ଅଧିକ ପରୀକ୍ଷା ବଦଳରେ କମାଯାଇଥିଲା କାହିଁକି? ଜୁନ୍‌ର ‘ଭୁଲ୍‌’ ମହଙ୍ଗା ପଡ଼ିଲା ଜୁଲାଇରେ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ସରକାର ଯେଉଁ ଭୁଲ୍‌ ଜୁନ୍‌ରେ କରିଥିଲେ, ସେଥିପାଇଁ ଏବେ ପସ୍ତେଇ ହେଉଛନ୍ତି । କିନ୍ତୁ ବାହାଦୁରୀ ମାରି ସବୁ ନିୟନ୍ତ୍ରଣରେ ଅଛି ବୋଲି କହି ଚାଲିଛନ୍ତି ।
ଦୁଇମାସ ତଳେ ବରିଷ୍ଠ ଭାଜପା ନେତା ବିଜୟ ମହାପାତ୍ର ସତର୍କ କରିଦେଇଥିଲେ ନବୀନ ସରକାରଙ୍କୁ । ଅହଂକାର ଛାଡ଼ି ବାସ୍ତବତାକୁ ସରକାର ଧ୍ୟାନ ଦିଅନ୍ତୁ ଏବଂ ଠୋସ୍‌ ରଣନୀତି ପ୍ରସ୍ତୁତ କରନ୍ତୁ ବୋଲି କହିଥିଲେ ବିଜୟ । କିନ୍ତୁ ନିରୁତା ଅଫିସରମାନଙ୍କ ଦ୍ୱାରା ପରିଚାଳିତ ସରକାର କାହାର ଭଲ କଥା ଶୁଣନ୍ତେ କି? ଶୁଣିବା ବଦଳରେ ଅନ୍ୟ ରାଜ୍ୟ ସହ ଓଡ଼ିଶାର ତୁଳନାତ୍ମକ ଚିତ୍ର ଦେଇ ସରକାରଙ୍କ ପିଠି ଥାପୁଡ଼ାଇବାରେ ଲାଗି ପଡ଼ିଥିଲେ ବଚସ୍କର ଅଫିସର ଗୋଷ୍ଠୀ । ଆଜି ଅବସ୍ଥା ଏମିତି ଯେ, ସବୁ ଜିଲାକୁ ଛାଡ଼ି ମୁଖ୍ୟମନ୍ତ୍ରୀଙ୍କ ଜିଲା ବୋଲି ଗଞ୍ଜାମରେ କେନ୍ଦ୍ରୀଭୂତ ହୋଇଯାଇଛି ସରକାରଙ୍କ ଚିନ୍ତା ଓ ଚେତନା ।
ଯାବତୀୟ ସରକାରୀ କଟକଣା ସତ୍ତ୍ୱେ କିଛି ଗଣମାଧ୍ୟମ ପ୍ରବାସୀ ଶ୍ରମିକଙ୍କ ଆଗମନ ପରେ ସରକାରଙ୍କୁ ବିସ୍ଫୋରକ ପରିସ୍ଥିତି ସମ୍ପର୍କରେ ଚେତେଇ ଦେଇଥିଲେ । କିନ୍ତୁ ପଦକ୍ଷେପ ନେବା ପରିବର୍ତ୍ତେ ପ୍ରଚାରରେ ଲାଗିପଡିଥିଲା ପ୍ରଶାସନ । ଷ୍ଟେସନ୍‌ରେ ଅଭ୍ୟର୍ଥନା ଶିବିର, ଟିଏମ୍‌ସିକୁ ଶ୍ରମିକ ପରିବହନ, ଟିଏମ୍‌ସିରେ ବିଭିନ୍ନ ବ୍ୟବସ୍ଥା ଇତ୍ୟାଦି ଇତ୍ୟାଦି ବିଷୟକୁ ଯେତେ ବଢ଼େଇଚଢ଼େଇ ପ୍ରଚାର କରାଯାଇପାରେ, ସେଥିରେ ଲାଗି ପଡ଼ିଥିଲା ଜିଲା ପ୍ରଶାସନ ।
