ଅଭିନନ୍ଦନଙ୍କ ପଞ୍ଜରା, ମେରୁଦଣ୍ଡରେ ଲାଗିଛି ଆଘାତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ
ନୂଆଦିଲ୍ଲୀ
ପାକିସ୍ତାନରେ ୬୦ ଘଣ୍ଟା ବନ୍ଦୀ ହୋଇ ରହିବା ପରେ ସ୍ୱଦେଶ ଫେରି ୱିଙ୍ଗ୍‌ କମାନ୍ଦର ଅଭିନନ୍ଦନ ବର୍ତ୍ତମାନ ଦିଲ୍ଲୀ କ୍ୟାଣ୍ଟନମେଣ୍ଟସ୍ଥିତ ରିସର୍ଚ୍ଚ ଆନ୍ଦ ରେଫରାଲ ହସପିଟାଲରେ ଭର୍ତ୍ତି ହୋଇଥିଲା । ସେଠାରେ ତାଙ୍କୁ ପାକିସ୍ତାନ ନିର୍ଯାତନା ଦେଇଛି କି ନାହିଁ, ତାଙ୍କ ଦେହରେ କିଛି ବିଷାକ୍ତ ଇଞ୍ଜେକସନ୍‌ ପ୍ରୟୋଗ କରାଯାଇଛି କି, ଏବଂ ତାଙ୍କ ଦେହରେ କିଛି ମାଇକ୍ରୋଫୋନ୍‌ ସଂଯୁକ୍ତ କରାଯାଇଛି କି ନାହିଁ ତାହାର ଯାଞ୍ଚ ପାଇଁ ଅଭିନନ୍ଦନଙ୍କଠାରେ ଏମଆରଆଇ ସ୍କାନ ସହ ବହୁ ପରୀକ୍ଷାନୀରକ୍ଷା କରାଯାଇଥିଲା । ହେଲେ ଏବେ ତାଙ୍କଠାରେ ହୋଇଥିବା ଏମଆରଆଇ ସ୍କାନରୁ ତାଙ୍କ ତଳ ମେରୁଦନ୍ଦରେ ଆଘାତ ଲାଗିଥିବା ଜଣାପଡିଛି । ସମ୍ଭବତଃ ଗତ ଫେବୃଆରୀ ୨୬ରେ ପାକିସ୍ତାନୀ ସେନା ସହ ଯୁଦ୍ଧ ପରେ ମିଗ୍‌-୨୧ ବିମାନରୁ ପାରାଚୁ୍ୟଟ ସାହାଯ୍ୟରେ ଓହ୍ଲାଇବାବେଳେ ଏହି ଆଘାତ ଲାଗିଛି । କେବଳ ମେରୁଦନ୍ଦ ନୁହେଁ ୱିଙ୍ଗ କମାନ୍ଦରଙ୍କର ପଞ୍ଜରାରେ ମଧ୍ୟ ଆଘାତ ଲାଗିଛି । ଏହି ଆଘାତ ପାକିସ୍ତାନୀ ଲୋକମାନେ ତାଙ୍କୁ ପିଟାପିଟି କରିଥିବାରୁ ହୋଇଥିବା ଅନୁମାନ କରାଯାଉଛି । ତେଣୁ ଏବେ ଅଭିନନ୍ଦନଙ୍କର ଆଉ କିଛି ଚେକ୍‌ ଅପ୍‌ କରାଯିବା ସହ ସେ ନିଜର ଚିକିତ୍ସା ପାଇଁ ଆଉ କିଛି ଦିନ ସେନାର ଉକ୍ତ ହସପିଟାଲରେ ରହିବେ ବୋଲି ଜଣାପଡିଛି ।
