ଅଭିନେତାଙ୍କ ମୃତୁ୍ୟକୁ ନେଇ ରାଜନୀତି ଜୋର,ବିହାରୀ ପୁଅ-ବଙ୍ଗାଳୀ ବ୍ରାହ୍ମଣ ଝିଅ-ରାଜ୍ୟର ବେଟୀ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ

ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତୁ୍ୟ ମାମଲାକୁ ନେଇ ଗୋଟିଏ ପଟେ ତିନି ତିନିଟି ଯାଞ୍ଚ ଦଳ ଲାଗିପଡ଼ିଥିଲା ବେଳେ ଦୈନିକ କିଛି ଚକିତ କଲା ଭଳି ଖୁଲାସା ମଧ୍ୟ ହେଉଛି । ଏବେ ଡ୍ରଗ୍ସ ଦିଗକୁ ନେଇ ଚାଲିଛି ତନାଘନା । ଅନ୍ୟପଟେ ସୁଶାନ୍ତଙ୍କୁ ନେଇ ମଧ୍ୟ ଜୋର ଧରିଛି ରାଜନୀତି । ଏହି ମାମଲାକୁ ଜୋରଦାର କରିବା ସହ ନିଜ ଭୋଟ ବ୍ୟାଙ୍କକୁ ମଜଭୁତ କରିବା ପାଇଁ ଲାଗିଛନ୍ତି ଅନେକ ଦଳ । ବିଶେଷ କରି ବିହାର, ପଶ୍ଚିମବଙ୍ଗ, ମହାରାଷ୍ଟ୍ର ଏବଂ ହିମାଚଳ ପ୍ରଦେଶରେ ସୁଶାନ୍ତ ମୃତୁ୍ୟ ତାତି ସବୁଠୁ ବଡ଼ ରାଜନୈତିକ ପ୍ରସଙ୍ଗ ପାଲଟିଛି । ବିହାରରେ ଭାଜପା ଏବଂ ଜଦୟୁ ମାଟିର ପୁଅ ସ୍ଲୋଗାନ ଦେଇ ନ୍ୟାୟ ପାଇଁ ସ୍ୱର ଉଠାଉଥିଲା ବେଳେ ପଡ଼ୋଶୀ ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ ଏବଂ କଂଗ୍ରେସ ବଙ୍ଗାଳୀ ଲିଙ୍କକୁ ଆଗରେ ଆଣିଛନ୍ତି । ବାନ୍ଧବୀ ରିୟା ଚକ୍ରବର୍ତ୍ତୀ ପଶ୍ଚିମବଙ୍ଗର ହୋଇଥିବାରୁ ନିଜ ରାଜ୍ୟର ଝିଅକୁ ଅଯଥାରେ ବିବାଦକୁ ଟଣା ଯାଉଥିବାର ଅଭିଯୋଗ ଆଣି ଏହି ଦୁଇ ଦଳ ରାଜନୈତିକ ଗୋଟି ଚାଳନା ଆରମ୍ଭ କରିଛନ୍ତି । ହିମାଚଳ ପ୍ରାଦଶରେ ଭାଜପା ହିମାଚଳ ବେଟୀର ସ୍ଲୋଗାନ ସହ ଏହି ମାମଲାରେ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଥିବା ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ସପକ୍ଷରେ ଆଗକୁ ଆସିଛି । ସେପଟେ କଙ୍ଗନା ଡ୍ରଗ୍ସ ଲିଙ୍କକୁ ନେଇ ମହାରାଷ୍ଟ୍ର ସରକାରକୁ ଟାଣି ଥିଲା ବେଳେ ଶିବସେନା ଆଣିଛି ମରାଠୀ ଅସ୍ମିତା କଥା ।
ବିହାର: ଚଳିତ ବର୍ଷ ଶେଷ ଆଡକୁ ଅନୁଷ୍ଠିତ ହେବାକୁ ଯାଉଛି ବିହାର ବିଧାନସଭା ନିର୍ବାଚନ । ଆଉ ନିର୍ବାଚନରେ ଭାଜପା ଓ ଜଦୟୁ ସୁଶାନ୍ତ ସିଂହ ରାଜପୁତଙ୍କୁ ନେଇ ନିଜ ଭୋଟ ବ୍ୟାଙ୍କ ମଜଭୁତ କରିବାର ପ୍ରସ୍ତୁତି ଜୋରଦାର କରିସାରିଛି । ସୁଶାନ୍ତ ମୃତୁ୍ୟ ପରେ ପ୍ରଥମେ ଜଦୟୁ ଓ ଭାଜପା ଉଠାଇଥିଲେ ବିହାର ପୁଅ ପ୍ରସଙ୍ଗ । ନୀତୀଶ କୁମାର ସରକାର ପ୍ରଥମେ ସିବିଆଇ ଯାଞ୍ଚର ନିଦେ୍ର୍ଦଶ ଦେଇଥିଲେ । ଯାହାକୁ ନେଇ ମହାରାଷ୍ଟ୍ର ଓ ବିହାର ସରକାର ମଧ୍ୟରେ ଦେଖାଦେଇଥିଲା ଜୋରଦାର ମନାନ୍ତର । ଏବେ ନିର୍ବାଚନକୁ ଦୃଷ୍ଟିରେ ରଖି ସୁଶାନ୍ତ ମାସ୍କର ପ୍ରଚଳନ ଜୋର କରାଯାଉଛି, ଭାଜପାର ନିର୍ବାଚନୀ କ୍ୟାପେନ୍‌ରେ ବଡ଼ ସ୍ଲୋଗାନ ରହିଛି ‘ନା ଭୁଲିବୁ, ନା ଭୁଲିବାକୁ ଦେବୁ’ । ସୁଶାନ୍ତ ମାଟିର ପୁଅ ଅଭିଯାନକୁ ନେଇ ଗାଁ ଗାଁ ବୁଲୁଛି ବିହାର ଏନ୍‌ଡିଏ । ସୁଶାନ୍ତଙ୍କୁ ନ୍ୟାୟ ପାଇଁ ଆମେ ଲଢେଇ ଜାରି ରଖିବୁ ବୋଲି ପ୍ରଚାର କରାଯାଉଛି । ଭାଜପା ଆଇଟିସେଲ ପକ୍ଷରୁ ସୁଶାନ୍ତଙ୍କ ଜୀବନୀ ଓ ସଂଘର୍ଷକୁ ନେଇ ଭିଡ଼ିଓ ମଧ୍ୟ ଜାରି କରାଗଲାଣି ।
ପଶ୍ଚିମବଙ୍ଗ: ଆସନ୍ତା ବର୍ଷ ହେବାକୁ ଯାଉଛି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ । ଆଉ ଏହି ନିର୍ବାଚନକୁ ଦୃଷ୍ଟିରେ ରଖି ତୃଣମୂଳ କଂଗ୍ରେସ ମୁଖିଆ ମମତା ବାନାର୍ଜୀ ରିୟା ଚକ୍ରବର୍ତ୍ତୀଙ୍କ ବାହାନାରେ ବ୍ରାହ୍ମଣ କାର୍ଡ ଖେଳିବା ଆରମ୍ଭ କରିଦେଇଛନ୍ତି । ନିର୍ବାଚନ ପୂର୍ବରୁ ମମତା ରାଜ୍ୟର ବ୍ରାହ୍ମଣ ପୂଜାରୀ ଏବଂ ହିନ୍ଦୁଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି । ୮ ହଜାରରୁ ଅଧିକ ବ୍ରାହ୍ମଣ ପୂଜାରୀଙ୍କୁ ୧ ହଜାର ଟଙ୍କା ମାସିକ ଭତ୍ତା ଏବଂ ମାଗଣା ଘର ଯୋଗାଇ ଦିଆଯିବ । ଭାଜପା ମମତାଙ୍କ ଉପରେ ପୂର୍ବରୁ ଯେଉଁ ହିନ୍ଦୁ ବିରୋଧୀ ଅଭିଯୋଗ ଆଣୁଥିଲା ତାକୁ ପ୍ରତିରୋଧ କରିବା ପାଇଁ ଅଚାନକ ମମତା ବ୍ରାହ୍ମଣ କାର୍ଡ ଖେଳିଛନ୍ତି । କୁହାଯାଉଛି ଯେ, ଏହା ପଛରେ ରହିଛି ରିୟା ଚକ୍ରବର୍ତ୍ତୀ ।
ସୁଶାନ୍ତ ମାମଲାରେ ରିୟାଙ୍କ ଏଣ୍ଟି୍ର ପରେ ପଶ୍ଚିମବଙ୍ଗ କଂଗ୍ରେସ କମିଟିର ଅଧ୍ୟକ୍ଷ ସାଂସଦ ଅଧିର ରଞ୍ଜନ ପ୍ରଥମେ ରିୟାଙ୍କ କଥା ଉଠାଇଥିଲେ । ସେ ରିୟାଙ୍କୁ ବଙ୍ଗାଳୀ ବ୍ରାହ୍ମଣ କହି କିପରି ନ୍ୟାୟ ମିଳିବ ସେଥିପାଇଁ ଲଢେଇ କରିବ ବୋଲି କହିଥିଲେ । ରିୟା ସମର୍ଥନରେ କଂଗ୍ରେସ ରାସ୍ତାକୁ ମଧ୍ୟ ଓହ୍ଲାଇ ଥିଲା । ଆଉ ଏବେ ତୃଣମୂଳ କଂଗ୍ରେସ ମଧ୍ୟ ବଙ୍ଗାଳୀ ଅସ୍ମିତା କଥା ଉଠାଇ ରିୟାଙ୍କ ସମର୍ଥନରେ ଆଗକୁ ଆସିଛି । ଏବେ ରାଜ୍ୟରେ ତୃଣମୂଳ କଂଗ୍ରେସ ଏବଂ କଂଗ୍ରେସ ବ୍ରାହ୍ମଣ ପ୍ରସଙ୍ଗକୁ ନେଇ ଭାଜପାକୁ ଟକ୍କର ଦେବାର ଯୋଜନାରେ ଅଛି ।
