ଅବସର ପୂର୍ବରୁ ୪ ବିଶେଷ ମାମଲାର ରାୟ ଶୁଣାଇବେ ଜଷ୍ଟିସ୍‌ ଗୋଗୋଇ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ

ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଂଜନ ଗୋଗୋଇ ନଭେମ୍ବର ୧୭ ତାରିଖରେ ସେବା ନିବୃତ ହେବାକୁ ଯାଉଛନ୍ତି । ଆଉ ପ୍ରାୟ ୧୯ଦିନ ତାଙ୍କର କାର୍ଯ୍ୟକାଳ । ଏହାପରେ ସେ ଅବସର ନେଇଯିବେ । ତେବେ ନଭେମ୍ବର ୧୭ ତାରିଖ ଭିତରେ ପ୍ରଧାନ ବିଚାରପତି ୪ଟି ଅତି ବିଶେଷ ତଥା ଗୁରୁତ୍ୱପୂର୍ଣ୍ଣ ମାମଲାର ରାୟ ଶୁଣାଇବାକୁ ଯାଉଛନ୍ତି । ଯାହାର ପ୍ରଭାବ ଭାରତୀୟ ଶାସନ ବ୍ୟବସ୍ଥା ସହ ପୂରା ଜନମାନସ ଉପରେ ପଡ଼ିବ ବୋଲି ବିଚାର କରାଯାଉଛି । ତାଙ୍କ ଦ୍ୱାରା ପ୍ରଦତ୍ତ ହେବାକୁ ଥିବା ଏହି ୪ ବିଶେଷ ମାମଲାର ରାୟ ସୁପ୍ରିମ୍‌କୋର୍ଟର ମର୍ଯ୍ୟାଦା ବଢ଼ାଇ ଭାରତୀୟ ନାଗରିକମାନଙ୍କ ପାଖରେ ଏହାପ୍ରତି ଥିବା ଆସ୍ଥା ଆହୁରି ସୁଦୃଢ଼ କରିଦେବ ବୋଲି ଆଇନ୍‌ ବିଶାରଦମାନେ ମନେକରୁଛନ୍ତି । ନଭେମ୍ବର ୧୭ ପୂର୍ବରୁ ରାମ ଜନ୍ମଭୂମି – ବାବ୍ରି ମସ୍‌ଜିଦ ମାମଲାର ରାୟ ଆସିବାକୁ ଯାଉଛି । ଏହି ଅତ୍ୟନ୍ତ ସ୍ପର୍ଶକାତର ମାମଲାର ରୋଜ୍‌ ଶୁଣାଣି ବ୍ୟବସ୍ଥା ପ୍ରଧାନ ବିଚାରପତି ଜଷ୍ଟିସ୍‌ ଗୋଗୋଇ କରାଇଥିଲେ । ଲଗାତାର ଭାବେ ୪୦ଦିନ ଏହି ମାମଲାର ଶୁଣାଣି ସର୍ବୋଚ୍ଚ ନ୍ୟାୟାଳୟରେ ହୋଇଥିଲା । ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଖନ୍ଦପୀଠରେ ଜଷ୍ଟିସ୍‌ ଏସ୍‌ ଏ ବୋବ୍‌ଡେ, ଜଷ୍ଟିସ୍‌ ଏସ୍‌ ଏ ନଜିର, ଜଷ୍ଟିସ ଅଶୋକ ଭୂଷଣ ଏବଂ ଜଷ୍ଟିସ୍‌ ଡି ୱାଇ ଚନ୍ଦ୍ରଚୂଡ଼ ସାମିଲ ଅଛନ୍ତି । ସେହିପରି ରାଫେଲ୍‌ ଖର୍ଦ୍ଦି ମାମଲାର ରାୟ ମଧ୍ୟ ୧୭ ତାରିଖ ଭିତରେ ଆସିବାକୁ ଯାଉଛି । ରାଫେଲ୍‌ ମାମଲାର ରାୟ ଉପରେ ଆଗତ ରିଭୁ୍ୟ ପିଟିସନର ଶୁଣାଣି ଶେଷ ହୋଇଥିଲା ବେଳେ ଏହାର ମଧ୍ୟ ରାୟ ଆସିବାକୁ ଅଛି । ୨୦୧୮ ସେପ୍ଟେମ୍ବର ମାସରେ ସାବ୍ରିମାଲା କେସ୍‌ର ଯେଉଁ ରାୟ ଆସିଥିଲା ତାହାର ପୁନଃ ଶୁଣାଣି ପାଇଁ ୬୫ଟି ପିଟିସନ ଦାଖଲ ହୋଇଥିଲା । ପ୍ରଧାନ ବିଚାରପତି ଜଷ୍ଟିସ୍‌ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖନ୍ଦପୀଠ ଏହି ମାମଲାର ମଧ୍ୟ ଶୁଣାଣି କରୁଥିଲେ । ସେ ରିଭୁ୍ୟ ପିଟିସନର ରାୟ ମଧ୍ୟ ଆସିବାକୁ ଅଛି ।ସେହିପରି ଅର୍ଥ ସମ୍ପର୍କିତ ବିଲ୍‌କୁ ମନି ବିଲ୍‌ ଭାବରେ ଉପସ୍ଥାପିତ କରାଯାଇପାରିବ କି ନାହିଁ ସେ ବାବଦରେ ମଧ୍ୟ ରାୟ ନଭେମ୍ବର ୧୭ ଭିତରେ ଅର୍ଥାତ୍‌ ପ୍ରଧାନ ବିଚାରପତି ଅବସର ନେବା ପୂର୍ବରୁ ଆସିବ ବୋଲି କୁହାଯାଉଛି । ଲୋକସଭା ବାଚସ୍ପତିଙ୍କ ନିଷ୍ପତ୍ତି ବିଚାର ବିଭାଗୀୟ ସମୀକ୍ଷା ଭିତରକୁ ଆସିପାରିବ କି ନାହିଁ ତାହା ମଧ୍ୟ ଏହି ରାୟ ଦ୍ୱାରା ସ୍ପଷ୍ଟ ହୋଇଯିବ ବୋଲି ଅନୁମାନ କରାଯାଉଛି । ତେଣୁ ଏହି ଅତିଗୁରୁତ୍ୱପୂର୍ଣ୍ଣ ୪ ମାମଲା ଉପରେ ସୁପ୍ରିମ୍‌କୋର୍ଟଙ୍କ ରାୟ କ’ଣ ଆସୁଛି ତାହା ଦେଖିବା ସକାଶେ ସମସ୍ତଙ୍କ ଅପେକ୍ଷା ରହିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*