ଅଯୋଧ୍ୟା ଶୁଣାଣି ଶେଷ, ରାୟ ସଂରକ୍ଷିତ ଗୁରୁବାର ମଧ୍ୟସ୍ଥତା ପ୍ୟାନେଲ ସହ ଖନ୍ଦପୀଠର ବୈଠକ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ

ଅଯୋଧ୍ୟା ଜମି ବିବାଦ ମାମଲାରେ ବୁଧବାର ଶୁଣାଣି ଶେଷ ହୋଇଛି । ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସାମ୍ବିଧାନିକ ଖନ୍ଦପୀଠ ଏହି ମାମଲାରେ ଲାଗାତାର ୪୦ ଦିନ ଶୁଣାଣି କରିବା ପରେ ରାୟକୁ ସଂରକ୍ଷିତ ରଖିଛନ୍ତି । ସୁପ୍ରିମକୋର୍ଟ କେବେ ବିବାଦୀୟ ରାମ ଜନ୍ମଭୂମି-ବାବ୍ରୀ ମସଜିଦ୍‌ ମାମଲାର ରାୟ ପ୍ରକାଶ କରିବେ ସେ ନେଇ କିଛି ନିର୍ଦ୍ଦିଷ୍ଟ ତାରିଖ ଘୋଷଣା କରିନଥିଲେ ମଧ୍ୟ ଆଗାମୀ ୨୩ ଦିନ ମଧ୍ୟରେ ଅଯୋଧ୍ୟା ମାମଲାର ରାୟ ପ୍ରକାଶ ହେବ ବୋଲି ସ୍ପଷ୍ଟ କରିଛନ୍ତି । ସାମ୍ବିଧାନିକ ଖନ୍ଦପୀଠର ଅଧ୍ୟକ୍ଷତା କରୁଥିବା ପ୍ରଧାନ ବିଚାରପତି (ସିଜେଆଇ) ରଞ୍ଜନ ଗୋଗୋଇ ଆସନ୍ତା ନଭେମ୍ବର ୧୭ରେ ଅବସର ଗ୍ରହଣ କରିବାକୁ ଯାଉଥିବାରୁ ଏହା ପୂର୍ବରୁ ହିଁ ଅଯୋଧ୍ୟା ଜମି ବିବାଦ ମାମଲାର ରାୟ ପ୍ରକାଶ ପାଇବ ବୋଲି କୁହାଯାଉଛି । ମଙ୍ଗଳବାର ନିଜେ ସିଜେଆଇ ମଧ୍ୟ ବୁଧବାର ମାମଲାର ଶୁଣାଣି ସଂଧ୍ୟା ୫ଟା ସୁଦ୍ଧା ଶେଷ କରିବାକୁ ଉଭୟ ପକ୍ଷକୁ କହିଥିଲେ । ଆଉ ବୁଧବାର ଧାର୍ଯ୍ୟ ସମୟର ଘଣ୍ଟାକ ପୂର୍ବରୁ ଶୁଣାଣି ଶେଷ ହୋଇଥିବା ଜଣାପଡିଛି । ଶୁଣାଣି ଶେଷ ହେବା ପରେ ସୁପ୍ରିମକୋର୍ଟ ମାମଲାର ସମସ୍ତ ପକ୍ଷଙ୍କୁ ଆଗାମୀ ୩ ଦିନ ମଧ୍ୟରେ ‘ମୋଲ୍ଡିଂ ଅଫ୍‌ ରିଲିଫ୍‌’ ଉପରେ ଲିଖିତ ଜବାବ ଦାଖଲ ପାଇଁ ନିଦେ୍ର୍ଦଶ ଦେଇଥିବା ଜଣାପଡିଛି । ଅର୍ଥାତ୍‌ ସବୁ ପକ୍ଷ, ଯଦି ଜମିର ମାଲିକାନା କୌଣସି ନିର୍ଦ୍ଦିଷ୍ଟ ଅବା ଦୁଇ ପକ୍ଷକୁ ମିଳେ, ତେବେ ଅବଶିଷ୍ଟ ପକ୍ଷଙ୍କ ପାଇଁ କ’ଣ ବିକଳ୍ପ ବ୍ୟବସ୍ଥା