଦେବା ନହେଲେ ଏବର୍ଷର ଶେଷ ଆଡକୁ କରିବା ପାଇଁ ଦେଉଥିବା ଦାବିର ସ୍ୱର ଜୋର ହେବାରେ ଲାଗିଛି । ଏଥିରେ ସାମିଲ ହୋଇଛି ଭାରତୀୟ ଖେଳାଳିଙ୍କ ସ୍ୱର । କରୋନା ଭାଇରସ୍‌ ପାଇଁ ରବିବାର ଜନତା କର୍ଫୁ୍ୟରେ ଖେଳାଳିମାନେ ସାମିଲ ଥିଲା ବେଳେ ବହୁ ଖେଳାଳି ଅଲିମ୍ପିକକୁ ପରବର୍ତ୍ତୀ ସମୟ ସକାଶେ ଗଡାଇ ଦେବାପାଇଁ ଦାବି କରିଛନ୍ତି । ସବୁଆଡେ ଲକ୍‌ଡାଉନର ଅବସ୍ଥା ସୃଷ୍ଟି ହୋଇଥିରୁ ତଥା ରୋଜ ଅଭ୍ୟାସ କରିବାର ସୁବିଧା ସରିଯାଇଥିବାରୁ ଅଲିମ୍ପିକ୍‌ ଗଡାଇ ଦେବା ପାଇଁ ଦାବି କରୁଛନ୍ତି ସେମାନେ । ଚୀନରୁ ବାହାରି ଏବେ ସାରା ବିଶ୍ୱକୁ କବଳିତ କରିସାରିଥିବା କରୋନା ଭୂତାଣୁ ଆକ୍ରାନ୍ତରେ ପ୍ରାୟ ୧୩ ହଜାରରୁ ବେଶି ଲୋକଙ୍କର ଜୀବନ ଯାଇସାରିଲାଣି ।
ଜଣେ ଖେଳାଳି ଭାବରେ ମୁଁ ନିଶ୍ଚିତ ଭାବେ ଚାହିଁବି ଅଲିମ୍ପିକ୍‌ ହେଉ ବୋଲି । ହେଲେ ମୋର ବର୍ତ୍ତମାନ ମତ ଅଲିମ୍ପିକ୍‌ ଏବେ ନହେଉ ବୋଲି କହିଛନ୍ତି ଭାରତର ବରିଷ୍ଠ ଟେବୁଲ ଟେନିସ୍‌ ଖେଳାଳି ଶରଥ କମଲ । ବର୍ତ୍ତମାନ ଏହି ଭାଇରସ୍‌ ନୂଆନୂଆ ଦେଶରେ ମହାମାରୀର ରୂପ ନେଉଛି । ପ୍ରଥମେ ଚୀନ, ତା’ପରେ ଇଟାଲୀ ପରେ ଇରାନ ଓ ଏବେ ବି୍ରଟେନରେ ଅସମ୍ଭାଳ ଅବସ୍ଥା ସୃଷ୍ଟି କରିଛି । ତେଣୁ ଜୁଲାଇ ୨୪ରେ ଅଲିମ୍ପିକ୍‌ ଆରମ୍ଭ ହେବା ସହଜ କିମ୍ବା ସୁରକ୍ଷିତ ନୁହେଁ ବୋଲି କମଲ କହିଛନ୍ତି । ବର୍ତ୍ତମାନ ଏହି ଭୂତାଣୁ ରକ୍ଷା ପାଇବା ପାଇଁ ସାମାଜିକ ଦୂରତ୍ୱ ଏକମାତ୍ର ମାଧ୍ୟମ ବୋଲି କୁହାଯାଉଛି । ଯାହା ଅଲିମ୍ପିକରେ ହୋଇପାରିବ ନାହିଁ । ହଜାର ହଜାର ଖେଳାଳି ଗୋଟିଏ ସ୍ଥାନରେ କ୍ରୀଡ଼ା ଗ୍ରାମରେ ରହିବେ ବୋଲି ସେ କହିଛନ୍ତି । ଏପର୍ଯ୍ୟନ୍ତ ଜାପାନର ଆୟୋଜକମାନେ ଅଲିମ୍ପିକ ଠିକ୍‌ ସମୟରେ ହେବ ବୋଲି କହୁଥିଲେ ମଧ୍ୟ ଖେଳ ସଙ୍ଗଠନଗୁଡିକ କିନ୍ତୁ ଏହାକୁ ଘୁଞ୍ଚାଇବା ପାଇଁ ଦାବି କରୁଛନ୍ତି । ଭାରତୀୟ ଅଲିମ୍ପିକ୍‌ ସଂଘ ଯଦି ଠିକଣା ସମୟରେ ଅଲିମ୍ପିକ୍‌ ହୁଏ ତା’ହେଲେ ଭାରତୀୟ ଖେଳାଳି ଭାଗ ନେବେ ବୋଲି କହିସାରିଛି । ଭାରତୀୟ ମହିଳା ଟେନିସର ସବୁଠୁ ବଡ଼ ଖେଳାଳି ସାନିଆ ମିର୍ଜା ରବିବାର ବତାଇ ସାରିଛନ୍ତି ଯେ ଯାହା ଭାରତୀୟ ଅଲିମ୍ପିକ୍‌ ସଂଘ ନିଷ୍ପତ୍ତି ନେବ ତାହାକୁ ସେ ପାଳନ କରିବେ । ହେଲେ ଅନ୍ୟତମ ଟେନିସ୍‌ ଲିଜେନ୍ଦ ମହେଶ ଭୂପତି କିନ୍ତୁ ଏବେ ଅଲିମ୍ପିକ୍‌ ହେବାକୁ ନେଇ ସନେ୍ଦହରେ ଅଛନ୍ତି । ବିଶ୍ୱରେ ବର୍ତ୍ତମାନ ଯାହା ପରିସ୍ଥିତି ସେଥିରେ ଗୋଟିଏ କଥା ସ୍ପଷ୍ଟ ଅଲିମ୍ପିକ୍‌ କିଛିମାସ ଗଡାଇ ଦେବା ଉଚିତ୍‌ ବୋଲି ଭୂପତି ମତ ଦେଇଛନ୍ତି । ଅଲିମ୍ପିକ୍‌ ଗୋଷ୍ଠୀ ଶ୍ରେଷ୍ଠମାନଙ୍କ ଭିତରେ ଲଢେଇ ହେଉଥିବାର କ୍ରୀଡ଼ା । ହେଲେ ଯେପରି ଭାବରେ ବର୍ତ୍ତମାନ ଅଭ୍ୟାସ କିମ୍ବା ପ୍ରତିଯୋଗିତା ବନ୍ଦ ରହିଛି ସେ ଦୃଷ୍ଟିରୁ ଦେଖିଲେ ବର୍ତ୍ତମାନ ଅଲିମ୍ପିକ୍‌ ନକରାଯିବା ହିଁ ଠିକ୍‌ ନିଷ୍ପତ୍ତି ହେବ ବୋଲି ମହେଶ କହିଛନ୍ତି ।
ଚୁପ୍‌ଚାପ୍‌ ସ୍ଥଗିତର ହେଉଛି ଯୋଜନା
ରବିବାର ପର୍ଯ୍ୟନ୍ତ ଟୋକିଓ ଅଲିମ୍ପିକ୍‌ କ୍ରୀଡ଼ାର ଆୟୋଜକ ଜାପାନ ପକ୍ଷରୁ ଏହାର ଆୟୋଜନ ଜୁଲାଇରେ ହେବାର ଦୃଢତା ବତାଯାଉଛି । ହେଲେ ଏକ ସୂତ୍ରରୁ ମିଳୁଥିବା ଖବର ଅନୁସାରେ ଚୁପ୍‌ଚାପ୍‌ ସେମାନେ ପରିସ୍ଥିତି ଏପରି ବିଷମୟ ରହିଲେ ଏହାକୁ ଗଡାଇ ଦେବାର କରୁଛନ୍ତି ଯୋଜନା । ଜାପାନ ସରକାରଙ୍କ ପକ୍ଷରୁ ଏତେ ଟଙ୍କା ବ୍ୟୟ କରାଯାଇଛି ଓ ପର୍ଯ୍ୟଟନ ଶିଳ୍ପକୁ ନେଇ ଏତେ ଆଶା କରାଯାଇଛି ଯେ, ଏହାକୁ ବନ୍ଦ ରଖାଗଲେ ପ୍ରଚୁର କ୍ଷତି ହେବାର ସମ୍ଭାବନା ସବୁଠାରୁ ଅଧିକ । ତେଣୁ ସୂତ୍ରଙ୍କ କହିବା ଅନୁସାରେ ପ୍ଳାନ୍‌-ବି, ସି ଏବଂ ଡି ଉପରେ କାମ କରାଯିବା ଆରମ୍ଭ ହୋଇଗଲାଣି । ଯଦି ଏହାକୁ ଗଡାଯିବ କେତେ ଦିନ ଗଡା ଯିବ ତଥା କେଉଁ ସମୟରେ ଏହା ପୁଣି କରାଯାଇପାରିବ ତାହା ବିଚାର କରାଯାଇ ଯୋଜନା କରାଯାଉଛି । ବିଶେଷ କରି ଆର୍ଥିକ କ୍ଷତିର ହିସାବ ନିଆଯାଉଛି ବେଶି । ପ୍ରାୟ ଦେଶମାସ ବିଳମ୍ବ କରିବା ପାଇଁ ଆଲୋଚନା ଆରମ୍ଭ କରାଯାଇ ସେଭଳି ଯୋଜନା ଏବଂ ଖେଳ କାର୍ଯ୍ୟସୂଚୀ ତିଆରି ହେଉଥିବା ଚର୍ଚ୍ଚା ଆରମ୍ଭ ହେଲାଣି । ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ଅଲିମ୍ପିକ୍‌ ସରିବାର ଅଛି । ତେଣୁ ଦେଢମାସ ବିଳମ୍ବ ଅର୍ଥ ଅକ୍ଟୋବର ପ୍ରଥମ ସପ୍ତାହରେ ଏହାକୁ ଆରମ୍ଭ କରାଯାଇପାରେ ବୋଲି କିଛି ଅଧିକାରୀ କହିଲେଣି । ୨୦୨୧ ମସିହାରେ ଟୋକିଓ ଅଲିମ୍ପିକ୍‌ ହେବାର କଥା ମଧ୍ୟ ଉଡୁୂଛି । ହେଲେ ଏତେ ଦିନ ପର୍ଯ୍ୟନ୍ତ ପ୍ରାୟୋଜକମାନଙ୍କୁ ଏହି ପ୍ରତିଯୋଗିତା ସହ ବାନ୍ଦି ରଖିବା ସମ୍ଭବ ନହୋଇପାରେ । ସେହିପରି ୨୦୨୧ରେ ବହୁବଡ଼ ପ୍ରତିଯୋଗିତା ହେବାର ଥିବାରୁ ଏହାକୁ ୨୦୨୦ରେ ହିଁ ଶେଷ କରିବା ଉପରେ ଅଧିକ ଫୋକସ୍‌ କରାଯାଉଛି ।

ବାଧ୍ୟ ହୋଇ ମୁଁ କରୁଛି ଅଭ୍ୟାସ: ଭାକର
ସୁଟିଂ ପ୍ରତିଯୋଗିତା ଗୁଡିକ ସବୁ ସ୍ଥଗିତ ହୋଇଯାଇଛି । ଟ୍ରାଏଲ ଏବଂ ଟ୍ରେନିଂ ଶିବିର ମଧ୍ୟ ଏବେ ହେଉନାହିଁ । ଏଭଳି ଅବସ୍ଥାରେ ଦେଶର ଅନ୍ୟତମ ଯୁବ ପ୍ରତିଭା ସୁଟର ମନୁ ଭାକରଙ୍କ ମନରେ ଦେଶରୁ କିପରି କରୋନା ଆତଙ୍କ ଯିବ ତା’ରି ଉପରେ ରହିଛି ଫୋକସ୍‌ । ବର୍ତ୍ତମାନ ସମୟ ଖେଳର ନୁହେଁ । ହେଲେ ଅଲିମ୍ପିକ୍‌ ଭଳି ବଡ଼ ପ୍ରତିଯୋଗିତା ଆଗକୁ ଥିବାରୁ ମୋତେ ବାଧ୍ୟ ହୋଇ ନିୟମିତ ଫିଟ୍‌ ରହିବାର ଏବଂ ଅଲିମ୍ପିକ୍‌ ପାଇଁ ପ୍ରସ୍ତୁତି କରିବାର କାମ କରିବାକୁ ପଡୁଛି । ଘରେ ମୁଁ ବଡ଼ ଶାନ୍ତିରେ ଅଛି । ମନଭିତରେ କୌଣସି କଥା ଆଣୁନାହିଁ । ଯୋଗ ସାଙ୍ଗକୁ ପ୍ରାଣାୟନ ମଧ୍ୟ କରୁଛି, ଏବଂ ତାହା ସହ ସୁଟର ଭାବେ ଫିଟ୍‌ ରହିବା ପାଇଁ ଯାହା ମୋର କରିବା କଥା ସେସବୁ କରୁଛି ବୋଲି ଭାକର କହିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*