ଅବହେଳିତ କାଲବୁଦିଆ,ନାଳ ପାରି ହେଲେ ଆରମ୍ଭ ହୁଏ ଜୀବନ ଜୀବିକା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଢେଙ୍କାନାଳ

ରାଜ୍ୟରେ ଏମିତି ଅନେକ ଉପାନ୍ତ ଅଞ୍ଚଳ ରହିଛି ଯେଉଁଠି ସରକାରଙ୍କର ଆଦୌ ଦୃଷ୍ଟି ପଡୁନି । ଯେଉଁଠି ନା ଅଛି ଶିକ୍ଷା, ନା ସ୍ୱାସ୍ଥ୍ୟ ଅବା ଗମନାଗମନ ପରି ଅତ୍ୟାବଶ୍ୟକୀୟ ସୁବିଧା । ଅବା ସେ ସବୁର ବିକାଶ ପାଇଁ ଏଭଳି କିଛି ଖାସ୍ ସରକାରୀ ପଦକ୍ଷେପ । ଯାହା ଫଳରେ କି ଲୋକମାନେ ବହୁ ଅସୁବିଧାରେ ଜୀବନ ଅତିବାହିତ କରୁଥିବା ବେଳେ ବର୍ଷବର୍ଷ ଧରି ଅବହେଳିତ ଓ ହନ୍ତସନ୍ତ ଅବସ୍ଥାରେ ରହି ନିଜ ଅଞ୍ଚଳର ବିକାଶ ପାଇଁ ମିଛୁଆ ନେତାଙ୍କର କଥା ପ୍ରତିଶ୍ରୁତି ଆଦିକୁ ଅନେଇ ବସିଛନ୍ତି । ଏମିତି ଏକ ଗାଁ କାଲବୁଦିଆ । ଯେଉଁଠି ବିକାଶ ତ ସ୍ୱପ୍ନ ମାତ୍ର ସବୁଠୁ ବଡ଼ ସ୍ପର୍ଶକାତର କଥା କି ସେହି ଗାଁ ତଥା ଆଖପାଖ ଅଞ୍ଚଳରେ ବସବାସ କରୁଥିବା ଲୋକମାନେ ପାଣିଭର୍ତ୍ତି ଏକ ନାଳ ପାରି ହେଲେ ଯାଇ ଆରମ୍ଭ ହୁଏ ସେମାନଙ୍କର ଜୀବନ ଜୀବିକା ।
ଜିଲ୍ଲାର କଙ୍କଡାହାଡ଼ ବ୍ଲକ ଅନ୍ତର୍ଗତ କାଲବୁଦିଆ ଗ୍ରାମ । ଗ୍ରାମର ଲୋକସଂଖ୍ୟା ପ୍ରାୟ ୧୦୦୦ । ଲୋକମାନେ ଆଦିବାସୀ ଜନଜାତିର ହୋଇଥିବା ବେଳେ ସମସ୍ତେ ସରଳ ଓ ଶ୍ରମଜୀବୀ । ଦିନ ଯାକ ମୂଲମଜୁରୀ କରି ପରିବାର ପ୍ରତିପୋଷଣ କରନ୍ତି । କେହିକେହି ଚାଷବାଷ ଅବା ଅନ୍ୟ କୌଳିକ ବୃତ୍ତି କରି ପରିବାର ଚଳାନ୍ତି । ହେଲେ ଗାଁ ନିକଟରେ ଥିବା ଡୋଲିଆ ନାଳ ତାଙ୍କ ପାଇଁ ପ୍ରତିବନ୍ଧକ ହେଉଛି । ନାଳ ପାଣି ପାର ହେଲେ ଯାଇ ଜୀବନ ଜୀବିକା ଆରମ୍ଭ ହୁଏ । କିଏ ଯଦି ରୋଗ ବ୍ୟାଧିରେ ପଡିଲେ ରୋଗୀମାନଙ୍କୁ ଚିକିତ୍ସା ପାଇଁ କାନେ୍ଧଇ କାନେ୍ଧଇ ନେବା ଛଡା ଆଉ କିଛି ଉପାୟ ନାହିଁ । କାରଣ ଅନ୍ୟ ରାସ୍ତା ସବୁ ଗାଁଠାରୁ ପ୍ରାୟ ୧୦/୧୫ କିମି ବ୍ୟବଧାନ । ଏଭଳି ଘଟଣା ଜିଲ୍ଲାରେ ନୂଆ ନୁହେଁ । ବାରମ୍ବାର ଏମିତି ଖବର ଅନେକ ସମୟରେ ବିଭିନ୍ନ ଅଞ୍ଚଳରୁ ଭିନ୍ନ ଭିନ୍ନ ଗଣମାଧ୍ୟମରେ ଆସିଛି ।