ହୋଇପାରିବ, ତାହା ଉପରେ ଜବାବ ଦାଖଲ କରିବେ । ପ୍ରକାଶ ଥାଉ କି, ସାମ୍ବିଧାନିକ ଖନ୍ଦପୀଠରେ ସିଜେଆଇ ରଞ୍ଜନ ଗୋଗୋଇଙ୍କ ବ୍ୟତୀତ ଜଷ୍ଟିସ୍‌ ଏସଏ ବୋବଡେ, ଜଷ୍ଟିସ୍‌ ଏୱାଇ ଚନ୍ଦ୍ରଚୂଡ, ଜଷ୍ଟିସ ଅଶୋକ ଭୂଷଣ ଏବଂ ଜଷ୍ଟିସ୍‌ ଏସଏ ନଜୀର ରହିଛନ୍ତି ।
ଶୁଣାଣିବେଳେ ନକ୍ସା ଚିରିଲେ ମୁସଲିମ୍‌ ପକ୍ଷ ଓକିଲ
ଅଯୋଧ୍ୟା ଜମି ବିବାଦ ମାମଲାରେ ଲଗାତାର ୪୦ ଦିନର ଶୁଣାଣିବେଳେ ଉଭୟ ହିନ୍ଦୁ ଏବଂ ମୁସଲିମ୍‌ ପକ୍ଷ ଜମି ଉପରେ ନିଜର ଅଧିକାର ସାବ୍ୟସ୍ତ କରିବା ସକାଶେ ବିଭିନ୍ନ ଦସ୍ତାବିଜ୍‌ ଉପସ୍ଥାପନ କରିବା ସହ ଯୁକ୍ତିତର୍କ ବାଢିଥିଲେ । ହେଲେ ଶୁଣାଣିର ଅନ୍ତିମ ଦିନରେ କୋର୍ଟରୁମରେ ଏକ ଅପ୍ରୀତିକର ପରିସ୍ଥିତି ଦେଖିବାକୁ ମିଳିଥିଲା । ହିନ୍ଦୁ ମହାସଭାର ଓକିଲ ବିକାଶ ସିଂହ କୋର୍ଟରେ ବିବାଦୀୟ ସ୍ଥଳରେ ରାମ ମନ୍ଦିର ଥିବା ବାବଦ ଏକ ନକ୍ସା ଉପସ୍ଥାପନ କରିଥିଲେ, ଯାହାକୁ ମୁସଲିମ୍‌ ପକ୍ଷ ଓକିଲ ରାଜୀବ ଧୱନ ଚିରିଦେଇଥିଲେ । ଏହାପରେ ଦୁଇ ପକ୍ଷ ମଧ୍ୟରେ କଥା କଟାକଟି, ବାକ୍‌ ବିତନ୍ଦା ହେବାର ଦେଖାଯାଇଥିଲା । ଏଥିରେ ପ୍ରଧାନ ବିଚାରପତି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ । ସେ କହିଥିଲେ ଯେ, ମାମଲାର ପକ୍ଷମାନେ ଏପରି ଏକ ପରିବେଶ ସୃଷ୍ଟି କରୁଛନ୍ତି, ଯାହା ଶୁଣାଣି ପାଇଁ ଆଦୌ ଅନୁକୂଳ ନୁହେଁ । ଆମେ ଏପରି କେବେ ଶୁଣାଣି କରିପାରିବୁ ନାହିଁ । ଲୋକେ ମନଇଚ୍ଛା ଛିଡା ହେଉଛନ୍ତି, ନିଜ ପାଳି ଆସିବା ଯାଏ ଅପେକ୍ଷା ନକରି ନିଜ କଥା ରଖୁଛନ୍ତି । ଯଦି ଏପରି ଚାଲେ, ତେବେ ଆମେ ମଧ୍ୟ ଉଠି ଚାଲିଯାଇପାରିବୁ ଏବଂ ମାମଲାକୁ ବନ୍ଦ କରିଦେବୁ ବୋଲି ସିଜେଆଇ କହିଥିଲେ । କିଶୋର କୁଣାଳଙ୍କ ଲିଖିତ ଏକ ପୁସ୍ତକରୁ ଉକ୍ତ ନକ୍ସାକୁ ଉଦ୍ଧୃତ କରି ହିନ୍ଦୁ ପକ୍ଷ ଓକିଲ ବିକାଶ ସିଂହ ବିବାଦୀୟ ସ୍ଥଳ ହିଁ ରାମଲାଲାଙ୍କ ବାସ୍ତବିକ ଜନ୍ମସ୍ଥାନ ବୋଲି ଦର୍ଶାଇବାକୁ ଚାହିଁଥିଲେ, ଯାହାକୁ ଧୱନ ଗ୍ରହଣ କରିବାକୁ ଅସ୍ୱୀକାର କରିଥିଲେ । ଅନ୍ୟପକ୍ଷରେ କୋର୍ଟରୁମ୍‌ ବାହାରେ ଯେତେବେଳେ ଗଣମାଧ୍ୟମ ଧୱନଙ୍କୁ କାହିିଁକି ନକ୍ସା ଚିରିଲେ ବୋଲି ପ୍ରଶ୍ନ କରିଥିଲା, ସେତେବେଳେ ସେ ଖନ୍ଦପୀଠ ହିଁ ତାଙ୍କୁ ଏପରି କରିବାକୁ କହିଥିଲେ ବୋଲି ପ୍ରକାଶ କରିଥିଲେ । ସୂଚନା ଅନୁସାରେ ବୁଧବାର ଯେତେବେଳେ ବିକାଶ ସିଂହ ଉକ୍ତ ନକ୍ସା କୋର୍ଟରେ ଉପସ୍ଥାପନ କରିଥିଲେ, ସେତେବେଳେ ଧୱନ ଖନ୍ଦପୀଠକୁ ଏହା ଦେଖାଇ ସିଂହ ଏଥିରୁ କ’ଣ ସାବ୍ୟସ୍ତ କରିବାକୁ ଚାହୁଁଛନ୍ତି ବୋଲି ପ୍ରଶ୍ନ କରିଥିଲେ । ଯେଉଁଥିରେ ଅଦାଲତ ବିଦ୍ରୁପ କରି ଏହାକୁ ତାହେଲେ ଚିରିଦିଅ ବୋଲି କହିଥିଲେ । ଯାହାପରେ ଧୱନ ନକ୍ସାଟିକୁ ଚିରି ଦେଇଥିଲେ ।
କୋର୍ଟରୁମରେ କ’ଣ ହେଲା
ଅନ୍ତିମ ଶୁଣାଣି ଦିନ ସୁନ୍ନି ୱାକଫ୍‌ ବୋର୍ଡ ଏବଂ ଅନ୍ୟ ମୁସଲିମ୍‌ ପକ୍ଷ ଅଯୋଧ୍ୟାର ବିବାଦୀୟ ଭୂମିରେ ମଗୋଲ ବାଦଶାହା ବାବର ମସଜିଦ୍‌ ନିର୍ମାଣ କରିଥିବାର ପ୍ରମାଣ ଦେବାକୁ ସକ୍ଷମ ହୋଇପାରିନାହାନ୍ତି ବୋଲି ଯୁକ୍ତି ବାଢିଥିଲେ ହିନ୍ଦୁ ପକ୍ଷ ।
ସୁପ୍ରିମକୋର୍ଟ ଦ୍ୱାରା ନିଯୁକ୍ତ ମଧ୍ୟସ୍ଥତା କମିଟି ବୁଧବାର କୋର୍ଟରେ ଏକ ବୁଝାମଣା ରିପୋର୍ଟ ଉପସ୍ଥାପନ କରିଥିବା ଜଣାପଡିଛି । ଏଥିରେ କୁହାଯାଇଛି ଯେ, ହିନ୍ଦୁ ଏବଂ ମୁସଲିମ୍‌ ପକ୍ଷ ବିବାଦୀୟ ଭୁମି ନେଇ ବୁଝାମଣା କରିବାକୁ ପ୍ରସ୍ତୁତ । ସୂଚନା ଅନୁଯାୟୀ, ମୁସଲମାନ ପକ୍ଷ ବିବାଦୀୟ ଭୂମି ଉପରୁ ନିଜ ଦାବି ପ୍ରତ୍ୟାହାର କରିବାକୁ ରାଜି, ହେଲେ ଏହା ବଦଳରେ ମସଜିଦ୍‌ ପାଇଁ ଜାଗା ପ୍ରଦାନର ପ୍ରତିଶ୍ରୁତି ଚାହୁଁଛି । ପ୍ରକାଶ ଥାଉ କି, ୧୩୪ ବର୍ଷ ପୁରୁଣା ଅଯୋଧ୍ୟା ଜମି ବିବାଦ ମାମଲାରେ ସୁନ୍ନି ୱାକଫ୍‌ ବୋର୍ଡ ଗତ ୫୮ ବର୍ଷ ଧରି ପ୍ରମୁଖ ଦାବିଦାରଭାବେ ଉଭା ହୋଇଛି । ହେଲେ ଏହା ବିବାଦୀୟ ଜମି ଉପରୁ ନିଜର ଦାବିଦାରୀ ଛାଡିବାକୁ ପ୍ରସ୍ତୁତ ଥିବା ବାବଦରେ ମୁସଲମାନ ପକ୍ଷ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ । ଅଲ୍‌ ଇନ୍ଦିଆ ବାବ୍ରୀ ମସଜିଦ୍‌ ସଂଯୋଜକ ଜଫରୟାବ ଜିଲାନୀଙ୍କୁ ଏସମ୍ବନ୍ଧରେ ପଚରାଯିବାରୁ ସେ ଏବିଷୟରେ କିଛି ଜାଣିନାହାନ୍ତି ବୋଲି କହିଛନ୍ତି ।
ସୂତ୍ରାନୁଯାୟୀ, ସୁନ୍ନି ୱାକଫ୍‌ ବୋର୍ଡର ଅଧ୍ୟକ୍ଷ ଜଫର ଅହମଦ ଫାରୁକିଙ୍କ ପକ୍ଷରୁ ଶ୍ରୀରାମ ପଞ୍ଚୁଙ୍କ ମାଧ୍ୟମରେ ଏକ ବୁଝାମଣା ଆବେଦନ କରାଯାଇଛି । ବୋର୍ଡ ଅଯୋଧ୍ୟାର ବିବାଦୀୟ ଜମି ଉପରୁ ନିଜର ଦାବି ପ୍ରତ୍ୟାହାର କରିବାର କଥା କହିଛି । ହେଲେ ଏହାର କାରଣ ଜଣାପଡିନଥିଲା । ବୋର୍ଡ ବିବାଦୀୟ ଜମି ବଦଳରେ ଅନ୍ୟ କୌଣସି ସ୍ଥାନରେ ଜମି ଦିଆଯିବା ସର୍ତ୍ତରେ ଏଥିରେ ସହମତ ପ୍ରକାଶ କରିଥିଲା । ଏହା ସହ ବୋର୍ଡ ସବୁ ଧାର୍ମିକ ସ୍ଥଳରେ ୧୯୪୭ ପୂର୍ବରୁ ଥିବା ସ୍ଥିତି ବଜାୟ ରଖିବାକୁ ଆଇନ୍‌ ଲାଗୁ କରିବାକୁ ଦାବି କରିଥିଲା । ଏହି ଆଇନ୍‌ ୧୯୯୧ ମସିହାରେ ତକ୍ରାଳୀନ ନରସିଂହ ରାଓ ସରକାର ପ୍ରଣୟନ କରିଥିଲେ । ଏହାଛଡା ବୁଝାମଣାପତ୍ରରେ ଅଯୋଧ୍ୟାର କିଛି ମସଜିଦ୍‌ରେ ମରାମତି ଏବଂ ଏଏସଆଇ ଦ୍ୱାରା ସଂରକ୍ଷିତ କିଛି ସ୍ମାରକସ୍ଥଳୀ ଦର୍ଶନ ପାଇଁ ଅନୁମତି ଦେବାକୁ ମଧ୍ୟ ଦାବି କରାଯାଇଛି । ସର୍ବୋପରି ଆଗକୁ ଯେପରି ସବୁ ପକ୍ଷ ମଧ୍ୟରେ ଭାଇଚାରା ବଜାୟ ରହିବ, ସେଥିଲାଗି ସମସ୍ତଙ୍କ ଦସ୍ତଖତ ବୁଝାମଣାପତ୍ରରେ ରହିବା ସହ ଏକ ସଦଭାବନା ସଂସ୍ଥା ନିର୍ମାଣ ପାଇଁ ପରାମର୍ଶ ଦିଆଯାଇଛି ।
