ଅଞ୍ଜନାଙ୍କୁ ନେଇ ରାଜନୀତି କରିଥିଲା କିଏ? ପୁରୀକୁ ନେଇ ଏତେ ବିବ୍ରତ କାହିଁକି ନବୀନ?

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ବିଧାନସଭାରେ ଲିଖିତ ଓ ପଠିତ ବିବୃତ୍ତିରେ କହିଥିଲେ ଯେ, ବଳାକ୍ରାର ଓ ଦୁଷ୍କର୍ମର ଶିକାର ହେଉଥିବା ଯୁବତୀ ଓ ମହିଳାଙ୍କୁ ନେଇ ବିରୋଧୀ ଦଳ ରାଜନୀତି ନକରନ୍ତୁ ।
ଏବେ ବିଜୁ ଜନତା ଦଳର ନାରୀନେତ୍ରୀମାନେ ସମାନ ଉପଦେଶ ଦେଉଛନ୍ତି ବିରୋଧୀ ଦଳକୁ । ପର୍‌ପର୍‌ କେତୋଟି ଘଟଣା ସରକାରଙ୍କର ଏବଂ ବିଶେଷକରି ଗୃହମନ୍ତ୍ରୀ ଭାବେ ନବୀନ ପଟନାୟକଙ୍କର ଭାବମୂର୍ତ୍ତି କଳଙ୍କିତ କରୁଥିବା କାରଣରୁ ବିଜୁ ଜନତା ଦଳ ଚିନ୍ତିତ ଓ ବିବ୍ରତ । କିନ୍ତୁ ମୁଖ୍ୟମନ୍ତ୍ରୀ ଏଭଳି ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ପାଟି ଫିଟେଇ ନାହାନ୍ତି । ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ତାଙ୍କ ରାଜନୀତିରେ ବ୍ୟସ୍ତ । ମହିଳା କମିଶନର ଅଧ୍ୟକ୍ଷା ମିନତି ବେହେରା ଧାଇଁ ଯାଇଥିଲେ ଝାରପୋଖରିଆ ଆତ୍ମହତ୍ୟା କରିଥିବା ଅଧ୍ୟାପିକାଙ୍କ ଘରକୁ । ପୁରୀ ଗଣଧର୍ଷଣ ପ୍ରସଙ୍ଗରେ ଏତେଦିନ ବାଦ୍‌ ତାଙ୍କୁ ଉଦ୍‌ବେଗ ପ୍ରକାଶ କରିବାକୁ ପଡ଼ିଲା । କିନ୍ତୁ ମହିଳା କମିଶନଙ୍କ କଥାକୁ ନବୀନ ସରକାର ଗୁରୁତ୍ୱ ଦିଅନ୍ତି କି? ସ୍ମିତାରାଣୀ ହତ୍ୟା ଓ ଧର୍ଷଣ ଅଭିଯୋଗ ଉପରେ ଯାଜପୁର ପୁଲିସର ତଦନ୍ତରେ ସନେ୍ଦହ ପ୍ରକାଶ କରି କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ସକାଶେ ମିନତିଙ୍କ ସୁପାରିସ କାହିଁକି ଗ୍ରହଣ ହେଲା ନାହିଁ, ସେ ବାବଦରେ ସମସ୍ତେ ଜାଣିବା ଉଚିତ ।
କିନ୍ତୁ ପୁରୀ ଗଣଦୁଷ୍କର୍ମ ମାମଲାରେ ନବୀନ ସରକାର ବ୍ୟାକ୍‌ଫୁଟ୍‌ରେ ଅଛନ୍ତି । ବିରୋଧୀ ଦଳ ରାଜନୀତି ନକରିବାକୁ ସେଥିଲାଗି ପରାମର୍ଶ ଦେଉଛନ୍ତି ବିଜଦର ନାରୀ ନେତ୍ରୀମାନେ । ଗୁରୁବାର ଦିନ ଆହୁରି ଚାଞ୍ଚଲ୍ୟକର ଖବର ଆସିଛି ପୁରୀ ଦୁଷ୍କର୍ମ ଘଟଣାକୁ କେନ୍ଦ୍ରକରି । ଯେଉଁ ପୁଲିସ କ୍ୱାର୍ଟର୍ସରେ ନାବାଳିକାଙ୍କର