ବ୍ରେକିଙ୍ଗ ନିଉଯ

ମହାରାଷ୍ଟ୍ରରେ ଦଖଲ କରିଥିଲା, ବିହାରରେ ବେଦଖଲ ହେଲା ଭାଜପା

2022-08-09 16:19:58 ଦେଶ

ବିହାରରେ ମେଣ୍ଟ ସରକାର ଭାଙ୍ଗିଥିବା ଜେଡିୟୁ ନେତା ଉପେନ୍ଦ୍ର କୁଶୱା ଶପଥ କରିଛନ୍ତି। ଏଥିସହ ଜେଡିୟୁ ଏବେ ଲାଲୁ ପ୍ରସାଦ ଯାଦବଙ୍କ ଆରଜେଡି, କଂଗ୍ରେସ ଓ ସିପିଆଇଏମ(ଏଲ) ସହ ମିଶି ନୂଆ ସରକାର ଗଠନ କରିବ ବୋଲି ସେ ସୂଚନା ଦେଇଛନ୍ତି। 

ଏଜେନ୍ସୀ : ନୂଆଦିଲ୍ଲୀ :

ମହାରାଷ୍ଟ୍ର ପରେ ବିହାରରେ ଦେଖାଯାଇଛି ରାଜନୀତିକ ହଟଚମଟ। ମହାରାଷ୍ଟ୍ରରେ ଶିବସେନା-କଂଗ୍ରେସ ଓ ଏନସିପି ମେଣ୍ଟକୁ ଭାଙ୍ଗି ଭାଜପା  ସରକାର ଗଠନ କରିଛି। ମହାରାଷ୍ଟ୍ର ବିଧାନସଭାରେ ଭାଜପା  ସର୍ବାଧିକ ଆସନ ଜିତିଥିଲେ ମଧ୍ୟ ଶିବସେନା ହାତ ଛାଡ଼ି ଦେବାରୁ ଦଳକୁ ବିରୋଧୀ ଆସନରେ ବସିବାକୁ ପଡ଼ିଥିଲା। ଶିବସେନା-ଏନସିପି ଓ କଂଗ୍ରେସ ସରକାର ଗଠନ କରିଥିଲେ। ହେଲେ ସେମାନଙ୍କ ଶାସନର ଅଢ଼େଇ ବର୍ଷ ପରେ ସୃଷ୍ଟି ହୋଇଥିଲା ଝଡ଼। ଭାଜପା  କଥାରେ ଶିବସେନାର ୪୦ ଜଣ ବିଧାୟକ ବିଦ୍ରୋହ କରିବାରୁ ଏମଭିଏ ସରକାର ଭାଙ୍ଗି ଯାଇଥିଲା। ଏଥିସହ ବିଦ୍ରୋହୀ ଶିବସେନା ବିଧାୟକଙ୍କୁ ଧରି ଭାଜପା  ନିକଟରେ ସରକାର ଗଠନ କରିଛି। କିନ୍ତୁ ବିହାରରେ ଭାଜପାକୁ ଲାଗିଛି ଶକ୍ତ ଝଟକା। ଦଳ ସହ ମିଶି ସରକାର ଗଠନ କରିଥିବା ଜେଡିୟୁ ଏବେ ଭାଜପାର ହାତ ଛାଡ଼ି ଦେଇଛି। ଭାଜପା ୭୭ଟି ଆସନ ଜିତିଥିବାରୁ ୪୫ ଆସନରେ ସୀମିତ ଥିବା ଜେଡିୟୁକୁ ଦଳର ନେତାମାନେ ସବୁବେଳେ ଧମକ ଦେଉଥିଲେ। ଏବେ ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ସୁପ୍ରିମୋ ନୀତୀଶ କୁମାର ଭାଜପା  ହାତ ଛାଡ଼ି ଦେଇଛନ୍ତି। ବିହାରରେ ମେଣ୍ଟ ସରକାର ଭାଙ୍ଗିଥିବା ଜେଡିୟୁ ନେତା ଉପେନ୍ଦ୍ର କୁଶୱା ଶପଥ କରିଛନ୍ତି। ଏଥିସହ ଜେଡିୟୁ ଏବେ ଲାଲୁ ପ୍ରସାଦ ଯାଦବଙ୍କ ଆରଜେଡି, କଂଗ୍ରେସ ଓ ସିପିଆଇଏମ(ଏଲ) ସହ ମିଶି ନୂଆ ସରକାର ଗଠନ କରିବ ବୋଲି ସେ ସୂଚନା ଦେଇଛନ୍ତି। ମେଣ୍ଟ ଭାଙ୍ଗିଥିବାରୁ ଅପରାହ୍ନ ପ୍ରାୟ ୪ଟା ବେଳେ ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ। ଏନେଇ ସେ ରାଜ୍ୟପାଳଙ୍କୁ ଭେଟିବାର କାର୍ୟ୍ୟକ୍ରମ ରହିଛି। ୨୦୨୦ରେ ଆରଜେଡି ସର୍ବାଧିକ ଆସନ ଜିତିଥିଲା। ହେଲେ ଜେଡିୟୁ ଓ ଭାଜପା  ମିଳିତ  ଭାବେ ସରକାର ଗଠନ କରିଥିଲେ। ଏବେ ଅଢ଼େଇ ବର୍ଷ ପରେ ଜେଡିୟୁ ମେଣ୍ଟରୁ ଓହରି ଯିବାକୁ ନିଷ୍ପତ୍ତି ନେଇଛି।

ସମ୍ବନ୍ଧୀୟ ଖବର