ପ୍ରକାଶ ଥାଉ କି, ଅଯୋଧ୍ୟା ଜମି ବିବାଦ ମାମଲାରେ ୭ଟି ମୁସଲିମ୍‌ ପକ୍ଷ ରହିଛି । ତନ୍ମଧ୍ୟରୁ ସିୟା ୱାକଫ୍‌ ବୋର୍ଡ ପୂର୍ବରୁ ହିଁ ବିବାଦୀୟ ସ୍ଥଳରେ ରାମ ମନ୍ଦିର ନିର୍ମାଣ ନେଇ ସହମତି ପ୍ରକାଶ କରିସାରିଛି । ଏହି ମାମଲାର ଅବଶିଷ୍ଟ ମୁସଲିମ ପକ୍ଷ ମାନେ ହେଲେ ସୁନ୍ନି ୱାକଫ୍‌ ବୋଡ, ହାସିମ ଅଂସାରୀ/ଇକବାଲ ଅଂସାରୀ, ଏମ ସିଦ୍ଦକ, ମିସବାହୁଦ୍ଦିନ, ଫାରୁକ ଅହମଦ, ମୌଲାନା ମେହଫୁଜର ରେହମାନ ।
ସାକ୍ଷୀ ମହାରାଜଙ୍କ ଭବିଷ୍ୟବାଣୀ ଡିସେମ୍ବର ୬ରୁ ଆରମ୍ଭ ହେବ ରାମ ମନ୍ଦିର ନିର୍ମାଣ
ଅଯୋଧ୍ୟା ଜମି ବିବାଦ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ଆସିବାକୁ ଆଉ କିଛି ଦିନ ବାକି ଅଛି । ହେଲେ ଭାଜପା ନେତା ଏବଂ ଉନ୍ନାଓ ସାଂସଦ ସାକ୍ଷୀ ମହାରାଜ ଘୋଷଣା କରିଛନ୍ତି ଯେ, ରାମ ମନ୍ଦିର ନିର୍ମାଣ ଆସନ୍ତା ଡିସେମ୍ବର ୬ରୁ ଆରମ୍ଭ ହୋଇଯିବ । ସଂଯୋଗବଶତଃ ଡିସେମ୍ବର ୬ ହେଉଛି ସେହିଦିନ, ଯେତେବେଳେ ୧୯୯୨ ମସିହାରେ ଅଯୋଧ୍ୟାରେ ବାବ୍ରୀ ମସଜିଦକୁ ଧ୍ୱଂସ କରିଦିଆଯାଇଥିଲା । ସାକ୍ଷୀ ମହାରାଜ ଆଜି ଉପରୋକ୍ତ ଘୋଷଣା କରିବା ସହ ସିୟା ଓ ସୁନ୍ନି ୱାକଫ୍‌ ବୋର୍ଡକୁ ସେମାନଙ୍କ ନିଷ୍ପତ୍ତି ସକାଶେ ଧନ୍ୟବାଦ ଜଣାଇଛନ୍ତି । ୪ ସପ୍ତାହ ପରେ ଯାହାବି ସୁପ୍ରିମକୋର୍ଟ ନିଷ୍ପତ୍ତି ଦେବେ, ତାହା ଭଗବାନ ରାମଙ୍କ ପକ୍ଷରେ ହିଁ ହେବ । ଉପରେ ଭଗବାନ ଅଛି, ତଳେ ବିଚାରପତି ଭଗବାନ ଅଛନ୍ତି । ତେଣୁ ଉପର ଭଗବାନଙ୍କ ସପକ୍ଷରେ ତଳ ଭଗବାନ ନିଶ୍ଚିତ ରାୟ ଶୁଣାଇବେ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି ।
ସୁପ୍ରିମକୋର୍ଟ ଇତିହାସରେ ୨ୟ ବଡ ଶୁଣାଣି
