ଅରୁଣ ଦାଦା ଏମିତି ଇଜ୍ଜତ ହରେଇଲେ କାହିଁକି?

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଦାଦାଙ୍କ ପ୍ରତି ଏହି ନିନ୍ଦୁକର ପ୍ରଚୁର ସମ୍ମାନ । ଟାଣୁଆ ନେତା । ଏଥିରେ କାହାର ସନେ୍ଦହ ନାହିଁ । ବଡ ଶ୍ରମିକ ସଂଗଠକ । କମୁ୍ୟନିଷ୍ଟ ହେଇ ରାଜନୀତି ଆରମ୍ଭ କରି ସ୍ୱାଧୀନରେ ବି ଜିତିଚନ୍ତି ବିଧାନସଭାକୁ । ଦାଦାଙ୍କ ପାରିବାର ପଣିଆକୁ ପ୍ରଶ୍ନ କରାଯାଇପାରିବ ନାହିଁ ।
କିନ୍ତୁ ଦାଦାଙ୍କର କ’ଣ ପୁଣି ଥରେ ପରିଚୟ ଜାହିର କରିବା ନିମନ୍ତେ ଶଙ୍ଖ ଷ୍ଟାମ୍ପ ଦରକାର ପଡିଲା କି? ଦାଦା ତ ନିଜେ ନିଜର ପରିଚୟ । କିନ୍ତୁ ଏହି ଶେଷ ବେଳରେ ଏମିତି ବିକଳିଆ ହେଇ ଦାଦାଙ୍କ ପରି ଟାଣୁଆ ନେତା ଶଙ୍ଖ ଫୁଙ୍କୁଥିଲେ କାହିଁକି? ଶେଷ ବେଳକୁ ଯଦି ଉପନିର୍ବାଚନ ଟିକଟ ମୁଖିଆ ଦେଇଥାନ୍ତେ, ତେବେ ହୁଏତ ଜଣାପଡିଥାନ୍ତା ଯେ, ବାବୁ ନବୀନଙ୍କର ଏହି ବରିଷ୍ଠ ନେତାଙ୍କ ପ୍ରତି ସମ୍ମାନ ଓ ସହାନୁଭୂତି ଅଛି । କିନ୍ତୁ ଲୋକେ ଜାଣିଲେ ଦାଦା ଆମର ହେଇଗଲେ ଧୋକାର ଶିକାର ।
କାହା କଥାରେ ପଡି ଏବଂ କ’ଣ ପାଇଁ ଅରୁଣ ଦେ’ ପୁଣି ଶଙ୍ଖ ଧରିବାକୁ ମନ ବଳେଇଲେ? କେହି ତ ଜଣେ ଦାଦାଙ୍କୁ ଟିକଟ ଗଦ ଶୁଙ୍ଘେଇ ଥିଲା? ଏହି ନେତା ଜଣଙ୍କ କିଏ? ପ୍ରତାପ ଜେନା ଦଳକୁ ଆସିବା ପାଇଁ ତାଙ୍କୁ ବୁଝଉଥିଲେ । କିନ୍ତୁ ଦାଦା ତ କହିଥିଲେ ଯେ, ନିଷ୍ପତ୍ତି ଆଗେ ନିଅନ୍ତୁ ମୁଖିଆ । କିନ୍ତୁ ମୁଖିଆଙ୍କ ସହ ଡାଇରେକ୍ଟ କଥା ନହେଇ କେମିତି ଶଙ୍ଖ ଫୁଙ୍କିବାକୁ ରାଜି ହେଇଗଲେ ଦାଦା?
୨୦୧୪ରେ ଅତନୁ ଜାଲରେ ପଡି ଦାଦା ମନବଳାଇଥିଲେ ଶଙ୍ଖ ଟିକଟରେ ଲଢିବାକୁ । ନବୀନ ନିବାସ ବାରନ୍ଦା ପର୍ଯ୍ୟନ୍ତ ଚାଲିଗଲେ । ଶଙ୍ଖ ସମ୍ପତ୍ତି ହେଇଗଲେ । କିନ୍ତୁ ୧୫ଦିନରେ ତୁଟିଗଲା ମୋହ । ପଇସାବାଲା ଜେନା ବାବୁ ପାଇଲେ ଟିକଟ । ସେଇଠୁ ଦାଦା ଘୋଷଣା କଲେ ଯେ, ଆଉ ଦଳ ନବୀନଙ୍କ ହାତରେ ନାହିଁ । ଏବେ ପଇସା ଦେଲେ ମିଳୁଚି ଟିକଟ ।
ଏତେକଥା ଯଦି ଦାଦା ଜାଣିଥିଲେ ତେବେ ପୁଣି ୬ବର୍ଷ ପରେ ବେଇଜ୍ଜତ ହବାକୁ କାହିଁକି ତାଙ୍କର ଇଚ୍ଛା ହେଲା କେଜାଣି? ଯଉଁ ଦଳକୁ ନାତେ ପକେଇ ଚାଲିଆସିଥିଲେ,ପୁଣି କଉଁ ଲୋଭରେ ଦାଦା ସେଇ ଦଳକୁ ଏଇ ବେଳରେ ଗଲେ? ଏବେ ତ ଜାଣି ପାରୁଥିବେ ଯେ କ’ଣ ଚାଲିଚି ଶଙ୍ଖ ଦଳରେ । ବାଲେଶ୍ୱରରେ ତାଙ୍କ ବନ୍ଧୁ ରବି କି ଖେଳ କରୁଚନ୍ତି? ନିଜେ ମୁଖିଆଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରାଇ ବାହାରେ ଭଲଲୋକ ସାଜୁଚନ୍ତି ରବି । ଏମିତି ନେତା ଏବେ ଶଙ୍ଖ ଦଳରେ ଭର୍ତ୍ତି ହେଇଗଲେଣି ।
୬ବର୍ଷ ଆଗରୁ ଦାଦା ଯାହା କହିଥିଲେ, ଆଜି ତା’ଠୁ ଅଧିକ ବିଷମ ପରିସ୍ଥିତି ଶଙ୍ଖ ଦଳରେ । ମୁଖିଆ ନିବାସରେ ଆତ୍ମବନ୍ଦୀ । ଯିଏ ବାଲେଶ୍ୱରରୁ ଟିକଟ ପାଇଲେ ତାଙ୍କୁ ସେ କଦାପି ଚିହ୍ନି ନଥିବେ । ନା ପଚାରିଲେ ଯଦି କହିଦେବେ, ତେବେ ଆମେ ଲେଖାପଢା ଛାଡି ସନ୍ୟାସୀ ହେଇଯିବୁ । ଦଳ କାହା ନିୟନ୍ତ୍ରଣରେ ଅଛି, ଏକଥା ଭଲ ଭାବେ ଜାଣି ବି ଦାଦା ଏମିତି ଶେଷ ବେଳରେ କାହଁକି ଯେ ବାଉଳା ହେଇଗଲେ? ଏହା ଦ୍ୱାରା ତାଙ୍କର ଇଜ୍ଜତ ବଢି ନାହିଁ ବରଂ କମିଚି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*