ପ୍ରକାଶ ଥାଉ କି, ଶନିବାର ଅଭିନନ୍ଦନ ପାକିସ୍ତାନ ଜେଲରେ ରହଣୀ ସମୟରେ ତାଙ୍କୁ ପାକିସ୍ତାନୀ ସେନା କୌଣସିପ୍ରକାର ଶାରୀରିକ ନିର୍ଯାତନା ଦେଇନଥିବାବେଳେ ଅକଥନୀୟ ମାନସିକ ନିର୍ଯାତନା ଦେଇଥିବା ପ୍ରକାଶ କରିଥିଲା । ଅପରପକ୍ଷରେ ପାକ୍‌ ସେନା ଭାରତୀୟ କମାନ୍ଦରଙ୍କ ସହ ଖୁବ୍‌ ଭଲ ବ୍ୟବହାର କରିଥିବା କଥା ଏକ ଭିଡିଓ ଜାରି ପ୍ରଚାର କରିଥିଲା । ଏଥିପାଇଁ ସେ ଅଭିନନ୍ଦନଙ୍କ ଏକ ଭିଡିଓ ଜାରି କରିଥିଲା । ଯେଉଁଥିରେ ଅଭିନନ୍ଦନ ପାକିସ୍ତାନୀ ସେନାକୁ ଖୁବ୍‌ ପ୍ରଫେସନାଲ ଏବଂ ତାଙ୍କ ସହ ଖୁବ୍‌ ଭଲ ବ୍ୟବହାର କରୁଥିବା କହିଥିଲେ । ହେଲେ ଅଭିନନ୍ଦନ ଭାରତ ଫେରିବା ପରେ ପାକିସ୍ତାନୀ ସେନାର ଚାଲ ଧରା ପଡି ଯାଇଥିଲା । ପାକିସ୍ତାନୀ ସେନା ଅନୂ୍ୟନ ୧୮ଟି କଟ୍‌ କରି ଉକ୍ତ ଭିଡିଓ ପ୍ରସ୍ତୁତ କରିଥିବା ଅଭିନନ୍ଦନ କହିଥିବାବେଳେ ସେଠାରେ ତାଙ୍କୁ ଖୁବ୍‌ ମାନସିକ ନିର୍ଯାତନା ଦିଆଯାଇଥିଲା ବୋଲି ପ୍ରକାଶ କରିଥିଲେ ।
ଅପରପକ୍ଷରେ ଆଜି ମଧ୍ୟ ଅଭିନନ୍ଦନଙ୍କୁ ସେନା ଅଧିକାରୀମାନେ ଭେଟିବା କାର୍ଯ୍ୟକ୍ରମ ଜାରି ରହିଛି । ତାଙ୍କର ଡିବ୍ରିଫିଂ( ପୂର୍ବ ମାନସିକତାକୁ ଫେରାଇବା ପାଇଁ ଉଦ୍ୟମ) କରାଯାଉଥିବା ଜଣାପଡିଛି । ବାୟୁ ସେନା ଅଧିକାରୀମାନେ ଅଭିନନ୍ଦନଙ୍କର ଅତୀତରେ ଯେଉଁ ମାନସିକତା ଥିଲା, ସେଠିକି ତାଙ୍କୁ ଫେରାଇ ଆଣିବାକୁ ଚେଷ୍ଟା କରୁଛନ୍ତି । ତାଙ୍କର ଅତୀତର କାର୍ଯ୍ୟାବଳୀ ତାଙ୍କୁ ମନେ ପକାଯାଉଛି । ଏହି ଅବସରରେ ଅଭିନନ୍ଦନ ପୁଣିଥରେ ଲଢୁଆ ବିମାନ ଉଡାଇବାର ଇଚ୍ଛା ପ୍ରକାଶ କରିଥିଲେ । ସୂଚନା ଯୋଗ୍ୟ ଯେ, ଶତ୍ରୁ ଦେଶରୁ କୌଣସି ଯୁଦ୍ଧବନ୍ଦୀ ଭାରତ ଫେରିବା ପରେ ତାଙ୍କର ଡିବ୍ରିଫିଂ ହୋଇଥାଏ । ଶତ୍ରୁ ଦେଶ ତାଙ୍କ ଭିତରେ କିଛି ଖରାପ ଚିନ୍ତାଧାରା ପୁରାଇଥିବା ସନେ୍ଦହରେ ଏପରି କରାଯାଇଥାଏ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*