ସୁପ୍ରିମକୋର୍ଟରେ ବୁଧବାର ଅଯୋଧ୍ୟା ମାମଲାର ଶୁଣାଣି ଶେଷ ହୋଇଛି । ଏଥିପାଇଁ ସୁପ୍ରିମକୋର୍ଟ ଖନ୍ଦପୀଠ ଦୀର୍ଘ ୪୦ ଧରି ନିୟମିତ ଶୁଣାଣି କରିଥିଲେ । ଏହା ହେଉଛି ସୁପ୍ରିମକୋର୍ଟ ଇତିହାସରେ ଦ୍ୱିତୀୟ ଲମ୍ବା ସମୟ ଧରି ହୋଇଥିବା ଶୁଣାଣି । ୪ ଦଶନ୍ଧି ପୂର୍ବେ ସୁପ୍ରିମକୋର୍ଟରେ ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି ୬୮ ଧରି ଚାଲିଥିଲା । ଏହି ମାମଲା କେଶବାନନ୍ଦ ଭାରତୀ ବନାମ କେରଳ ରାଜ୍ୟ ସରକାରଙ୍କ ମଧ୍ୟରେ ଥିଲା । ୬୦-୭୦ ଦଶକରେ କେରଳ ସରକାର ୨ଟି ଭୁମି ସୁଧାର ଆଇନ୍‌ ବନାଇଥିଲେ । ଏହି ଆଇନ୍‌ ଅନ୍ତର୍ଗତ ସରକାର ମଠ ଏବଂ ମନ୍ଦିର ଉପରେ ପ୍ରତିବନ୍ଧକ ଲଗାଇଥିଲେ । କେଶବାନନ୍ଦ ଭାରତୀ ଏହାକୁ ଅଦାଲତରେ ଚ୍ୟାଲେଞ୍ଜ କରିଥିଲେ ।
ନଭେମ୍ବର ୩୦ ଯାଏ ପୁଲିସ୍‌ ଅଧିକାରୀଙ୍କ ଛୁଟି ରଦ୍ଦ
ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଆସିବା ପୂର୍ବରୁ ଉତ୍ତରପ୍ରଦେଶ ସରକାର ବୁଧବାର ବଡ ଘୋଷଣା କରିଛନ୍ତି । ପୁଲିସ୍‌ ଓ ପ୍ରଶାସନିକ ସ୍ତରରେ ସବୁ ଅଧିକାରୀଙ୍କ ଛୁଟି ନଭେମ୍ବର ୩୦ ଯାଏ ରଦ୍ଦ କରିଦେଇଛି । ସେମାନଙ୍କୁ ମୁଖ୍ୟାଳୟରେ ରହିବାକୁ ନିଦେ୍ର୍ଦଶ ଜାରି କରାଯାଇଛି । ଜରୁରୀ ପରିସ୍ଥିତିରେ ହିଁ ସେମାନଙ୍କୁ ଛୁଟି ମିଳିପାରିବ ବୋଲି କୁହାଯାଇଛି । ଏହି ପଦକ୍ଷେପ ପାର୍ବଣ ସମୟକୁ ଦୃଷ୍ଟିରେ ରଖି ନିଆଯାଇଛି ବୋଲି କୁହାଯାଇଛି । ହେଲେ ଅଯୋଧ୍ୟା ରାୟ ନଭେମ୍ବର ମାସ ମଝାମଝି ପ୍ରକାଶ ପାଇବାକୁ ଯାଉଥିବାରୁ ଏହାକୁ ଆଖିଆଗରେ ରଖି ସରକାର ଉକ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ସୂତ୍ରରୁ ପ୍ରକାଶ । ଇତିମଧ୍ୟରେ ଅଯୋଧ୍ୟାରେ ବଡ ସଂଖ୍ୟାରେ ବରିଷ୍ଠ ପୁଲିସ୍‌ ଅଧିକାରୀଙ୍କଠାରୁ ଆରମ୍ଭ କରି ସିପାହୀ ପର୍ଯ୍ୟନ୍ତ ମୁତୟନ କରାଯାଇଥିବା ଜଣାପଡିଛି ।