ବିଧାୟକ ଓ ସାଂସଦଙ୍କୁ ସମ୍ପୂର୍ଣ୍ଣ ବାଦ୍‌ ଦେଇ ସରପଞ୍ଚମାନଙ୍କୁ ଜିଲାପାଳ କ୍ଷମତା ଦେଇଥିଲେ ସରକାର । ଏହାକୁ ଐତିହାସିକ ପଦକ୍ଷେପ ବୋଲି ଦର୍ଶାଇ ଚାଲିଥିଲେ ପ୍ରଶାସନିକ କଳ । କିନ୍ତୁ ଗଞ୍ଜାମରେ ଏହି ସରପଞ୍ଚମାନଙ୍କ ଖାମ୍‌ଖିଆଲି ଗୁଣ ଯୋଗୁଁ କରୋନା ଅଧିକ ସଂକ୍ରମିତ କରିଛି ସାଧାରଣ ଲୋକଙ୍କୁ ।
ମାର୍ଚ୍ଚ ମଧ୍ୟଭାଗରୁ ନମୁନା ପରୀକ୍ଷା ଆରମ୍ଭ ହେଲା । ସେତେବେଳେ ପ୍ରବାସୀ ଶ୍ରମିକ ସମସ୍ୟା ନଥିଲା । ଦୈନିକ ୫ହଜାର ପର୍ଯ୍ୟନ୍ତ ନମୁନା ପରୀକ୍ଷା କରାଯାଉଥିଲା । କେବଳ ତବ୍‌ଲିଘି ଓ କଲିକତୀ ସମସ୍ୟା କାରଣରୁ କିଛି ଆକ୍ରାନ୍ତ ବାହାରୁ ଥିଲେ । ଏହାକୁ ନେଇ ଯେତେ ଦମ୍ଭ ଓ ଅହଂକାର ଦେଖାଯାଇପାରେ, ସବୁର ଉଲଗ୍ନ ପ୍ରଦର୍ଶନ କରାଯାଉଥିଲା ତଥାକଥିତ ସରକାରୀ ସାମ୍ବାଦିକ ସମ୍ମିଳନୀରେ ।
୩୦ ଜୁନ୍‌ରେ ୫ ହଜାରରୁ ଅଧିକ ନମୁନା ପରୀକ୍ଷା କରାଯାଇଥିଲା । ସେହିଦିନ ଆକ୍ରାନ୍ତଙ୍କ ସଂଖ୍ୟା ୭୩୧୬, ଆରୋଗ୍ୟ ଥିଲେ ୫୧୮୯ । ଆକ୍ଟିଭ୍‌ କେସ୍‌ ଥିଲା ୨୦୯୪ । ମେ’ ପ୍ରାରମ୍ଭରୁ ଓଡ଼ିଶାକୁ ବାହାର ରାଜ୍ୟରୁ ଶ୍ରମିକ ଆସିବା ଆରମ୍ଭ ହୋଇସାରିଥିଲା । ମେ’ ପହିଲାରେ ମଧ୍ୟ ନମୁନା ପରୀକ୍ଷା କରାଯାଇଥିଲା ୫ହଜାରରୁ ଅଧିକ । ସେତେବେଳେ ଆକ୍ରାନ୍ତଙ୍କ ସଂଖ୍ୟା ଥିଲା ମାତ୍ର ୧୪୨, ଆରୋଗ୍ୟ ହୋଇଯାଇଥିଲେ ୩୯ ଜଣ । ମୃତୁ୍ୟ ସଂଖ୍ୟା ଥିଲା ମାତ୍ର ୧ । ମାତ୍ର ୧୦ଟି ଜିଲା ପ୍ରଭାବିତ ହୋଇଥିଲା । ସେହି ସମୟରୁ ଟେଷ୍ଟିଂ ବଢ଼ିବାର ଆବଶ୍ୟକତା ଥିଲା ।

ଜୁନ୍‌ ପହିଲାରୁ ୧୫ହଜାର ନମୁନା ପରୀକ୍ଷା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । କିନ୍ତୁ ଜୁନ୍‌ ମାସରେ ୫ ହଜାରରୁ ଆଉ ଅଧିକ ବଢ଼ିଲା ନାହିଁ ପରୀକ୍ଷା । ବରଂ ୩ ହଜାର ଓ ୪ ହଜାରକୁ ଖସି ଆସିଲା । ସେତେବେଳକୁ ଟିଏମ୍‌ସିରେ ପ୍ରବାସୀ ଶ୍ରମିକ ଭର୍ତ୍ତି ହୋଇସାରିଥିଲେ । ଜୁନ୍‌ ମାସରେ ନମୁନା ପରୀକ୍ଷା ବଢ଼ିବାର ଆବଶ୍ୟକତା ଥିବା ବେଳେ ମେ’ ମାସ ତୁଳନାରେ ଏହାକୁ କମାଇ ଆଣିବା ପାଇଁ ନିଷ୍ପତ୍ତି ନେଇଥିଲା କିଏ?
