ଅବସର ସୀମା ବଢ଼ାଗଲେ ଅଧିକା ସମୟ ପର୍ଯ୍ୟନ୍ତ କାମ କରିବେ ଜଜ୍‌ : ପ୍ରଧାନ ବିଚାରପତି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ନୂଆଦିଲ୍ଲୀ

ଉଚ୍ଚ ବିଚାର ବିଭାଗୀୟ ଧାରାର ଜଜ୍‌ମାନଙ୍କର ଅବସର ବୟସସୀମା ବଢ଼ାଇବାର ବିତର୍କ ସାରା ଦେଶରେ ଏବେ ଜୋରରେ ଚାଲିଛି । ସେଭଳି ମାହୋଲରେ ଗୁରୁବାର ଦିନ ଦେଶର ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବ୍‌ଡେ କହିଛନ୍ତି ଯେ ଯଦି ଅବସର ବୟସସୀମା ବଢ଼ାଇ ଦିଆଯିବ ତା’ହେଲେ ଜଜ୍‌ମାନେ ଅଧିକ ସମୟ କାମ କରିବେ ବୋଲି ରାଜି ଅଛନ୍ତି । ଗତ ୧୮ ତାରିଖ ଦିନ ଦେଶର ୪୭ତମ ପ୍ରଧାନ ବିଚାରପତି ଭାବେ ଜଷ୍ଟିସ୍‌ ବୋବ୍‌ଡେ ଶପଥ ଗ୍ରହଣ କରିଥିଲେ । ଆଟୋର୍ଣ୍ଣି ଜେନେରାଲ କେକେ ଭେନୁଗୋପାଳ ଜଷ୍ଟିସ୍‌ ବୋବ୍‌ଡୋଙ୍କୁ ପ୍ରଧାନ ବିଚାରପତି ଭାବେ ନୁହେଁ ବରଂ ବାର୍‌ର ଜଣେ ସଦସ୍ୟ ଭାବରେ ପ୍ରଶ୍ନର ଉତ୍ତର ଦେବାକୁ ଅନୁରୋଧ କରିବାରେ ଏହା କହିଥିଲେ ଜଷ୍ଟିସ୍‌ ବୋବ୍‌ଡେ । ପ୍ରଧାନ ବିଚାରପତିଙ୍କୁ ସମ୍ବର୍ଦ୍ଧିତ କରିବା ଲାଗି ଆୟୋଜିତ ହୋଇଥିବା ଏକ ଉତ୍ସବରେ ଭେନୁଗୋପାଳ କହିଥିଲେ ୭୦ ଓ ୮୦ ବର୍ଷ ବୟସର ଆଡ୍‌ଭୋକେଟ୍‌ମାନେ ଖୁବ୍‌ ଦମ୍‌ଦାର ଭାବରେ କୋର୍ଟରେ ମାମଲା ଲଢ଼ୁଛନ୍ତି । ତେଣୁ ସେହିପରି ଭାବରେ ସୁପ୍ରିମ୍‌କୋର୍ଟ ଜଜ୍‌ମାନଙ୍କ ବୟସସୀମା ୭୦ ଏବଂ ହାଇକୋର୍ଟ ଜଜ୍‌ମାନଙ୍କ ବୟସସୀମା ୬୮ କରିଦେବା ଉଚିତ୍‌ ହେବ ବୋଲି କହିଥିଲେ । ବର୍ତ୍ତମାନ ସୁପି୍ରମ୍‌କୋର୍ଟର ଜଣେ ଜଜ୍‌ ୬୫ ବର୍ଷ ବୟସରେ ଏବଂ ହାଇକୋର୍ଟର ଜଜ୍‌ ୬୨ ବର୍ଷ ବୟସରେ ଅବସର ନେଉଛନ୍ତି । ନିଜ ଭାଷଣ ବେଳେ ଜଷ୍ଟିସ୍‌ ବୋବ୍‌ଡେ କହିଥିଲେ ଆଟୋର୍ଣ୍ଣି ଜେନେରାଲ ଜଜ୍‌ମାନଙ୍କ ଅବସର ବୟସସୀମା ବାବଦରେ ଏଠାରେ କହିଛନ୍ତି । ସେ ବାର୍‌ର ସଦସ୍ୟ ଭାବରେ ଏଠାରେ ନିଜ ମତ ରଖିଥିଲେ । ମୁଁ ମଧ୍ୟ ବାର୍‌ର ସଦସ୍ୟ ଭାବରେ କହିବାକୁ ଚାହେଁ, ଯାଆନ୍ତୁ ଆପଣଙ୍କ ମହକିଲଙ୍କୁ କୁହନ୍ତୁ ଆମେମାନେ ମଧ୍ୟ କାମ କରିବାକୁ ପ୍ରସ୍ତୁତ ଅଛୁ । ନିଜ ଭାଷଣରେ ଜଷ୍ଟିସ୍‌ ବୋବ୍‌ଡେ ସାଧାରଣ ଲୋକେ କିପରି ସୁବିଧାରେ ଆଇନ୍‌ସେବା ପାଇପାରିବେ ସେଥିପାଇଁ ଦୃଷ୍ଟିଦେବାକୁ ବାର୍‌କୁ ଅନୁରୋଧ କରିଥିଲେ । ବହୁ ଆଡ୍‌ଭୋକେଟ୍‌ ପେସାଦାର ଫି’ ଭାବେ ବହୁ ଅର୍ଥ ଦାବି କରୁଛନ୍ତି ବୋଲି କହିଥିଲେ ଜଷ୍ଟିସ୍‌ ବୋବ୍‌ଡେ । ଏହି ସମ୍ବର୍ଦ୍ଧନା ଉତ୍ସବ ସୁପ୍ରିମ୍‌କୋର୍ଟ ବାର୍‌ ଆସୋସିଏସନ୍‌ ପକ୍ଷରୁ ଆୟୋଜିତ ହୋଇଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*