ଗ୍ରାମ ଲୋକଙ୍କ କହିବା ମୁତାବକ ପ୍ରତି ଭୋଟ ସମୟରେ ବିଭିନ୍ନ ନେତାମାନେ ତାଙ୍କ ଗାଁକୁ ଆସନ୍ତି ଓ ଅନେକ ପ୍ରଲୋଭନ ଦେଖାନ୍ତି । ପ୍ରତିଶ୍ରୁତି ମଧ୍ୟ ଦିଅନ୍ତି । ଭୋଟ ସରିଲେ ଆଉ ଦେଖା ମିଳେନି ସେମାନଙ୍କର । ଗାଁକୁ ସାମାନ୍ୟ ଭଲ ରାସ୍ତା ଖନ୍ଦିଏ ଏ ପର୍ଯ୍ୟନ୍ତ ନାହିଁ । ଗାଁରେ ଛୋଟ ପିଲାମାନଙ୍କ ପାଇଁ ବିଦ୍ୟାଳୟଟିଏ ଥିଲେ ମଧ୍ୟ ପାଠ ପଢିବା ପାଇଁ ତା’ର ଉପଯୁକ୍ତ ଶୈକ୍ଷିକ ବାତାବରଣ ନାହିଁ । ଉଚ୍ଚବିଦ୍ୟାଳୟରେ ପଢୁଥିବା ପିଲାମାନେ ସବୁଦିନ ପାଣିଭର୍ତ୍ତି ନାଳ ପାରି ହୋଇ ନାଳ ଆରପାଖ କନ୍ଦରା ଗ୍ରାମକୁ ପଢିବା ପାଇଁ ଯାଇଥାନ୍ତି । ନାଳରେ ଯେତେବେଳେ ପାଣି ବେଶୀ ହୋଇଯାଏ ସେତେବେଳେ ପାଠ ପଢା ପିଲାଙ୍କର ବନ୍ଦ ହୁଏ ।
ଖାଲି କାଲବୁଦିଆ ନୁହେଁ ତା ପାଖକୁ ଲାଗି ଫୁଲଝର, ଟିମାସାହି, କରଡାପାଳ ଆଦି ୮/୧୦ ଖନ୍ଦ ଗାଁର ହଜାରହଜାର ଲୋକମାନେ ବାହାରକୁ ଯିବାକୁ ହେଲେ ଏହି ସବୁ ନାଳ ଉପରେ ହିଁ ଭରସା କରିଥାନ୍ତି । ଯଦ୍ୱାରା ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଗାଁରେ ୩/୪ ଟି ମାତ୍ର ନଳକୁଅ ସେଥିରୁ ଦୀର୍ଘଦିନ ଧରି କିଛି ନଳକୁଅ ଅଚଳ ହୋଇପଡିଛି । ସେଥିପ୍ରତି କାହାରି ଦୃଷ୍ଟି ନାହିଁ । ଦୀର୍ଘ କିଛି ବର୍ଷ ହେବ ଗାଁରେ ପାଣି ଆସିବା ପାଇଁ ପାଇପ ବିଛା ଯାଇଛି, ହେଲେ ପାଣିର ନା ଗନ୍ଧ ନାହିଁ । ବିଦୁ୍ୟତ୍‌ ସଂଯୋଗ ଅଛି ହେଲେ କେଉଁଠି ଜଳିଲେ କେଉଁଠି ନାହିଁ । ସନ୍ଧ୍ୟା ହେଲେ ଅନେକ ଅଞ୍ଚଳ ଅନ୍ଧାରରେ ବୁଡି