ମେ’ ଶେଷ ବେଳକୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ଆରମ୍ଭ କରିଥିଲା । ସେହି ଅନୁପାତରେ ନମୁନା ପରୀକ୍ଷା ଅଧିକ କରାଯିବାର ଆବଶ୍ୟକତା ଥିଲା । କିନ୍ତୁ କେଉଁ ବୁଦ୍ଧିମାନ ବ୍ୟକ୍ତି ନିଷ୍ପତ୍ତି ଗ୍ରହଣ କଲେ ଯେ, ଅଧିକ ପରୀକ୍ଷା କଲେ ଅଧିକ ଆକ୍ରାନ୍ତ ବାହାରିବେ ଏବଂ ଓଡ଼ିଶାର ରେକର୍ଡ଼ ଖରାପ ହୋଇଯିବ । ଏପର୍ଯ୍ୟନ୍ତ ଜଣା ନାହିଁ ଯେ, କୋଭିଡ୍‌ ପରିଚାଳନା ଦାୟିତ୍ୱ କାହା ହାତରେ ଥିଲା ସେତେବେଳେ? ମୁଖ୍ୟମନ୍ତ୍ରୀଙ୍କ ୧୫ହଜାର ଟାର୍ଗେଟ୍‌ କାହିଁକି ପୂରଣ କରାଗଲା ନାହିଁ? କେଉଁ ପ୍ରଭାବଶାଳୀ ବ୍ୟକ୍ତି ବା ଅଧିକାରୀ ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଦଶର ଅବମାନନା କରିବାକୁ ସାହସ କଲେ? ଏହି ପ୍ରଶ୍ନର ଉତ୍ତର ଏତେ ସହଜେ ମିଳିବ ନାହିଁ ।
ଜୁନ୍‌ରେ ଯଦି ଅଧିକରୁ ଅଧିକ ପରୀକ୍ଷା କରାଯାଇଥାନ୍ତା, ତେବେ ସ୍ଥିତି ଆଜି ହାତଛଡ଼ା ହୋଇ ନଥାନ୍ତା । ଦିଲ୍ଲୀରେ ଅଧିକରୁ ଅଧିକ ପରୀକ୍ଷା କରାଯିବା ଦ୍ୱାରା ସ୍ଥିତି ଏବେ ନିୟନ୍ତ୍ରଣକୁ ଫେରୁଛି । ମାତ୍ର ଓଡ଼ିଶାରେ କରୋନା ନିୟନ୍ତ୍ରଣ ବାହାରକୁ ଯାଉଛି ।
ଓଡ଼ିଶା ସରକାର ଦୀର୍ଘ ମିଆଦି ରଣନୀତି ପ୍ରସ୍ତୁତ କରିବା ବଦଳରେ ଓଡ଼ିଶା ମଡେଲ୍‌କୁ ଥୋଇବା ପାଇଁ ସ୍ପେନ୍‌, ବି୍ରଟେନ୍‌ ଏବଂ ଏପରି କି ପେରୁ ସହ ତୁଳନା କରିବା ଆରମ୍ଭ କରିଦେଲେ । ତାହାହିଁ ଥିଲା ମସ୍ତବଡ଼ ଭୁଲ୍‌ । ଏହି ଭୁଲ୍‌ ପାଇଁ ସାରା ଓଡ଼ିଶା ଏବେ ପସ୍ତଉଛି ।
ପ୍ରବାସୀ ଶ୍ରମିକଙ୍କୁ ନେଇ ସବୁଠୁ ବଡ଼ ଚାପରେ ଥିଲା ଗଞ୍ଜାମ । ମେ’ ଏବଂ ଜୁନ୍‌ରେ କେବଳ ଏହି ଜିଲାରେ ନମୁନା ପରୀକ୍ଷା ପାଇଁ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇ ଚିକିତ୍ସା ବ୍ୟବସ୍ଥା କରାଯାଇଥିଲେ, ଗୋଷ୍ଠୀ ସଂକ୍ରମଣ ଆଡ଼କୁ ଯାଇ ନଥାନ୍ତା ଜିଲା । ଟିଏମ୍‌ସିଗୁଡ଼ିକରେ ଅବ୍ୟବସ୍ଥା ଥିଲା । ସୁରତ ଫେରନ୍ତାମାନେ କାହାରିକୁ ମାନିବା ଅବସ୍ଥାରେ ନଥିଲେ । ସରପଞ୍ଚମାନେ ଢିଲା ମାରିଲେ । ଏହାସତ୍ତ୍ୱେ ବି ନମୁନା ପରୀକ୍ଷା ଅଧିକ ହୋଇଥିଲେ, ଅନ୍ତତଃ ସ୍ଥିତି ନିୟନ୍ତ୍ରଣକୁ ଯାଇଥାନ୍ତା ।
ଦୁଇଦିନ ତଳେ ସରକାର ଘୋଷଣା କରିଛନ୍ତି ଯେ, ନମୁନା ପରୀକ୍ଷା ୯ହଜାରକୁ ବୃଦ୍ଧି କରାଯିବ । ମଙ୍ଗଳବାର ଦିନ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଅଧିକାରୀ ତିନିଟି ବିଷୟ ଉପରେ ଗୁରୁତ୍ୱ ଦେଇଥିଲେ । ତାହା ହେଲା: ୧- ଅଧିକ ପରୀକ୍ଷା, ୨- ସ୍ୱାସ୍ଥ୍ୟ ସେବାରେ ଉନ୍ନତି ଏବଂ ୩- କଣ୍ଟେନମେଣ୍ଟ ଜୋନ୍‌ ପରିଚାଳନାରେ ଉନ୍ନତି । ଓଡ଼ିଶା ୩ଟି ଯାକ କ୍ଷେତ୍ରରେ ବିଫଳ ହୋଇଥିବାରୁ ଏବେ ଆରୋଗ୍ୟ ହାରରେ ଯଥେଷ୍ଟ ପଛରେ ଅଛୁ ଏବଂ ସଂକ୍ରମଣ ହାରରେ ପ୍ରତିଦିନ ଉପରକୁ ଉଠୁଛୁ । ଏଥିପାଇଁ ଦାୟୀ କରାଯିବ କାହାକୁ?

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*