ହିମାଚଳ ପ୍ରଦେଶ: ସୁଶାନ୍ତ ମୃତୁ୍ୟ ମାମଲାରେ ଅଭିନେତ୍ରୀ କଙ୍ଗନାଙ୍କ ଏଣ୍ଟି୍ର ନୂଆ ମୋଡ଼ ଦେଇଛି । ସେ ପ୍ରଥମେ ବଲିଉଡରେ ଡ୍ରଗ୍ସ ମାଫିଆଙ୍କ ରାଜ୍‌ କଥା ଉଠାଇଥିଲେ । ତୁରନ୍ତ ଭାଜପା କଙ୍ଗନାଙ୍କ ସମର୍ଥନରେ ଆଗେଇ ଆସିଥିଲା । ଯେତେବେଳେ କଙ୍ଗନା ନିଜ ଜୀବନ ପ୍ରତି ବିପଦ ଏବଂ ମୁମ୍ବାଇ ଯିବା କଥା ଉଠାଇଥିଲେ ସେତେବେଳେ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ତାଙ୍କୁ ଯୋଗାଇ ଥିଲେ ୱାଇ ସିକୁ୍ୟରିଟି । ଏପରିକି କଙ୍ଗନା ମା’ଙ୍କୁ ଦଳରେ ସାମିଲ କରିବା କଥା ମଧ୍ୟ ଭାଜପା କହିସାରିଛି । ହିମାଚଳର ସାହାସୀ ଝିଅ କଙ୍ଗନାଙ୍କ ପଛରେ ଖାଲି ହିମାଚଳ ପ୍ରଦେଶ ନୁହେଁ ବରଂ ସମଗ୍ର ଦେଶ ଠିଆ ହୋଇଛି ବୋଲି ରାଜ୍ୟ ଭାଜପା ପକ୍ଷରୁ କୁହାଯାଇଛି ।
ମହାରାଷ୍ଟ୍ର: ବଲିଉଡରେ ଡ୍ରଗ୍ସ କଥା ଉଠାଇ ବଲିଉଡକୁ ଏବଂ ମହାରାଷ୍ଟ୍ର ସରକାରକୁ ଅଡ଼ୁଆରେ ପକାଇଛନ୍ତି କଙ୍ଗନା । ଏଥିରେ ମୁଖ୍ୟମନ୍ତ୍ରୀଙ୍କ ପୁଅ ଆଦିତ୍ୟ ଥାକ୍‌ରେଙ୍କ ଭୂମିକାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି । ଯେଉଁ କାରଣରୁ କଙ୍ଗନାଙ୍କ କାର୍ଯ୍ୟାଳୟକୁ ଟାର୍ଗେଟ କରାଯାଇଥିଲା । ଏଥିରେ କିନ୍ତୁ ହାର ନମାନି ସିଧାସଳଖ ମୁଖ୍ୟମନ୍ତ୍ରୀ ଉଦ୍ଧବଙ୍କୁ ସମାଲୋଚନା କରିଛନ୍ତି କଙ୍ଗନା । ପରିସ୍ଥିତିକୁ ଦୃଷ୍ଟିରେ ରଖି ଶିବସେନା ଏବେ ମରାଠୀ ଅସ୍ମିତା କଥା ଆଗକୁ ଆଣିଛି । ମୁମ୍ବାଇକୁ ବଦନାମ୍‌ କରିବାର ଷଡ଼ଯନ୍ତ୍ର ଚାଲିଥିବାର ଅଭିଯୋଗ ଆଣି ଶିବସେନା ନିଜ ପଦକ୍ଷେପକୁ ଠିକ୍‌ ବୋଲି କହିବାକୁ ପଛାଇ ନାହିଁ । ଅନ୍ୟପଟେ ମହାରାଷ୍ଟ୍ର ଭାଜପା କଙ୍ଗନାଙ୍କ ସମର୍ଥନରେ ଆଗକୁ ଆସି ଉଦ୍ଧବ ସରକାର ପାଇଁ ସୃଷ୍ଟି କରିଛି ଅଡ଼ୁଆ ପରିସ୍ଥିତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*