ଅଡୁଆରେ ବିଜଦ ବିଧାୟକ ଅନନ୍ତ ଜେନା, ମହିଳାଙ୍କୁ ଅସଦାଚରଣ ନେଇ ଥାନାରେ ମାମଲା ରୁଜୁ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ: ଭୁବନେଶ୍ୱର
ବିବାଦ ପିଛା ଛାଡୁନି ଭୁବନେଶ୍ୱର ମଧ୍ୟ ବିଜଦ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କର । ମହିଳାଙ୍କୁ ଅସଦାଚରଣ ଓ ଗାଳିଗୁଲଜ କରିବା ତାଙ୍କ ପାଇଁ ପୁଣି ମହଙ୍ଗା ସାବ୍ୟସ୍ତ ହୋଇଛି । ଅନନ୍ତଙ୍କ ନାଁରେ ଥାନାରେ ମାମଲା ରୁଜୁ ହୋଇଛି । ଘରେ ପଶି ମହିଳାଙ୍କୁ ଜୀବନରୁ ମାରିଦେବାକୁ ମଧ୍ୟ ବିଧାୟକ ଅନନ୍ତ ଧମକ ଚମକ ଦେଇଥିବା ନେଇ ମହିଳା ଜଣଙ୍କ ଅଭିଯୋଗ ଆଣିଛନ୍ତି । ମହିଳା ଜଣଙ୍କ ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଥାନାରେ ଏନେଇ ଲିଖିତ ଅଭିଯୋଗ କରିଛନ୍ତି । ମହିଳାଙ୍କ ଅଭିଯୋଗକୁ ଆଧାର କରି ପୁଲିସ ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ମହିଳାଙ୍କ ଘରେ ଜୋରଜରଦସ୍ତ ପଶିବାକୁ ନେଇ ପୁଲିସ ୪୪୮, ମହିଳାଙ୍କ ଚୁଟି ଧରି ଟାଣିବା(୩୫୪-ବି), ଗାଳିଗୁଲଜ କରିବା(୨୯୪), ମାରିଦେବାର ଧମକ ଚମକ ଦେବା(୫୦୬) ଏବଂ ବନ୍ଧୁକ ଦେଖାଇବା (ଆର୍ମସ ଆକ୍ଟ) ସହ ସଂଘବଦ୍ଧ ନେଇ ୩୪ ଆଇପିସିରେ ମାମଲା ରୁଜୁ କରିଛି ବାଘମାରୀ ଥାନା ପୁଲିସ । ଏନେଇ ଖୋର୍ଦ୍ଧା ଏସ୍‌ପି ଅଜୟ ପ୍ରତାପ ସ୍ୱାଇଁଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଏଭଳି ଏକ ଅଭିଯୋଗ ଆସିଛି । ଘଟଣାର ତଦନ୍ତ ଜାରି ରହିଛି ।
ଅନନ୍ତ ନାରାୟଣ ଜେନାଙ୍କ ସାରୁଅ ଅଞ୍ଚଳରେ ଥିବା ଫାର୍ମ ହାଉସରେ ଏକ ପୋଖରୀ ଖୋଳାକୁ କେନ୍ଦ୍ରକରି ଏଭଳି ବିବାଦ ପୂର୍ବରୁ ଉପୁଜିଥିଲା । ୧୯ ତାରିଖରେ ଅନନ୍ତ ଓ ତାଙ୍କ ସହଯୋଗୀମାନେ ଏକ କାର୍‌ ଧରି ସାରୁଅ ଅଞ୍ଚଳରେ ଏଭଳି କାରନାମା କରିଥିବା ମହିଳା ଜଣଙ୍କ ଅଭିଯୋଗରେ ଉଲ୍ଲେଖ କରିଛନ୍ତି । ତେବେ ଏନେଇ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ ପଚାରିବାରୁ ଏ ସଂପର୍କରେ ସେ ମୁହଁ ଖୋଲିନଥିଲେ ।
ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଥାନା ସାରୁଅ ଗ୍ରାମରେ ଦିଲ୍ଲୀପ ମହାଭୋଇ ଓ ତାଙ୍କ ସ୍ତ୍ରୀ ରଶ୍ମିତା ମହାଭୋଇ ରୁହନ୍ତି । ରଶ୍ମିତାଙ୍କ ଅଭିଯୋଗ ଅନୁଯାୟୀ, ୧୯ ତାରିଖ ରାତି ୧୦ଟା ୩୦ ମିନିଟ୍‌ରେ ରଶ୍ମିତା ଘରେ ଥିଲେ । ହଠାତ୍‌ ଏକ କଳା ରଙ୍ଗର କାର ଆସି ତାଙ୍କ ଘର ସମ୍ମୁଖରେ ପହଚିଂଥିଲେ । କାର୍‌ରୁ ବାହାରିଥିଲେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ବିଭୁ ପ୍ରସାଦ ବଳିଆରସିଂହ ଓ ଦିଲ୍ଲୀପ ସାହୁ । ପଛରେ ଆସିଥିଲେ ୨୦ରୁ ଅଧିକ ଯୁବକ । ବିଧାୟକ ଆସି ହଠାତ୍‌ ତାଙ୍କ କବାଟ ବାଡେଇ ଗୋଇଠା ବିଧା ମାରିଥିଲେ । କବାଟ ନ ଖୋଲିବାରୁ ସେମାନେ ଗାଳିଗୁଲଜ କରିବା ସହ ଅସଭ୍ୟ ଶବ୍ଦ ପ୍ରୟୋଗ କରିଥିଲେ । ସ୍ୱାମୀଙ୍କ ନାମ ଧରି ଅଭଦ୍ର ଭାଷାରେ ପୁଣି ଗାଳିଗୁଲଜ କରିବାକୁ ଲାଗିଥିଲେ । ଘରେ କୌଣସି ପୁରୁଷ ଲୋକ ନଥିବାରୁ ମୁଁ ଭୟଭିତ ହୋଇ ପଡିଥିଲି । ପରେ ମୁଁ ଭୟଭିତ ହୋଇ କବାଟ ଖୋଲିବା ମାତ୍ରେ ସମସ୍ତେ ମୋ ଘର ଭିତରକୁ ପଶିଯାଇଥିଲେ । ପରେ ମୋ ଚୁଟିକୁ ଘୋଷାରୀ ମୋତେ ତଳେ ପକାଇ ଦେଇ ଖରାପ ବ୍ୟବହାର କରିଥିଲେ । ବିଧାୟକ ମୋତେ ଟଣାଓଟରା କରିଥିଲେ । ଯୁବକମାନଙ୍କ ହାତରେ ମାରଣାସ୍ତ୍ର, ବନ୍ଧୁକ, ଭୁଜାଲି ଓ ଫାର୍ସ ମଧ୍ୟ ଥିଲା । ପରେ ଯୁବକମାନେ ୪ରୁ ୫ଟି କାର୍‌ ଯୋଗେଇ ଦ୍ରୁତ ଗତିରେ ପଳାଇଥିଲେ । ଏନେଇ ମୁଁ ବାଘମାରୀ ଥାନାରେ ଅଭିଯୋଗ କରିବା ସହ ମୋ ଜୀବନ ପ୍ରତି ବିପଦ ଥିବାରୁ ମୋତେ ଓ ମୋ ପରିବାରକୁ ସୁରକ୍ଷା ଯୋଗାଇ ଦିଆଯାଉ । ବିଧାୟକ ଜଣେ ପ୍ରଭାବଶାଳୀ ନେତା ହୋଇଥିବାରୁ କେଉଁ ପରିସ୍ଥିତିରେ ମୋ ପରିବାରକୁ କ’ଣ କରିବେ ସେ ନେଇ ଆମକୁ ସୁରକ୍ଷା ଦିଆଯିବା ଆବଶ୍ୟକ । ମୋ ପ୍ରତି ହୋଇଥିବା ଅସଦାଚରଣ ଘଟଣାର ତଦନ୍ତ କରି ବିଧାୟକ ଓ ତାଙ୍କ ସମର୍ଥକମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରଶ୍ମିତା ଏତଲାରେ ଦର୍ଶାଇଛନ୍ତି । ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ସୂଚନା ଥାଉକି, ପୂର୍ବରୁ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ନାମରେ ଭୁବନେଶ୍ୱରେ ଅନେକ ଅଭିଯୋଗ ଆସିଥିଲେ ମଧ୍ୟ ଶାସକ ଦଳ ଚାପରେ ଘଟଣା ଗୁଡିକୁ ସବୁ ଚାପି ହୋଇଯାଇଥିବାର ଅନେକ ନଜିର ଆସିଛି । ହେଲେ ଏଭଳି ପରିସ୍ଥିିତିରେ ମହିଳାଙ୍କୁ ନ୍ୟାୟ ମିଳୁଛି ନା ଶାସକଦଳ ଚାପରେ ପୁଲିସ ଚେପା ହୋଇ ଚୁପ୍‌ ବସୁଛି ତାହା ଦେଖିବାର କଥା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*