ରହିଛି । ଗ୍ରାମରେ ଅଙ୍ଗନୱାଡି କେନ୍ଦ୍ରଟିଏ ଅଛି ମାତ୍ର ପଢିବା ତ ଦୂରର କଥା, ଛୋଟଛୋଟ ପିଲାମାନେ ସେଠାରେ ସୁବିଧାରେ ବସି ମଧ୍ୟ ପାରନ୍ତି ନାହିଁ । କାରଣ ଗୋଟିଏ କେନ୍ଦ୍ରରେ ଆବଶ୍ୟକତାରୁ ଯଥେଷ୍ଟ ଅଧିକ ପିଲା ସଂଖ୍ୟା । ମିନି ଅଙ୍ଗନୱାଡି ପାଇଁ ଗ୍ରାମବାସୀଙ୍କ ତରଫରୁ ବାରମ୍ବାର ନିବେଦନ କରାଯାଉଥିଲେ ମଧ୍ୟ କୌଣସି ଅଧିକାରୀ ତାହା ଶୁଣିନାହାନ୍ତି ।
ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ସେମାନେ ଏ ସମ୍ପର୍କରେ ସ୍ଥାନୀୟ ସରପଞ୍ଚ ବିଡିଓ ଓ ଅନ୍ୟାନ୍ୟ ବହୁ ଅଧିକାରୀଙ୍କୁ ବାରମ୍ବାର ନିବେଦନ କରିଛନ୍ତି । ଏମିତି କି କିଛି ବର୍ଷ ତଳେ ତକ୍ରାଳୀନ ମନ୍ତ୍ରୀ ନୃସିଂହ ସାହୁ ଗ୍ରାମ ବିକାଶ କାର୍ଯ୍ୟକ୍ରମରେ ନିକଟସ୍ଥ କନ୍ଦରା ଗ୍ରାମକୁ ଆସିଥିବା ବେଳେ ତାଙ୍କୁ ଲିଖିତ ଭାବେ ସେମାନଙ୍କର ଏହି ସବୁ ଅସୁବିଧାର ନିରାକରଣ ପାଇଁ ଜଣାଇଥିଲେ । ହେଲେ ଲାଭ କିଛି ହୋଇନି । ସମସ୍ତ ନେତା ଅଧିକାରୀ ଏଥିପାଇଁ ଅନେକ ଟଙ୍କା ଦରକାର ଓ ଏହା ତାଙ୍କ ସାଧ୍ୟ ବାହାରେ କହି କଥା ଏଡେଇ ଯାଇଥିବା ବେଳେ ଗ୍ରାମବାସୀମାନେ ନିରୁତ୍ସାହିତ ହୋଇପଡିଥିବା ସ୍ଥାନୀୟ ଅଞ୍ଚଳର ଜଣେ ସଚେତନ ଯୁବକ କହିଛନ୍ତି । ଏ ସମ୍ବନ୍ଧରେ ଅଧିକ ଜାଣିବା ପାଇଁ ଆମେ ସ୍ଥାନୀୟ ସରପଞ୍ଚଙ୍କ ସହିତ ଯୋଗାଯୋଗ କରିବାକୁ ବହୁ ଚେଷ୍ଟା କରି ବିଫଳ ହେଇଥିଲୁ ।
ଏଭଳି ବିଭିନ୍ନ ସମସ୍ୟା ଓ ଅସୁବିଧା ଭିତରେ ସେଠାକାର ଅଞ୍ଚଳବାସୀ ରହିଥିବା ବେଳେ କୌଣସି ନେତା ଅଧିକାରୀ ଅବା କର୍ତ୍ତୃପକ୍ଷଙ୍କର ସାଧାରଣ ଲୋକମାନଙ୍କର ଏସବୁ ଦୁର୍ଦ୍ଦଶା ଦେଖି ଜାଣି ମଧ୍ୟ ତା’ର ନିରକରଣ ନହେବା ବଡ଼ ପରିତାପର ବିଷୟ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*