ଅଯୋଧ୍ୟା ରାୟ ରିଭ୍ୟୁ ପିଟିସନ ଦାଖଲ କରିବେ ଦୁଇ ସଂସ୍ଥା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ଲକ୍ଷ୍ନୌ

ଅଲ୍‌ ଇନ୍ଦିଆ ମୁସଲିମ୍‌ ପର୍ସନାଲ ଲ’ ବୋର୍ଡ(ଏଆଇଏମପିଏଲବି) ଏବଂ ଜାମିଅତ-ଉଲେମା-ଇ ହିନ୍ଦ ଭଳି ଦୁଇ ମୁସଲିମ ସଂଗଠନ ବିବାଦୀୟ ରାମ ଜନ୍ମଭୂମି-ବାବ୍ରୀ ମସଜିଦ୍‌ ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ରାୟ ବିରୋଧରେ ସମୀକ୍ଷା ଆବେଦନ କରିବେ । ଏଠାରେ ଆୟୋଜିତ ଏଆଇଏମପିଏଲବି ର ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବିବାଦୀୟ ସ୍ଥଳରେ ମସଜିଦ୍‌ ବଦଳରେ ଅନ୍ୟତ୍ର ୫ ଏକର ଜମି ମଧ୍ୟ ସେମାନଙ୍କୁ ସ୍ୱୀକାର୍ଯ୍ୟ ନୁହେଁ ବୋଲି ବୋର୍ଡ କହିବା ସହ ସମୀକ୍ଷା ଆବେଦନ କରିବ ବୋଲି ସୂଚନା ଦେଇଛି । ଏହି ବୈଠକରେ ଏଏମଆଇଏଏମ ଅଧ୍ୟକ୍ଷ ଅସଦୁଦ୍ଦିନ ଓବେସୀଙ୍କ ସମେତ ଅନେକ ମୁସଲିମ୍‌ ନେତା ଯୋଗ ଦେଇଥିଲେ । ବୈଠକ ପରେ ଏଆଇଏମପିଏଲବି ସଚିବ ଜଫରାୟାବ ଜିଲାନୀ, ବୋର୍ଡର ନିଷ୍ପତ୍ତି ବାବଦରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ସେ କହିଥିଲେ ଯେ, ଶରିୟାତ ନିୟମ ଅନୁଯାୟୀ, ଆମେ ଅନ୍ୟ କୌଣସି ଜମି ମସଜିଦ୍‌ ନିର୍ମାଣ ପାଇଁ ଗ୍ରହଣ କରିପାରିବୁ ନାହିଁ । ଥରେ ଯଦି ଗୋଟିଏ ସ୍ଥାନରେ ମସଜିଦ୍‌ ନିର୍ମାଣ ହୋଇଯାଏ ତେବେ ତାହା ଶେଷ ପର୍ଯ୍ୟନ୍ତ ମସଜିଦ୍‌ ହିଁ ରହେ । ଆମକୁ ସେହି ଜମି ଦରକାର, ଯାହା ପାଇଁ ଆମେ ଲଢିଥିଲୁ । ତେଣୁ ସୁପ୍ରିମକୋର୍ଟରେ ସମୀକ୍ଷା ଆବେଦନ କରାଯିବାକୁ ବୋର୍ଡର ସଦସ୍ୟମାନେ ସର୍ବସମ୍ମତିକ୍ରମେ ନେଇଛନ୍ତି ବୋଲି ସେ ସୂଚନା ଦେଇଛନ୍ତି ।
ଏହି ଅବସରରେ ଜିଲାନୀ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିରେ ଅନେକ ଗୁଡିଏ ତ୍ରୁଟି ରହିଛି ବୋଲି ଦର୍ଶାଇଥିଲେ । ଯେତେବେଳେ ବାହାରୁ ଆଣି ମୂର୍ତ୍ତି ରଖାଯାଇଥିଲା, ତେବେ ତାଙ୍କୁ ଦେବତା ବୋଲି କିପରି ମାନାଯାଇଥିଲା? ଜନ୍ମସ୍ଥାନକୁ ନ୍ୟାୟିକ ପକ୍ଷଭାବେ ମାନାଯାଇପାରିବ ନାହିଁ । ଗମ୍ବୁଜ ତଳେ ତାଙ୍କର(ରାମଲାଲା) ଜନ୍ମସ୍ଥାନ ହୋଇଥିବାର ପ୍ରମାଣ ନାହିଁ । ଏହାଛଡା ସେଠାରେ ନମାଜ ପାଠ ହେଉଥିଲା ବୋଲି ସୁପ୍ରିମକୋର୍ଟ ମାନିଥିବାବେଳେ ସେଠାରେ କାହିିଁକି ମୁସଲିମ୍‌ଙ୍କ ଅଧିକାର ରହିବ ନାହିଁ ବୋଲି ସେ ପ୍ରଶ୍ନ କରିବା ସହ ଆମକୁ ୫ ଏକର ଜମି ଦରକାର ନାହିଁ ବୋଲି କହିଥିଲେ ।
