ଅଜବ ସରକାର: ଦି’ଧାଡିର ଦାମ୍‌ ୧୦ କୋଟି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ବୋଧହୁଏ ସତ ଲୁଚେଇବାକୁ ଯାଇ କୋଟିକୋଟି ଟଙ୍କା ବରବାଦ୍‌ କରିବା ସ୍ୱଚ୍ଛ ନବୀନ ସରକାରଙ୍କ ଏକ ବଦଭ୍ୟାସରେ ପରିଣତ ହେଲାଣି । ଯେମିତି ସ୍ମିତାରାଣୀ ଆତ୍ମହତ୍ୟା କରିଚନ୍ତି ବୋଲି ଏବେ ସରକାର ବି ରଟି ହେଲେଣି । କାହିଁକି ରଙ୍ଗଶାଳାକୁ ସେଦିନ ରାମକୋ ଅଫିସର ଯାଇଥିଲେ, ସେକଥା ଜମାରୁ କହୁନାହାଁନ୍ତି ପୁଲିସ୍‌ ବଡ଼ବାବୁ କି କ୍ୟାପଟେନ୍‌ ମିଶ୍ର । ଏହି ତଦନ୍ତ ପାଇଁ ଟଙ୍କା ବରବାଦ୍‌ ହବ । ରଙ୍ଗଶାଳା ଭାଙ୍ଗିବା ପାଇଁ ଟଙ୍କା ଖର୍ଚ୍ଚ କରିବେ ସରକାର । ଅବଶ୍ୟ ମୁଖିଆ କ’ଣ ପକେଟରୁ କିଛି ଦଉଚନ୍ତି କି? ସରକାରୀ ମାଲ୍‌, ଦରିଆ ମେ ଡାଲ୍‌ । ଠିକ୍‌ ଯେମିତି ଗାନ୍ଧୀଙ୍କ ପାଇଁ ୧୦ କୋଟିରୁ ଅଧିକ ପାଣିରେ ପକେଇ ଦେଲେ ।
ଗାନ୍ଧିଜୀଙ୍କୁ ଜାନୁଆରୀ ୩୦ ଦିନ ହତ୍ୟା କରିଥିଲେ ଗଡସେ । ଏକଥା ମଧ୍ୟ କୋର୍ଟରେ ସ୍ୱୀକାର କରିଥିଲେ ସେ । ମହାତ୍ମାଙ୍କ ୧୫୦ତମ ଜୟନ୍ତୀ ପାଇଁ ଗଣଶିକ୍ଷା ବିଭାଗ ଗୋଟିଏ ପୁସ୍ତିକା ଛାପି ଥିଲା । ନା ଥିଲା ଆମ ବାପୁଜୀ : ଏକ ଝଲକ । ଏଥିରେ ଦୁଇଟି ଧାଡ଼ି ସରକାରଙ୍କ ଗାନ୍ଧୀ ପ୍ରୀତିକୁ ଧରା ପକାଇଦେଲା । ୩୦ ଜାନୁଆରୀ,୧୯୪୮ ମସିହାରେ ଦିଲ୍ଲୀ ବିରଳା ଭବନରେ ଏକ ଆକସ୍ମିକ ଘଟଣାକ୍ରମେ ଗାନ୍ଧିଜୀଙ୍କର ଦେହାବସାନ ଘଟିଥିଲା ବୋଲି ଏଥିରେ ଲେଖାଯାଇଥିଲା । ଏମିତି ଭୁସପନ୍ଦିତ ଇତିହାସକାର କଉଁଠୁ ବାହାରିପଡିଲେ କେଜାଣି?
କିନ୍ତୁ ଏହି ଦୁଇଧାଡ଼ି ଲାଗି ସରକାର ହିନସ୍ତା ହେଲେ । ବିଧାନସଭାରେ ମନ୍ତ୍ରୀ ଦୁଃଖ ପ୍ରକାଶ କଲେ । ବଣ୍ଟା ଯାଇଥିବା ପୁସ୍ତିକା ଫେରାଇ ଆଣି ନଷ୍ଟ କରାଯିବ ବୋଲି କହିଲେ ମନ୍ତ୍ରୀ । ପୁସ୍ତିକା ଫେରାଇ ଆଣିବେ କେମିତି? ଯିଏ ନଦେବ ତାକୁ ସ୍କୁଲରୁ ବାହାର କରିଦେଇପାରିବେ କି? ଅଯୋଗ୍ୟ କାଳିଆଙ୍କୁ ଯଉଁ ଟଙ୍କା ଦେଇଥିଲେ ଫେରେଇ ଆଣିପାରିଲେ କି? ସେମିତି ପୁସ୍ତିକା ମଧ୍ୟ ଆଉ ଫେରିବାର ଚାନ୍ସ ନାହିଁ । ଏହି ଫେରାଇ ଆଣିବା ଚକ୍କରରେ ଅଫିସରମାନେ ପୁଣି ପୁଳାଏ ଟଙ୍କା ଖାଇଯିବେ ।
ବହି ଛାପିବାରେ ୧୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଚନ୍ତି ସରକାର ବାହାଦୂର । ଅବଶ୍ୟ କେତେ ଖର୍ଚ୍ଚ ହେଇଚି ତାହାର ହିସାବ ଦେଇନାହାଁନ୍ତି ମନ୍ତ୍ରୀ । କିନ୍ତୁ ଯଉଁ କରିତ୍‌କର୍ମାଙ୍କ ଲାଗି ୧୦ କୋଟି ଟଙ୍କା ପାଣିରେ ପଡିଲା, ତାଙ୍କ ଠାରୁ ଟଙ୍କା ଆଦାୟ ହବନି କାହିଁକି? ଠିକ୍‌ ଯେମିତି ଅଯୋଗ୍ୟ କାଳିଆମାନଙ୍କୁ ଚିହ୍ନଟ କରିଥିବା ଅଫିସରଙ୍କୁ ଚିହ୍ନଟ କରିପାରିଲେ ନାହିଁ ସରକାର, ସେମିତି ଗାନ୍ଧୀଙ୍କର ଦୁର୍ଘଟଣା ଘଟାଇଥିବା ଲୋକ ବି ଧରାପଡିବେ ନାହିଁ । ଅର୍ଥାତ୍‌ ଯେମିତି କାଳିଆ ଟଙ୍କା ଯାଇଥିଲା, ଜାଲି ରାସନକାର୍ଡଧାରୀଙ୍କ ଯୋଗୁ କୋଟିକୋଟି ଟଙ୍କାର ଚାଉଳ ଟଙ୍କା ଗଲା, ଠିକ୍‌ ସେମିତି ଏହି ୧୦ କୋଟି ଟଙ୍କା ପାଣିରେ ପଡିଲା ବୋଲି ଧରି ନବାକୁ ହବ । ସ୍ୱଚ୍ଛ ସରକାରଙ୍କ ସ୍ୱଚ୍ଛତାକୁ କିଏ ଚ୍ୟାଲେଞ୍ଜ କରୁ ତ?

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*