ଗଣଧର୍ଷଣ କରାଯାଇଥିଲା, ସେଠାରେ ଉକ୍ତ ପୁଲିସ ମହାଶୟ ସେକ୍ସ ର୍ୟାକେଟ୍‌ ଚଳାଇ ଆସୁଥିଲେ । ଏହି ଅଭିଯୋଗ କରିଛନ୍ତି ଜିତେନ୍ଦ୍ର ସେଠୀଙ୍କର ଦ୍ୱିତୀୟ ପତ୍ନୀ ରଞ୍ଜିତା । ସେ ବ୍ରହ୍ମଗିରି ଥାନାରେ ପୁଲିସ ଚାକିରୀରେ ଅଛନ୍ତି । ତାଙ୍କୁ ମଧ୍ୟ ସେହି କ୍ୱାର୍ଟର୍ସରେ ଧର୍ଷଣ କରିଥିଲେ ଜିତେନ୍ଦ୍ର । ଏବଂ ପରବର୍ତ୍ତୀ ସମୟରେ ବିବାହ କରିଥିଲେ । ଜିତେନ୍ଦ୍ରଙ୍କ ପ୍ରଥମ ପତ୍ନୀ ଏହି ର୍ୟାକେଟ୍‌ ଚଳାଉଥିଲେ ବୋଲି ଦ୍ୱିତୀୟ ପତ୍ନୀଙ୍କ ଅଭିଯୋଗ ପୁଲିସକୁ ବଡ଼ ଅଡ଼ୁଆ ଭିତରକୁ ଠେଲି ଦେଇଛି ।
ନବୀନ ସରକାର ବଢ଼ି ଚାଲିଥିବା ମହିଳା ଦୁଷ୍କର୍ମ ଘଟଣାରେ ପଡ଼ିଛନ୍ତି ବଡ଼ ଅଡ଼ୁଆରେ । ଉଭୟ କଂଗ୍ରେସ ଏବଂ ଭାଜପା ରାସ୍ତାକୁ ଆସିବା ପରେ ଶାସକ ଦଳ ପାଇଁ ସମସ୍ୟା ବଢ଼ିଛି । ଏବେ ଏଥିରେ ସାମିଲ ହେବାକୁ ଯାଉଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ । ସରକାରଙ୍କ ବିରୋଧରେ ନାରୀ ସୁରକ୍ଷାକୁ ନେଇ ଛାତ୍ର ଆନେ୍ଦାଳନର ଯେଉଁ ବିଗୁଲ୍‌ ଏବିଭିପି ଫୁଙ୍କିଛି, ତାହା ନବୀନଙ୍କ ଚିନ୍ତା ବଢ଼ାଇବ ।
କଂଗ୍ରେସ ବିରୋଧରେ ଅଞ୍ଜନା ଧର୍ଷଣ ମାମଲାକୁ ନେଇ ବିଜୁ ଜନତା ଦଳ ଓ ଭାରତୀୟ ଜନତା ପାର୍ଟି ମେଣ୍ଟ ଯେଉଁ ମୋର୍ଚ୍ଚା ଖୋଲିଥିଲା, ତାହାର ନେତୃତ୍ୱ ନେଇଥିଲେ ବିଜଦ ସଭାପତି ନବୀନ ପଟନାୟକ । ଅଥଚ ଏବେ ବିରୋଧୀ ଦଳର ଆନେ୍ଦାଳନକୁ ଦେଖି ରାଜନୀତି ନକରିବା ପାଇଁ ନବୀନ ଓ ଅନ୍ୟମାନଙ୍କର ପରାମର୍ଶ ସଇତାନର ବେଦ ପାଠ ପରି ମନେ ହେଉଛି । ଦୁର୍ବଳ ବିରୋଧୀ ଦଳ ଯୋଗୁଁ ପରିସ୍ଥିତିକୁ ଭିନ୍ନ ମୋଡ଼ ଦେବାରେ ସଫଳ ହୋଇଆସୁଥିଲେ ନବୀନ । କିନ୍ତୁ ଯେଉଁଭଳି ଚାରିଆଡ଼େ ଦୁଷ୍କର୍ମ ଓ ନାରୀ ନିର୍ଯାତନା ମାମଲା ବଢ଼ିଚାଲିଛି, ଶେଷକୁ ଜେବି ଅବସ୍ଥା ନବୀନ ବି ଭୋଗିବେ ବୋଲି ଏକ ଧାରଣା କ୍ରମଶଃ ଦାନା ବାନ୍ଧୁଛି । ତେଣୁ ବିବ୍ରତ ହେବା ସ୍ୱାଭାବିକ । ତେବେ ପ୍ରଶ୍ନ ହେଉଛି ବିରୋଧୀ ଦଳ ଆରମ୍ଭ କରିଥିବା ଆନେ୍ଦାଳନ ଅଧାରୁ ଥମିଯିବ କି? ଏକ ବିରାଟ ଜୀବନ ସରକାର ପାଇବେ କି?
ବିରୋଧୀ ଦଳ ରାଜନୀତି ନକରନ୍ତୁ, ଆଇନ ତା’ ବାଟରେ ଯାଉ, କୌଣସି ଜଣେ ଦୋଷୀଙ୍କୁ ଛଡ଼ାଯିବ ନାହିଁ ଇତ୍ୟାଦି ଇତ୍ୟାଦି ମହୁବୋଳା କଥା ଏବେ ସୁଦ୍ଧା ଲୋକଙ୍କୁ ପ୍ରଭାବିତ କରିନାହିଁ । ଗୁରୁବାର ଦିନ କଂଗ୍ରେସ ପାଲଟା ଆକ୍ରମଣ ସହ ରାଜନୀତି କିଏ କରୁଛି ବୋଲି ମୁଖ୍ୟମନ୍ତ୍ରୀଙ୍କୁ ପଚାରିଛି । କଂଗ୍ରେସ ନେତା ସତ୍ୟ ନାୟକ ଓ ଅନ୍ୟମାନେ ସାମ୍ବାଦିକ ସମ୍ମିଳନୀରେ ବେବିନା ଗଣବଳାକ୍ରାର ଓ ହତ୍ୟା ଘଟଣା ସ୍ମରଣ କରାଇ ଦେଇଛନ୍ତି ମୁଖ୍ୟମନ୍ତ୍ରୀଙ୍କୁ । ଏହି ମାମଲାର ତଦନ୍ତ କ୍ରାଇମ୍‌ବ୍ରାଞ୍ଚ୍‌କୁ ଦେଇଥିଲେ ନବୀନ । କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ତ୍ରୁଟି କାରଣରୁ ସବୁ ଅଭିଯୁକ୍ତ ନିଦେ୍ର୍ଦାଷରେ ଖଲାସ ହୋଇଗଲେ । ଏହା ମଧ୍ୟ କୋର୍ଟ ଉଲ୍ଲେଖ କରିଛି । ବେବିନା ମାମଲା ଉଠିବା ପରେ ପ୍ରଦୀପ ମହାରଥୀଙ୍କୁ ମନ୍ତ୍ରୀ ପଦରୁ ହଟାଇ ଦିଆଯାଇଥିଲା । କିନ୍ତୁ ପରେ ପୁଣି ତାଙ୍କୁ ମନ୍ତ୍ରୀ କରାଗଲା । ଏପର୍ଯ୍ୟନ୍ତ ତଳ କୋର୍ଟର ଆଦେଶ ବିରୋଧରେ ଉପରକୁ ଗଲେ ନାହିଁ ସରକାର । ତେଣୁ ମହିଳାଙ୍କୁ ନେଇ ରାଜନୀତି କିଏ କରୁଛି, ମୁଖ୍ୟମନ୍ତ୍ରୀ ତାହା ସ୍ପଷ୍ଟ କରିବା ଉଚିତ ବୋଲି କଂଗ୍ରେସ ନେତାମାନେ ଦାବି କରିଛନ୍ତି ।
ନବୀନ ସରକାରଙ୍କ ଅମଳରେ ମହିଳା ସଶକ୍ତିକରଣ ବହୁ ପ୍ରଚାରିତ ଶବ୍ଦ । ଆଜିଠୁ ଶକ୍ତି ସମାବେଶ ଆୟୋଜନ କରୁଛି ପଞ୍ଚାୟତିରାଜ ବିଭାଗ । ମାତ୍ର ବିଡ଼ମ୍ବନା, ନବୀନଙ୍କ ଶାସନ ସମୟରେ ମହିଳା ସବୁଠୁ ବେଶୀ ଅସୁରକ୍ଷିତ । ବିଶେଷତଃ ନାବାଳିକାମାନେ ଅଧିକରୁ ଅଧିକ ସଂଖ୍ୟାରେ ବଳାକ୍ରାରର ଶିକାର ହେଉଛନ୍ତି । ସରକାରଙ୍କ ସ୍ୱୀକାରୋକ୍ତି ଅନୁସାରେ, ଗତ ୬ମାସରେ ୬୦୪ ଜଣ ନାବାଳିକା ହୋଇଛନ୍ତି ଦୁଷ୍କର୍ମର ଶିକାର ।
ପୁରୀ ଘଟଣା ପ୍ରିୟଙ୍କା ମାମଲା ପରେପରେ ଘଟିଥିବାରୁ ନବୀନ ସରକାରଙ୍କୁ କାଠଗଡ଼ାକୁ ଠେଲିଦେଇ ସାରିଛି । ଏବେ ଅପେକ୍ଷା, ପରିସ୍ଥିତିରୁ ରାଜନୀତିକ ଫାଇଦା ନେବାପାଇଁ ବିରୋଧୀ ଦଳଗୁଡ଼ିକର ଇଚ୍ଛାଶକ୍ତି ଅଛି କି ନାହିଁ?

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*