ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପୁଣି ଥରେ ମିଳିଲା ଖୁସି ଖବର । ଗତକାଲି ସପ୍ତମ ଦିନରେ ଗୋଟିଏ ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ହାତେଇବାରେ ସକ୍ଷମ ହୋଇଛନ୍ତି ଭାରତୀୟ ଖେଳାଳି । ପୁରୁଷ ହେଭିୱେଟ ପାରା ପାୱାର ଲିଫ୍ଟ ଇଭେଣ୍ଟରେ ଭାରତର ସୁଧୀର ସ୍ୱର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି ।
ଏଜେନ୍ସୀ : ବର୍ମିଂହମ :
ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପୁଣି ଥରେ ମିଳିଲା ଖୁସି ଖବର । ଗତକାଲି ସପ୍ତମ ଦିନରେ ଗୋଟିଏ ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ହାତେଇବାରେ ସକ୍ଷମ ହୋଇଛନ୍ତି ଭାରତୀୟ ଖେଳାଳି । ପୁରୁଷ ହେଭିୱେଟ ପାରା ପାୱାର ଲିଫ୍ଟ ଇଭେଣ୍ଟରେ ଭାରତର ସୁଧୀର ସ୍ୱର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି। ସେହିପରି ଆଥଲେଟିକ୍ସର ପୁରୁଷ ବର୍ଗ ଲଙ୍ଗ୍ ଜମ୍ପରେ ରୌପ୍ୟ ଆଣିଛନ୍ତି ଭାରତର ମୁରଲୀ ଶ୍ରୀଶଙ୍କର । ଏଯାବତ ୬ ଟି ସ୍ୱର୍ଣ୍ଣ, ୭ ରୌପ୍ୟ ଓ ୭ ବ୍ରୋଞ୍ଜ ସହ ଭାରତ ୨୦ଟି ପଦକ ହାତେଇବାରେ ସକ୍ଷମ ହେଲାଣି । ଗତ ରାତିରେ ପ୍ରଥମେ ମୁରଲୀ ଶ୍ରୀ ଶଙ୍କର ଲଙ୍ଗ ଜମ୍ପ ଇଭେଣ୍ଟରେ ଭାରତ ପାଇଁ ରୌପ୍ୟ ପଦକ ଜିତିଛନ୍ତି । ଫାଇନାଲ ମ୍ୟାଚରେ ମୁରଲୀ ୮.୦୮ ମିଟର ଡିଆଁ ମାରି ଏହି ରାଙ୍କ ହାସଲ କରିଛନ୍ତି । ଚଳିତ କମନୱେଲଥ୍ ଗେମ୍ସର ଆଥଲେଟିକ୍ସ ଇଭେଣ୍ଟରେ ଭାରତର ଏହା ଦ୍ୱିତୀୟ ମଡେଲ । ଏହା ପୂର୍ବରୁ ତେଜସ୍ୱିନୀ ଶଙ୍କର ହାଇ ଜମ୍ପରେ ବ୍ରୋଞ୍ଜ ମେଡାଲ ହାସଲ କରିଥିଲେ । ଏହାର କିଛି ସମୟ ପରେ ହେଭିୱେଟ ପାରା ପାୱାରଲିଫ୍ଟରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ସୁଧୀର । ଦ୍ୱିତୀୟ ପ୍ରୟାସରେ ସୁଧୀର ୨୧୨ କେଜି ଓଜନ ଉଠାଇ ରେକର୍ଡ ୧୩୪.୫ ଅଙ୍କ ହାସଲ କରି ସ୍ୱର୍ଣ୍ଣ ପଦକ ବିଜେତା ଘୋଷିତ ହୋଇଥିଲେ । ଏହାବାଦ ବକ୍ସର ଅମିତ ପାଙ୍ଗଲ, ସାଗର ଅହଲୱାଟ, ଜସ୍ମିନ ଲମ୍ବୋରିଆ ଏବଂ ରୋହିତ ଟୋକାସ ଭାରତ ପାଇଁ ଆଉ ୪ଟି ପଦକ ପକ୍କା କରିଛନ୍ତି । ସେପଟେ ହାମର ଥ୍ରୋ ଫାଇନାଲରେ ମଞ୍ଜୁବାଳା ଏବଂ ୨୦୦ ମିଟର ସେମିରେ ପହଞ୍ଚିଛନ୍ତି ହିମା ଦାସ । ସେହିପରି ବ୍ୟାଡମିଣ୍ଟନ୍ ତାରକା ପିଭି ସିନ୍ଧୁ ଏବଂ କିଦାମ୍ବି ଶ୍ରୀକାନ୍ତ ନିଜ ନିଜ ଏକକ ମ୍ୟାଚ୍ ଜିତି ପ୍ରି- କ୍ୱାର୍ଟର ଫାଇନାଲକୁ ଯାଇଛନ୍ତି ।