ଅଯୋଧ୍ୟା ମାମଲାରେ ମଧ୍ୟସ୍ଥତା ଉପରେ ନିଜ ରାୟ ସୁରକ୍ଷିତ ରଖିଲେ ସୁପ୍ରିମକୋର୍ଟ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ
ନୂଆଦିଲ୍ଲୀ

ବୁଧବାର ଦିନ ରାମ ଜନ୍ମଭୂମି-ବାବ୍ରି ମସଜିଦ୍‌ ଜମି ବିବାଦ ମାମଲାରେ ଶୁଣାଣି କରିବା ସମୟରେ ଏହାର ସ୍ଥାୟୀ ସମାଧାନ ସକାଶେ କୋର୍ଟ ମଧ୍ୟସ୍ଥ ନିଯୁକ୍ତି ବାବଦ ଆଦେଶକୁ ସଂରକ୍ଷିତ ରଖିଛନ୍ତି । ଏହି ମାମଲାରେ ଜଡ଼ିତ ସବୁ ପକ୍ଷଙ୍କୁ ଜଣେ କିମ୍ବା ଏକାଧିକ ମଧ୍ୟସ୍ଥିଙ୍କ ନାଁ ପ୍ରଦାନ କରିବାକୁ କହିଛନ୍ତି ସୁପ୍ରିମକୋର୍ଟ । ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସାମ୍ବିଧାନିକ ଖନ୍ଦପୀଠ ବୁଧବାର ଏହି ମାମଲାର ଶୁଣାଣି କରିଥିଲେ । ପ୍ରଧାନ ବିଚାରପତି କହିଥିଲେ ଆମେ ଖୁବ୍‌ ଶୀଘ୍ର ଏ ବାବଦରେ ଆଦେଶ ଶୁଣାଇବୁ । ଗତ ୨୬ ତାରିଖର ଶୁଣାଣି ବେଳେ ଏହି ମାମଲାର ଆପୋଷ ସମାଧାନ ମଧ୍ୟସ୍ଥତାରେ ହେବା ଉପରେ ସୁପ୍ରିମକୋର୍ଟ ଜୋର ଦେଇଥିଲେ । ଏହି ସାମ୍ବିଧାନିକ ଖନ୍ଦପୀଠରେ ପ୍ରଧାନ ବିଚାରପତିଙ୍କ ବ୍ୟତିତ ଜଷ୍ଟିସ୍‌ ଏସ୍‌ଏ ବୋବଡେ, ଜଷ୍ଟିସ୍‌ ଡି ୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍‌ ଅଶୋକ ଭୂଷଣ ଏବଂ ଜଷ୍ଟିସ୍‌ ଏସ୍‌ଏ ନଜୀର ସାମିଲ ଅଛନ୍ତି । ବୁଧବାର ଶୁଣାଣି ବେଳେ ଖନ୍ଦପୀଠ କହିଥିଲେ ଯେ, ମଧ୍ୟସ୍ଥତାକୁ ଏକ ସୁଯୋଗ ଦେବା ପାଇଁ ଆମେ ଗମ୍ଭୀରତାର ସହ ବିଚାର କରୁଛୁ । ଜଷ୍ଟିସ୍‌ ବୋବଡେ କହିଥିଲେ ଏହା ଭାବନା,ବିଶ୍ୱାସ ଓ ଧର୍ମର ବିଷୟ । ଏହା କେତେ ଗମ୍ଭୀର ବିଷୟ ତାହା ଆମେ ଜାଣିଛୁ । ଜଣେ ନୁହଁନ୍ତି ମଧ୍ୟସ୍ଥି ସକାଶେ ଏକାଧିକ ବ୍ୟକ୍ତି ଆବଶ୍ୟକ । ଯେତେବେଳେ ମଧ୍ୟସ୍ଥତା ଚାଲିବ ତାହା ରିପୋଟିଂ ହୋଇପାରିବ ନାହିଁ । ଏହା କଣ୍ଠରୋଧ ନୁହେଁ ବରଂ ଆମ ଭାବନା ହେଉଛି ମଧ୍ୟସ୍ଥତା ଚାଲୁଥିଲା ବେଳେ କିଏ କ’ଣ କହୁଛନ୍ତି ତାହା ପଦାକୁ ନଯିବା । ସେ ଆଗକୁ କହିଥିଲେ ଅତୀତରେ କ’ଣ ଘଟିଯାଇଛି ତାହା ଆମ ନିୟନ୍ତ୍ରଣରେ ନାହିଁ । କିଏ ଆକ୍ରମଣ କଲା? କିଏ ରାଜା ଥିଲା? କିମ୍ବା ମନ୍ଦିର କି ମସଜିଦ୍‌ ଆମେ କେବଳ ଜାଣୁ ବର୍ତ୍ତମାନର ବିବାଦ ବିଷୟ । ଯାହାକୁ ସମାଧାନ କରିବା ପାଇଁ ଆମେ ଚିନ୍ତିତ । ମଧ୍ୟସ୍ଥତା ଦ୍ୱାରା ଏକ ପ୍ରତିଶତର ସମାଧାନ ସମ୍ଭାବନା ଥିଲେ ମଧ୍ୟ ଆମେ ତାହାକୁ କରିବା ପାଇଁ ଚାହୁଁଛୁ । ହିନ୍ଦୁ ପଟରୁ ନିର୍ମୋହି ଆଖାଡ଼ା ଏବଂ ମୁସଲିମ୍‌ ପକ୍ଷ ମଧ୍ୟସ୍ଥତା ବାବଦରେ ସହମତି ଦେଇଥିଲା ବେଳେ ରାମଲାଲା ବିରାଜମାନ, ଅଖିଳ ଭାରତୀୟ ହିନ୍ଦୁ ମହାସଭା ଏବଂ ମହନ୍ତ ସୁରେଶ ଦାଶଙ୍କ ପକ୍ଷରୁ ଉପସ୍ଥିତ ଥିବା ଆଡଭୋକେଟ ଏହାକୁ କିନ୍ତୁ ବିରୋଧ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*