ଅଯୋଧ୍ୟାରେ ୨୭ ମସଜିଦ୍‌ ରହିଛି । ହେଲେ ଏହା କେବଳ ମସଜିଦ୍‌ ନିର୍ମାଣର କଥା ନୁହେଁ । ବିବାଦୀୟ ଜମି ଉପରେ ଅଧିକାରର ଲଢେଇ ଅଟେ ।

ନଭେମ୍ବର ୩୦ ମଧ୍ୟରେ ସମୀକ୍ଷା ଆବେଦନ କରାଯିବାର ଅଛି, ଯାହା ଆମେ କରିବୁ ବୋଲି ଜିଲାନୀ କହିଥିଲେ । ବାବ୍ରୀ ମସଜିଦ୍‌ ପକ୍ଷକାର ଇକବାଲ ଅନସାରୀ ଉପରେ ଜିଲା ପ୍ରଶାସନ ଚାପ ପ୍ରୟୋଗ କରୁଛି ବୋଲି ସେ ଅଭିଯୋଗ କରିବା ସହ ଇତିମଧ୍ୟରେ ହାଜି ହେମବୁବଙ୍କ ସହମତି ମିଳିଯାଇଛି ବୋଲି କହିଥିଲେ । ସେହିପରି ଜମିୟତ ଉଲେମା-ଏ-ହିନ୍ଦର ଜାତୀୟ ଅଧ୍ୟକ୍ଷ ମୌଲାନା ଅର୍ଶନ ମଦନୀ କହିଛନ୍ତି ଯେ, ଆମକୁ ଜଣା ଅଛି ଏହି ଆବେଦନ ଶତ ପ୍ରତିଶତ ଖାରଜ ହୋଇଯିବ । ଏହା ସତ୍ତ୍ୱେ ଆମେ ସୁପ୍ରିମକୋର୍ଟଙ୍କ ରାୟ ବିରୋଧରେ ପୁନର୍ବିଚାର ଆବେଦନ କରିବୁ, ଏହା ଆମର ଅଧିକାର । ଅପରପକ୍ଷରେ ସୁନ୍ନି ୱକଫ୍‌ ବୋର୍ଡ ଏବଂ ଇକବାଲ ଅନସାରୀ ଏହି ବୈଠକକୁ ବହିଷ୍କାର କରିଥିଲେ ।
ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ସୁନ୍ନି ୱକଫ୍‌ ବୋର୍ଡ ଏହା ସ୍ପଷ୍ଟ କରିଦେଇଥିଲା ଯେ, ଏହା ରାୟର ସମୀକ୍ଷା ପାଇଁ ଆବେଦନ କରିବ ନାହିଁ । ସେହିପରି ଅନସାରୀ ଏଆଇଏମପିଏଲବି ବୈଠକ ବାବଦରେ କହିଥିଲେ ଯେ, ଆମେ ହିନ୍ଦୁସ୍ତାନର ନାଗରିକ । ତେଣୁ ଏଠାକାର ସମ୍ବିଧାନକୁ ଆମେ ମାନିଥାଉ । ଅଯୋଧ୍ୟାର ବିବାଦୀୟ ଜମି ନେଇ ଯାହାବି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି ତାହାକୁ ଆମେ ମାନିଛୁ । ଏବେ ଏହି ରାୟର ସମୀକ୍ଷା ପାଇଁ ଆମେ ଆବେଦନ କରିବୁ ନାହିଁ । ସବୁ ମୁସଲିମ୍‌ ମଧ୍ୟ ସୁପ୍ରିମକୋର୍ଟଙ୍କ ରାୟକୁ ମାନିନେବା ଦରକାର ।
ପ୍ରକାଶ ଥାଉ କି, ନିକଟରେ ପ୍ରଧାନ ବିଚାରପତିଙ୍କ ନେତୃତ୍ୱାଧୀନ ସାମ୍ବିଧାନିକ ପୀଠ ଅଯୋଧ୍ୟାର ବିବାଦୀୟ ଜମିରେ ମନ୍ଦିର ନିର୍ମାଣ କରିବାକୁ ନିଦେ୍ର୍ଦଶ ଦେବା ସହ ଅନ୍ୟତ୍ର ମସଜିଦ୍‌ ନିର୍ମାଣ ସକାଶେ ମୁସଲିମ୍‌ ପକ୍ଷଙ୍କୁ ୫ ଏକର ଜମି ପ୍ରଦାନ କରିବାକୁ ନିଦେ୍ର୍ଦଶ ଦେଇଥିଲେ । ସୁପ୍ରିମକୋର୍ଟ ରାୟକୁ ବିରୋଧ କରିଥିଲେ ଅସଦୁଦ୍ଦିନ ଓବେସୀ । ମସଜିଦ୍‌ ପାଇଁ ଜମି ଆମେ ଭିଖରେ ଚାହୁଁନାହୁଁ, ଦେଶର ମୁସଲିମ୍‌ ମାନେ ଜମି ନିଜେ କିଣିପାରିବେ । ତେଣୁ ଆମକୁ ଆମର ମସଜିଦ୍‌ ଦରକାର ବୋଲି ସେ ଟ୍ୱିଟରରେ ଲେଖିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*