ମଧ୍ୟସ୍ଥତା ପ୍ୟାନେଲ ସହ ରୁଦ୍ଧଦ୍ୱାର ବୈଠକ କରିବେ ଖନ୍ଦପୀଠ
ଅଯୋଧ୍ୟା ଜମି ବିବାଦ ମାମଲାର ଶୁଣାଣି ଶେଷ ଦିନରେ ମଧ୍ୟସ୍ଥତା କମିଟି ଏକ ବୁଝାମଣା ରିପୋର୍ଟ ଖନ୍ଦପୀଠ ନିକଟରେ ଦାଖଲ କରିଥିଲା । ଖନ୍ଦପୀଠ ଗୁରୁବାର ଏହି ରିପୋର୍ଟ ବାବଦରେ ତର୍ଜମା କରିବେ ବୋଲି ଜଣାପଡିଛି । ଏଥିସକାଶେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ୱାଧୀନ ୫ ଜଣିଆ ସାମ୍ବିଧାନିକ ଖନ୍ଦପୀଠ ଏବଂ ମଧ୍ୟସ୍ଥତା କମିଟିର ୩ ଜଣ ସଦସ୍ୟଙ୍କ ମଧ୍ୟରେ ରୁଦ୍ଧଦ୍ୱାର ବୈଠକ ଅନୁଷ୍ଠିତ ହେବ । ବୁଝାମଣା ରିପୋର୍ଟ ବାବଦ ବିଶଦ ଆଲୋଚନା ଓ ପର୍ଯ୍ୟାଲୋଚନା ପରେ ଆଗକୁ କ’ଣ ଏହା ଉପରେ ପଦକ୍ଷେପ ନିଆଯିବ କି ନାହିଁ ନିଷ୍ପତ୍ତି ଗ୍ରହଣ କରାଯିବ । ଏହି ବୈଠକରେ ସୁପ୍ରିମକୋର୍ଟର ୫ ବିଚାରପତି- ଚିଫ୍‌ ଜଷ୍ଟିସ୍‌ ରଞ୍ଜନ ଗୋଗୋଇ, ଜଷ୍ଟିସ୍‌ ଏସଏ ବୋବଡେ, ଜଷ୍ଟିସ୍‌ ଏୱାଇ ଚନ୍ଦ୍ରଚୂଡ, ଜଷ୍ଟିସ ଅଶୋକ ଭୂଷଣ ଏବଂ ଜଷ୍ଟିସ୍‌ ଏସଏ ନଜୀରଙ୍କ ସମେତ ମଧ୍ୟସ୍ଥତା ପ୍ୟାନେଲର ୩ ସଦସ୍ୟ- ଏଫଏମଆଇ କଲିପୁଲ୍ଲା, ଆଧ୍ୟାତ୍ମିକ ଧର୍ମଗୁରୁ ଶ୍ରୀଶ୍ରୀ ରବିଶଙ୍କର ଏବଂ ବରିଷ୍ଠ ଓକିଲ ଶ୍ରୀରାମ ପଞ୍ଚୁ ପ୍ରମୁଖ ଉପସ୍ଥିତ ରହିବେ । ମଧ୍ୟସ୍ଥତା କମିଟିର ସଦସ୍ୟ ଶ୍ରୀ ଶ୍ରୀ ରବିଶଙ୍କର କୋର୍ଟଙ୍କୁ ବୁଝାମଣାରେ ବିଶ୍ୱାସ ଦେଖାଇଥିବାରୁ ଧନ୍ୟବାଦ ଜଣାଇଛନ୍ତି । ଏହାଛଡା ସେ ସମସ୍ତ ପକ୍ଷଙ୍କୁ ମଧ୍ୟ ଏହି ମଧ୍ୟସ୍ଥତା ପ୍ରକ୍ରିୟାରେ ଅଂଶଗ୍ରହଣ କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି । ପୁରା ପ୍ରକ୍ରିୟା ଭାଇଚାର ଏବଂ ଆପୋଷ ବୁଝାମଣା ମାଧ୍ୟମରେ ସଂଗଠିତ ହୋଇଛନ୍ତି ବୋଲି ରବିଶଙ୍କର ଟୁଇଟ୍‌ କରି ଜଣାଇଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*