ଅମ୍ପନ ତାଣ୍ଡବ : ୭୨ ମୃତ, ଶତାଧିକ ଆହତ ଜୀବନ କାଳରେ ଏମିତି ବିପର୍ଯ୍ୟୟ ଦେଖିନି : ଦିଦି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ: କୋଲକାତା

ଅମ୍ପନ ଯୋଗୁ ସବୁ ସର୍ବନାଶ ହୋଇଗଲା- ଏହାଥିଲା ବାତ୍ୟା ସଂପର୍କିତ କ୍ଷୟକ୍ଷତିର ସୂଚନା ଦେବାବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପ୍ରଥମ ବାକ୍ୟ । ଆଉ ପ୍ରକୃତରେ ମମତାଙ୍କ ଏହି ବାକ୍ୟ ଅକ୍ଷରେ ଅକ୍ଷରେ ସତ ହୋଇଥିବା ପରି ଲାଗୁଛି । ସୁନ୍ଦରବନଠାରେ ବିଳମ୍ବିତ ସଂଧ୍ୟାରେ ସାମୁଦ୍ରିକ ଝଡ ‘ଅମ୍ପନ’ ଲ୍ୟାନ୍ଦଫଲ୍‌ କରିବା ଏବଂ ଏହା ବାଂଲାଦେଶ ମୁହାଁ ହେବା ପର୍ଯ୍ୟନ୍ତ ପଶ୍ଚିମବଙ୍ଗରେ ନାହିଁ ନଥିବା କ୍ଷୟକ୍ଷତି ଘଟାଇଛି । ହଜାର ହଜାର ଲୋକଙ୍କ ମୁନ୍ଦରୁ ଛାତ ଉଡିଯାଇଥିବାବେଳେ ହେକ୍ଟର ହେକ୍ଟର ଚାଷଜମି ନଷ୍ଟ ହୋଇଯାଇଛି । କହିବାକୁ ଗଲେ ରାଜ୍ୟର ଭିତ୍ତିଭୂମିକୁ ଦୋହଲାଇ ଦେଇଛି ବାତ୍ୟା ଅମ୍ପନ । ମମତାଙ୍କ ଅନୁସାରେ ସେ ନିଜ ଜୀବଦଶାରେ ଏପରି ତାନ୍ଦବଲୀଲା ପୂର୍ବରୁ କେବେ ଦେଖିନଥିଲେ । ଗୁରୁବାର ବାତ୍ୟାଜନିତ କ୍ଷୟକ୍ଷତି ବିଷୟରେ ସୂଚନା ଦେବାବେଳେ ବାତ୍ୟାଯୋଗୁ ରାଜ୍ୟରେ ୭୨ ଜଣ ଲୋକଙ୍କ ମୃତୁ୍ୟ ହୋଇଥିବା ଏବଂ ଶତାଧିକ ଲୋକ ଆହତ ହୋଇଥିବା କହିଛନ୍ତି । । ମୃତକଙ୍କ ମଧ୍ୟରେ କୋଲକତାର ୧୫ ଜଣ ରହିଛନ୍ତି । ଏପରିକି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଥରୁଟିଏ ପଶ୍ଚିମବଙ୍ଗର ବାତ୍ୟା ପ୍ରଭାବିତ ଅଞ୍ଚଳକୁ ବୁଲି ଦେଖିଯିବାକୁ ଆକୁଳ ନିବେଦନ କରିଛନ୍ତି । ଏହାସହ ସେ ମୃତକଙ୍କ ପରିବାରକୁ ୨.୫ଲକ୍ଷ ଟଙ୍କା ଲେଖାଏଁ ଅନୁକଂପାମୂଳକ ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି । ରାଜ୍ୟରେ ୫,୫୦୦ ପାଖାପାଖି ଘର ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । ହଜାର ହଜାର କୋଟି ମୂଲ୍ୟର ସଂପତ୍ତିବାଡି ନଷ୍ଟ ହୋଇଛି ବୋଲି ସେ କହିଥିଲେ ।
ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ମମତାଙ୍କ ନିବେଦନର ତୁରନ୍ତ ଜବାବ ଦେଇଥିଲେ । ସେ ଟ୍ୱିଟ୍‌ କରିଥିଲେ ଯେ, ମୁଁ ପଶ୍ଚିମବଙ୍ଗରେ ବାତ୍ୟା ‘ଅମ୍ପନ’ ଯୋଗୁ ହୋଇଥିବା କ୍ଷୟକ୍ଷତିର ବହୁ ଫଟୋ ଦେଖିଛି । ପୁରା ଦେଶ ପଶ୍ଚିମବଙ୍ଗ ସହ ଦୃଢତାର ସହ ଛିଡା ହୋଇଛି । ରାଜ୍ୟର ମଙ୍ଗଳ ପାଇଁ ପ୍ରାର୍ଥନା କରୁଛି । ପ୍ରଭାବିତଙ୍କୁ ସବୁପ୍ରକାର ସାହାଯ୍ୟ କରାଯିବ ।
କୋଲକତାରେ ଘଣ୍ଟାକୁ ୧୯୦ ବେଗରେ ବୋହିଥିଲା ପବନ
ପାଣିପାଗ କେନ୍ଦ୍ର ଅନୁଯାୟୀ, ବର୍ତ୍ତମାନ ଝଡ ଅମ୍ପନ ଘଣ୍ଟାକୁ ୨୭ କିମି ବେଗରେ ଉତ୍ତର-ଉତ୍ତରପୂର୍ବ ଆଡକୁ ଗତି କରୁଛି । ଏହା ଅଧିକ ଦୁର୍ବଳ ହେବ ବୋଲି ଅନୁମାନ କରିଛି ପାଣିପାଗ କେନ୍ଦ୍ର । ଏହା କାରଣରୁ ଆଜି ଆସାମ, ମେଘାଳୟରେ ଗୁରୁବାର ଝିପି ଝିପି ବର୍ଷା ସଙ୍ଗକୁ ୩୦-୫୦ କିମି ବେଗରେ ପବନ ବୋହିପାରେ ।

ଅମ୍ପନ ପ୍ରଭାବରେ ବୁଧବାର ପଶ୍ଚିମବଙ୍ଗରେ ଘଣ୍ଟାକୁ ୧୯୦ କିମି ବେଗରେ ପବନ ବୋହିଥିଲା । ହଜାର ହଜାରେ ଲୋକଙ୍କ ଘରଦ୍ୱାର କ୍ଷତିଗ୍ରସ୍ତ ହୋଇଥିଲା । ପାଖାପାଖି ୬ଲକ୍ଷ ଲୋକଙ୍କୁ ସେମାନଙ୍କ ଘରୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା ।
ଅମିତ ଶାହା ଉଭୟ ମମତା ଓ ନବୀନଙ୍କୁ ଫୋନ୍‌ କରି ସ୍ଥିତି ବୁଝିଲେ
ବାତ୍ୟା ଅମ୍ପନ ଦ୍ୱାରା ପ୍ରଭାବିତ ରାଜ୍ୟ ଓଡିଶା ଏବଂ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀଙ୍କୁ ଗୁରୁବାର ଫୋନ୍‌ କରି ସ୍ଥିତି ପଚାରି ବୁଝିଛନ୍ତି ଗୃହ ମନ୍ତ୍ରୀ ଅମିତ୍‌ ଶାହା । ନିଜେ ଅମିତ୍‌ ଶାହା ଏବିଷୟରେ ଟ୍ୱିଟ୍‌ କରି ଏହି ସୂଚନା ଦେଇଛନ୍ତି । “ମୁଁ ନବୀନ ପଟନାୟକ ଏବଂ ମମତା ବାନାର୍ଜୀଙ୍କ ସହ କଥା ହୋଇ ବାତ୍ୟା ଅମ୍ପନ ଯୋଗୁ ଉତ୍ପନ୍ନ ସ୍ଥିତି ବିଷୟରେ ଆଲୋଚନା କରିଥିଲି ଏବଂ ଦୁଇ ରାଜ୍ୟକୁ ସବୁପ୍ରକାର ସହାୟତା ଦେବାକୁ ଆଶ୍ୱାସନା ଦେଇଛି । ଅମ୍ପନର ଗତି ଉପରେ ଆମେ ଲଗାତାର ନଜର ରଖିଛୁ ଏବଂ ଏହାଦ୍ୱାରା ପ୍ରଭାବିତ ହେବାକୁ ଥିବା ରାଜ୍ୟର ଅଧିକାରୀଙ୍କ ସହ ନିୟମିତ ଯୋଗାଯୋଗରେ ଅଛୁ” ବୋଲି ଶାହା ଟ୍ୱିଟ୍‌ କରିଥିଲେ । ନରେନ୍ଦ୍ର ମୋଦୀ ସରକାର ପ୍ରତି ନାଗରିକଙ୍କ ସୁରକ୍ଷା ପାଇଁ ପ୍ରତିବଦ୍ଧ ଅଟନ୍ତି ବୋଲି ଶାହା କହିଥିଲେ ।
ଅନ୍ୟପଟେ କ୍ୟାବିନେଟ ସଚିବ ରାଜୀବ ଗାବା ଗୃହ ମନ୍ତ୍ରଣାଳୟର ଅଧିକାରୀଙ୍କୁ ଦୁଇ ରାଜ୍ୟର ସରକାରଙ୍କ ସହ ସଂପର୍କରେ ରହିବାକୁ ନିଦେ୍ର୍ଦଶ ଦେଇଛନ୍ତି । କିଛି ବି ଆବଶ୍ୟକ ହେଲେ ସାହାଯ୍ୟ କରିବାକୁ ସେ କହିଛନ୍ତି । ଏହା ମଧ୍ୟ ନିଷ୍ପତ୍ତି ନିଆଯାଇଛି ଯେ, ଦୁଇ ରାଜ୍ୟକୁ ଗୃହ ମନ୍ତ୍ରଣାଳୟର ୨ଟି ଟିମ୍‌ ଗସ୍ତ କରିବ ଏବଂ ବାତ୍ୟା ଯୋଗୁ ହୋଇଥିବା କ୍ଷୟକ୍ଷତିର ଆକଳନ କରିବେ ।
ବାତ୍ୟା ଯୋଗୁ ଓଡିଶା ଓ ପଶ୍ଚିମବଙ୍ଗରେ ପ୍ରଭାବିତ ହୋଇଥିବା ଜିଲା
ଓଡିଶାରେ ୯ ଜିଲା- ପୁରୀ, ଗଞ୍ଜାମ, ଜଗତସିଂହପୁର, କଟକ, କେନ୍ଦ୍ରାପଡା, ଯାଜପୁର, ଗଞ୍ଜାମ, ଭଦ୍ରକ ଏବଂ ବାଲେଶ୍ୱର ଆଦି ଅମ୍ପନ ଯୋଗୁ ପ୍ରଭାବିତ ହୋଇଛନ୍ତି । ପଶ୍ଚିମବଙ୍ଗର ଉପକୂଳବର୍ତ୍ତୀ ଜିଲା- ପୂର୍ବ ମେଦିନାପୁର, ୨୪ ଦକ୍ଷିଣ ଏବଂ ଉତ୍ତର ପ୍ରଗଣା ସହିତ ହାୱଡା, ହୁଗଳି, ପଶ୍ଚିମ ମେଦିନାପୁର ଏବଂ କୋଲକାତାରେ ବାତ୍ୟାର ଭୟଙ୍କର ପ୍ରଭାବ ଦେଖିବାକୁ ମିଳିଥିଲା । ବାତ୍ୟାରେ କୋଲକାତା ବିମାନ ବନ୍ଦର ଖୁବ୍‌ କ୍ଷତିଗ୍ରସ୍ତ ହୋଇଛି । ପୁରା ବିମାନ ବନ୍ଦର ଜଳମଗ୍ନ ହୋଇଯାଇଥିବାବେଳେ ଅନେକ ବିମାନ ଭାଙ୍ଗିରୁଜି ଯାଇଛି । ବିମାନ ବନ୍ଦର କର୍ତ୍ତୃପକ୍ଷ ପାଣି ନିର୍ଗତ କରିବାକୁ ପ୍ରୟାସ କରିବା ସହ ଝଡ ଯୋଗୁ ହୋଇଥିବା କ୍ଷୟକ୍ଷତିର ଆକଳନ କରୁଛନ୍ତି । ଏନଡିଆରଏଫ ମୁଖ୍ୟ ଏସଏନ ପ୍ରଧାନ ସୂଚନା ଦେଇଛନ୍ତି ଯେ, କରୋନା ସଙ୍କଟ ମଧ୍ୟରେ ଓଡିଶା ଏବଂ ପଶ୍ଚିମବଙ୍ଗରେ ଉଦ୍ଧାର କାର୍ଯ୍ୟ କରିବା ବଡ ଚ୍ୟାଲେଞ୍ଜପୂର୍ଣ୍ଣ ଅଟେ । ବାତ୍ୟା ଯୋଗୁ ଲୋକଙ୍କ ଘର ଭାଙ୍ଗିରୁଜି ଯାଇଛି । ସଡକରେ ବଡ ବଡ ଗଛ, ବିଦୁ୍ୟତ୍‌ ଖୁଣ୍ଟ ଆଦି ଉପୁଡି ପଡିଛି । ଏବେ ଏସବୁକୁ ସଫା କରାଯାଉଛି । ଏସବୁ ମଧ୍ୟରେ ସୋସିଆଲ ଡିଷ୍ଟାନ୍ସିଂ ଏବଂ ସାନିଟାଇଜେସନର ନିୟମ ମଧ୍ୟ ପାଳନ କରାଯାଉଛି ।
ନଷ୍ଟ ହୋଇଯାଇଛି ଧାନ ଫସଲ
ପଶ୍ଚିମବଙ୍ଗର କୃଷି ବିଭାଗ ଅନୁଯାୟୀ, ବର୍ଦ୍ଧମାନ, ପଶ୍ଚିମ ମେଦିନାପୁର ଏବଂ ହୁଗଳି ଜିଲାରେ ହଜାର ହଜାର ହେକ୍ଟର ଚାଷ ଜମି ସଂପୂର୍ଣ୍ଣଭାବେ ନଷ୍ଟ ହୋଇଯାଇଛି । ରାଜ୍ୟର ସ୍ଥାନେ ସ୍ଥାନେ ବଡ ବଡ ଗଛ ଉପୁଡି ପଡିଛି, ଯାହାକୁ ଯୁଦ୍ଧକାଳୀନ ଭିତ୍ତିରେ ଏନଡିଆରଏଫ୍‌ ବାହିନୀ ସଫା କରିବାରେ ଲାଗିଛନ୍ତି । ଅନେକ ବାତ୍ୟା ଆଶ୍ରୟ ସ୍ଥଳରେ ଲୋକଙ୍କୁ ଖାଦ୍ୟ ପାଇଁ ସଂଘର୍ଷ କରିବାକୁ ପଡୁଥିବାର ଦେଖାଯାଇଛି । ଏପରି ସ୍ଥଳେ ଲୋକେ କରୋନା ସଙ୍କଟ ପାଇଁ ପାଳନ କରିବାକୁ ଥିବା ଶାରୀରିକ ଦୂରତ୍ୱର ନିୟମକୁ ଭୁଲିଯାଇଥିବା ଦେଖିବାକୁ ମିଳିଛି ।
ଅନ୍ୟପଟେ ବାତ୍ୟା ଅମ୍ପନ ଏବେ ବାଂଲାଦେଶ ଆଡକୁ ମୁହାଁଇସାରିଛି । ହେଲେ ଏହା କ୍ରମଶଃ ଦୁର୍ବଳ ହେବାରେ ଲାଗିଛି । ହେଲେ ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପଶ୍ଚିମ ଆସାମ ଏବଂ ମେଘାଳୟରେ ଘଣ୍ଟାପ୍ରତି ୩୦-୪୦ କିମି ବେଗରେ ପବନ ବୋହିବା ସହ ହାଲୁକା ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*